ETV Bharat / state

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପ୍ରସ୍ତୁତି, ଗୋପପୁରରେ ଚାଲିଛି ଅଭ୍ୟାସ ଆଖଡ଼ା

author img

By ETV Bharat Odisha Team

Published : Jan 4, 2024, 9:58 PM IST

Updated : Jan 4, 2024, 10:21 PM IST

bargarh dhanu yatra
ଧନୁଯାତ୍ରା ପ୍ରସ୍ତୁତି

Bargarh Dhanu Yatra: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଗୋପପୁରରେ ଚାଲିଛି ଅଭ୍ୟାସ ଆଖଡ଼ା । ମଥୁରା ନଗରୀ ପାଇଁ ସାଜସଜ୍ଜା ଏବଂ କଂସ ଦରବାର ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

ଧନୁଯାତ୍ରା ପ୍ରସ୍ତୁତି

ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଗୋପପୁରରେ ଚାଲିଛି ଅଭ୍ୟାସ ଆଖଡ଼ା । କୃଷ୍ଣ-ବଳରାମ ସହ ରାଧା ଓ ଗୋପୀ ଭୂମିକାରେ ଅଭିନୟ କରିବାକୁ ଥିବା କଳାକାରଙ୍କ ଜାରି ରହିଛି ଆଖଡ଼ା । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଅଳ୍ପ ଦିନ ବାକିଥିବାବେଳେ ରିହରସାଲରେ ଲାଗିପଡିଛନ୍ତି କଳାକାର । ସେପଟେ ମଥୁରା ନଗରୀ ପାଇଁ ସାଜସଜ୍ଜା ଏବଂ କଂସ ଦରବାର ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ଗୋପପୁର ପାଲଟୁଥିବା ଅମ୍ବାପାଳିରେ କୁନି କୁନି କଳାକାର ରାଧା, କୃଷ୍ଣ ବଳରାମ ଓ ଗୋପୀମାନଙ୍କ ମଧ୍ୟ ଅଭ୍ୟାସ ଆଖଡ଼ା ଆରମ୍ଭ ହୋଇଯାଇଛି l

ଆସନ୍ତା ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୭୬ ତମ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ବରଗଡ଼ ଜିଲ୍ଲାର ଗାଁଠୁ ସହର ଚଳଚଞ୍ଚଳ ହେଲାଣି। ଆଉ ଅଳ୍ପ ଦିନ ପରେ ଅମ୍ବାପାଲି ଗୋପପୁର ପାଲଟିଯିବ ଆଉ ଜିରା ନଦୀ ଯମୁନା ନଈର ରୂପ ନେବ । ସେହିପରି ବରଗଡ଼ ସହର ପାଲଟିଯିବ ମଥୁରା ନଗରୀ। ତେବେ ପ୍ରବଳ ପ୍ରତାପୀ କ୍ରୁର କଂସ ମହାରାଜାର ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ମଥୁରା ନଗରୀ। ଏଥିପାଇଁ ବର୍ତ୍ତମାନଠାରୁ ଗୋପପୁରରେ ଭକ୍ତିମୟ ପରିବେଶ ସୃଷ୍ଟି ହେଲାଣି । ଉଭୟ ମଥୁରା ଓ ଗୋପପୁରରେ ଧନୁଯାତ୍ରା ପାଇଁ ଆରମ୍ଭ ହେଲାଣି ଆଖଡ଼ା। 4 ଦିନ ଧରି ଆଖଡ଼ାଶାଳରେ କୁନି କୁନି କଳାକାର ନିଜ ନିଜର ଚମତ୍କାର ଅଭିନୟ ପାଇଁ ଅଭ୍ୟାସ ଜାରି ରଖିଛନ୍ତି।

ଗୋପପୁରରେ କୃଷ୍ଣ ଭୂମିକାରେ ଅଭିନୟ କରୁଥିବା ସମ୍ରାଟ ମହାପାତ୍ର, ରାଧା ଭୂମିକା ପାଇଁ ବୈଷ୍ଣବୀ ବିର୍ତିଆ ଓ ବଳରାମ ଭୂମିକା ପାଇଁ କିଶନ କୁମାର ବିର୍ତିଆ ସହ ଗୋପୀ, ଗୋପାଳ ଚରିତ୍ରରେ ଅଭିନୟ କରୁଥିବା କୁନି କଳାକାରମାନେ ନିଜ ନିଜ ମଧ୍ୟରେ ଅଭିନୟର ମଧୁର ସମନ୍ଵୟ ପାଇଁ ଚେଷ୍ଟା କରୁଛନ୍ତି। ଅଭିଜ୍ଞ ବ୍ୟକ୍ତିବିଶେଷମାନଙ୍କ ଦ୍ଵାରା ଏହି କୁନି କୁନି କଳାକାରଙ୍କୁ ଶ୍ଳୋକ, ଗୀତ ଓ ଅଭିନୟ ପାଇଁ ପ୍ରସ୍ତୁତ କରାଯାଉଛି। ତେବେ ଗତ ବର୍ଷ କୃଷ୍ଣ, ବଳରାମ ଓ ରାଧା ଭୂମିକାରେ ଅଭିନୟ କରିଥିବା କଳାକାରଙ୍କୁ ପରିବର୍ତ୍ତନ କରାଯାଇନାହିଁ । ତେଣୁ ସେହି କଳାକାରମାନେ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ପୁର୍ନବାର ଅଭିନୟ କରିବେ ।

ଏହା ମଧ୍ୟ ପଢନ୍ତୁ...ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅଭ୍ୟାସ ଆଖଡ଼ା

ତେବେ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ନିଜ ନିଜର ଉତ୍କୃଷ୍ଟ କଳା ପ୍ରଦର୍ଶନ ପାଇଁ ଗୋପପୁରର ଏହି କୁନି ଅଭିନେତାମାନେ ଅଣ୍ଟା ଭିଡି ସାରିଛନ୍ତି। ତେବେ ଗୋପପୁରର ଗୋପୀ ଗୋପାଳ, କୃଷ୍ଣ ବଳରାମ ଓ ରାଧା ଆଦି କଳାକାରଙ୍କ ଆଖଡ଼ାଶାଳର କଠିନ ପରିଶ୍ରମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ ଓ ମନ ମୁଗ୍ଧକର କରିବ ବୋଲି ଅଞ୍ଚଳବାସୀ ଦୃଢ଼ ବିଶ୍ବାସ ରଖିଛନ୍ତି।



ଇଟିଭି ଭାରତ, ବରଗଡ଼

Last Updated :Jan 4, 2024, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.