ETV Bharat / state

ବରଗଡ଼ ଗସ୍ତରେ ଅସିତ ତ୍ରିପାଠୀ, ପ୍ରକଳ୍ପ ପରିଦର୍ଶନ ସହିତ କଲେ ଉଦଘାଟନ

author img

By ETV Bharat Odisha Team

Published : Oct 20, 2023, 2:20 PM IST

Wodc chairman Asit tripathy at bargarh
Wodc chairman Asit tripathy at bargarh

ବରଗଡ ଗସ୍ତରେ ଆସି ବିକାଶମୂଳକ କାର୍ଯ୍ୟର ତାଦାରଖ କରିବା ସହ ବିକାଶ ମୂଳକ କାର୍ଯ୍ୟ ପାଇଁ ଅନୁଦାନ ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ

Wodc chairman Asit tripathy at bargarh

ବରଗଡ: ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତାଦାରଖ କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଏଥିସହ ବିକାଶମୂଳକ କାର୍ଯ୍ୟ ପାଇଁ ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି । ପ୍ରଥମେ ବରଗଡ଼ ଜିଲ୍ଲା ବରପାଲି ସ୍ଥିତ କବି ଗଙ୍ଗାଧର ମେହେରଙ୍କ ସମାଧି ପୀଠକୁ ପହଞ୍ଚିଥିଲେ ଏବଂ ସେଠାକାର ପ୍ରକଳ୍ପକୁ ତଦାରଖ କରିଥିଲେ । ପରେ ବରଗଡ଼କୁ ଗସ୍ତ କରିଥିଲେ । ସେହିପରି ଓଡ଼ିଶା କଳାକାର ମହାସଂଘ ତରଫରୁ ଆୟୋଜିତ ହୋଇଥିବା ନୂଆଁଖାଇ ଭେଟଘାଟ ଉତ୍ସବରେ ଯୋଗ ଦେଇଥିଲେ ।

ଅସିତ ତ୍ରିପାଠୀ ଏହି ଗସ୍ତ ସମୟରେ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ଵ ବ୍ୟୟ ଅଟକଳରେ ନିର୍ମାଣାଧୀନ ବରପାଲି ଏନ୍‌ଏସି ଅଞ୍ଚଳରେ ଥିବା ସ୍ଵଭାବ କବି ଗଙ୍ଗାଧର ମେହେରଙ୍କର ସମାଧି ପୀଠର ବିକାଶ କାର୍ଯ୍ୟ ତଦାରଖ କରିଥିଲେ । ଏହାପରେ ବରଗଡ଼ ସହରର ସମଲେଇ ମନ୍ଦିର ଠାରେ ମାଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । ନବରାତ୍ର ପୂଜା ଉପଲକ୍ଷେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କୁ ଦର୍ଶନ କରିଥିଲେ । ନବରାତ୍ର ପୂଜା ଚାଲିଥିବା ବେଳେ ପଞ୍ଚମୀରେ ସମଲେଶ୍ବରୀଙ୍କ ସ୍କନ୍ଦମାତା ବେଶକୁ ଦର୍ଶନ କରିଥିଲେ ଅସିତ ତ୍ରିପାଠୀ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ସହ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲାପାଳ ମନୀଷା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ । ମନ୍ଦିରର ଉନ୍ନତିକରଣ ବିଷୟରେ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-WODC Chairman in Balangir: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ମାରାଥନ ଗସ୍ତ

ଏହାପରେ ବରଗଡ଼ ସରକାରୀ ବସ୍‌ଷ୍ଟାଣ୍ଡ ଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଯାତ୍ରୀ ବିଶ୍ରାମଗାର ଗୃହର ଲୋକାର୍ପଣ କରିବା ସହିତ ସୌଖୀନ କଳାକାର ସଂଘର ଅଡିଟୋରିଅମକୁ ବୁଲି ଦେଖିଥିଲେ ଅସିତ ତ୍ରିପାଠୀ । ସୌଖୀନ କଳାକାର ସଂଘ ଦ୍ଵାରା ଅଡିଟୋରିଅମର ପୁନଃ ନିର୍ମାଣ ନିମିତ୍ତ ପ୍ରସ୍ତାବ ଦିଆଯାଇଥିଲା । ଏହି ଗସ୍ତ ସମୟରେ ଅସିତ ତ୍ରିପାଠୀଙ୍କ ସହ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମୋନିଷା ବାନାର୍ଜୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହା ପରେ ପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଦ୍ଵାରା ଆୟୋଜିତ ନୂଆଖାଇ ଭେଟଘାଟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଅସିତ ତ୍ରିପାଠୀ ।

ନୂଆଁଖାଇ ଏକ ଭାଇଚାରାର ପର୍ବ, ଏହା ଆଜି ଆନ୍ତର୍ଜାତୀୟ ସ୍ତରରେ ପାଳିତ ହେଉଛି ଏବଂ ବରଗଡ଼ର କଳା ସଂସ୍କୃତି ବିଶ୍ଵ ଦରବାରରେ ପ୍ରସିଦ୍ଧି ଲାଭ କରିଛି ବୋଲି ବକ୍ତବ୍ୟ ରଖିଥିଲେ ଅସିତ ତ୍ରିପାଠୀ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସବୁବେଳେ କଳାକାରମାନଙ୍କୁ ସହାୟତା କରି ଆସୁଛି ଏବଂ ଯଦି ସ୍ଥାନ ନିର୍ଦ୍ଧାରିତ ହୁଏ, ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ଭବନ ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଅନୁଦାନ ରାଶି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.