ETV Bharat / state

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ବରଗଡ, ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ସମଲେଶ୍ଵରୀ

author img

By ETV Bharat Odisha Team

Published : Oct 17, 2023, 10:50 PM IST

ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ସମଲେଶ୍ଵରୀ
ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ସମଲେଶ୍ଵରୀ

ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ଶରତ କାଳୀନ ଷୋଡଶ ଦିନାତ୍ମକ ବେଶ । ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ବରଗଡ ଅଧିଷ୍ଠାତ୍ରୀ ସମଲେଶ୍ଵରୀ । ଅଧିକ ପଢନ୍ତୁ

ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ସମଲେଶ୍ଵରୀ

ବରଗଡ: ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ବରଗଡ ସହର । ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ଶରତ କାଳୀନ ଷୋଡଶ ଦିନାତ୍ମକ ବେଶ । ଏହାକୁ ନେଇ ଆଜି ବରଗଡ ଅଧିଷ୍ଠାତ୍ରୀ ସମଲେଶ୍ଵରୀ ଦେବୀ ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ତଳିପଡାସ୍ଥିତ ସମଲେଶ୍ୱରୀ ମନ୍ଦିରରେ ଆଜି ଆଶ୍ୱିନ ଶୁକ୍ଳ ତୃତୀୟାରେ ମାଆ ସମଲେଶ୍ଵରୀ ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ ସହିତ ତୃତୀୟ ଦିବସ ବିହିତ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଶତାଧିକ ଭକ୍ତ ମା‘ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ । ଗତକାଲି ମାଆ ସମଲେଶ୍ୱରୀ ବ୍ରହ୍ମଚାରିଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଏପରି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବାର ଷୋଡଶ ଦିନାତ୍ମକ ବିଧି ରହିଛି ।

ମହାଳୟା ପରେ ଅକ୍ଟୋବର 15 ତାରିଖରୁ ନବଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି । ମା' ସମଲେଶ୍ଵରୀ ମନ୍ଦିରରେ ମା‘ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ପ୍ରଥମ ଦିନରେ ଦେବୀ ମା’ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଦ୍ଵିତୀୟ ଦିନରେ ବ୍ରହ୍ମଚାରିଣୀ ଓ ଆଜି ଶାରଦୀୟ ଦୂର୍ଗା ପୂଜାର ତୃତୀୟ ଦିନରେ ମାଆ ଚନ୍ଦ୍ରଘଣ୍ଟା ବେଶ ହୋଇଛନ୍ତି । ବରଗଡ଼ ସହରର ମା‘ ସମଲେଶ୍ୱରୀ ମନ୍ଦିରରେ ଅଖଣ୍ଡଦୀପ ପ୍ରଜ୍ବଳନ ସହ ନବଦୁର୍ଗା ପୂଜା ଅନୁଷ୍ଠିତ ହୋଇଯାଇଥିବା ବେଳେ ମଣ୍ଡପ ମାନଙ୍କରେ ମା‘ଙ୍କ ପୂଜା ଅନୁଷ୍ଠିତ ହୋଇଛି । ଭକ୍ତମାନେ ମନ୍ଦିରରେ ମାନସିକକାମନା କରି ଅଖଣ୍ଡ ଦୀପ ସ୍ଥାପନ କରି ମା‘ଙ୍କ ଆଶୀର୍ବାଦ ଲାଭ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ...Durga Puja Special: ଭାଇଚାରା ସହରରେ ପରମ୍ପରାର ଛାପ, ମା’ଙ୍କ ମୂର୍ତ୍ତିରେ ବ୍ୟବହାର ହୁଏନି ରାସାୟନିକ ରଙ୍ଗ

ପ୍ରାତଃ କାଳରୁ ମନ୍ଦିରରେ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଭକ୍ତଙ୍କ ଅସମ୍ଭାଳ ଭିଡକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେପରି ଟ୍ରାଫିକ ସମସ୍ୟା ନହେବ ସେନେଇ ବିଶେଷ ଗୁରୁତ୍ଵ ଦିଆଯାଇଛି । ଆସନ୍ତା ଦଶମୀ 24 ତାରିଖ ପର୍ଯ୍ୟନ୍ତ ଦେବୀ ମା‘ 10 ଗୋଟି ଭିନ୍ନ ଭିନ୍ନ ରୂପରେ ପ୍ରତିଦିନ ପୂଜା ପାଇବେ ଏବଂ ଭକ୍ତମାନଙ୍କୁ ଦର୍ଶନ ଦେବେ । ତେବେ ଆସନ୍ତାକାଲି(ବୁଧବାର) ମାଆ କୁଷ୍ମାଣ୍ଡା ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ । ଶାରଦୀୟ ପୂଜାର ଶେଷ ଦିନ ଦଶମୀ ଦିନରେ ଦେବୀ ମାଁ ଅନ୍ନପୁର୍ଣ୍ଣା ବେଶରେ ପୂଜା ପାଇବା ସହ ନବରାତ୍ର ପୂଜାର ସମାପ୍ତ ହେବ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.