ETV Bharat / state

ଚର୍ଚ୍ଚାରେ ମହିଳା ଚାଷୀ ରାମବାଇଙ୍କ ଝିଅ ବାହାଘର; ଶସ୍ୟରେ ସଜ୍ଜା ହେଲା ବେଦୀ

author img

By ETV Bharat Odisha Team

Published : Dec 10, 2023, 10:54 AM IST

Updated : Dec 10, 2023, 9:29 PM IST

ଝିଅ ବାହା କଲେ ମହିଳା ଚାଷୀ ରାମବାଇ
ଝିଅ ବାହା କଲେ ମହିଳା ଚାଷୀ ରାମବାଇ

Lady Farmer Rambai's Daughter's Marriage: ମହିଳା ଚାଷୀ ଭାବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଦିଲ୍ଲୀରେ ସମ୍ମାନିତ ହୋଇଥିବା ରାମବାଇଙ୍କ ଝିଅ ବାହାଘର । ଶସ୍ୟରେ ସୁସଜ୍ଜିତ ହେଲା ବିବାହ ବେଦୀ । ଆଗକୁ ପଢନ୍ତୁ

ଝିଅ ବାହା କଲେ ମହିଳା ଚାଷୀ ରାମବାଇ

ବରଗଡ: ପ୍ରଧାନମନ୍ତ୍ରୀଙ୍କ ଠାରୁ ଦିଲ୍ଲୀରେ ସମ୍ମାନିତ ହୋଇଥିବା ଚର୍ଚ୍ଚିତ ମହିଳା ଚାଷୀ ରାମବାଇଙ୍କ ଘରେ ନିଆରା ଢଙ୍ଗରେ ସମାପନ ହେଲା ଝିଅ ବାହାଘର । ସମାଜରେ ମହିଳାଙ୍କ ପାଇଁ ପ୍ରେରଣା ସାଜିଥିବା ବରଗଡ ବ୍ଲକ ଜମୁର୍ଡା ଗ୍ରାମର ରାମବାଇ ଶନିବାର ଦିନ ନିଜର ଏକମାତ୍ର ଝିଅ ପୁଷ୍ପାଞ୍ଜଳିର ବିବାହ ନିଆରା ଢଙ୍ଗରେ କରି ପୁଣି ଚର୍ଚ୍ଚାରେ ଆସିଛନ୍ତି । ଜୈବିକ ଚାଷ ଜମି ଭିତରେ ତାଙ୍କ ଝିଅର ବିବାହ ମଣ୍ଡପ ସଜ୍ଜା ହୋଇଥିଲା । ବାଜରା ଓ ମାଣ୍ଡିଆ ଆଦି ମିଲେଟ ଜାତୀୟ ଶସ୍ୟରେ ସୁସଜ୍ଜିତ ହୋଇଥିଲା ବିବାହ ବେଦୀ । ଏହି ମିଲେଟ ବେଦୀରେ ବୈଦିକ ରୀତିରେ ନିଆରା ଢଙ୍ଗରେ ସେ ନିଜ ଝିଅ ବାହାଘର କରିଥିଲେ | ଏପରିକି ଜୈବିକ ପଦ୍ଧତିରେ ଚାଷ ହୋଇଥିବା ପନିପରିବାରେ ବିବାହ ଭୋଜି ରନ୍ଧା ଯାଇଥିଲା ।

ବେଙ୍ଗାଲୁରୁର ଜୁହାର ପରିବାର ଓ ଏହାର ସମ୍ବଲପୁର ଶାଖା ରାମବାଇଙ୍କ ଝିଅର ବିବାହ ଉତ୍ସବ ଆୟୋଜନ କରିଥିଲେ l ଏହି ବିବାହ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଓ ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ l ତେବେ ଶସ୍ୟରେ ସଜ୍ଜିତ ରାମବାଇଙ୍କ ଝିଅର ବିବାହ ଦେବୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ଏହା ମଧ୍ୟ ପଢନ୍ତୁ: ଜୀବନ ଯୁଦ୍ଧର ଶ୍ରେଷ୍ଠ ଯୋଦ୍ଧା, ସଫଳ ମହିଳା ଚାଷୀ ରାମବାଇ

ରାମବାଇଙ୍କୁ ନିଜର କଷ୍ଟ ଉପାର୍ଜିତ ପନିପରିବା ବିକ୍ରି କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ ସେ କେବେ ହାର ମାନି ନଥିଲେ । ଅନେକ ଝଡ଼ ଝଞ୍ଜା ସହିତ ଲଢ଼ି ରୋଜଗାର କରି ପରିବାରର ପ୍ରତିପୋଷଣ କରୁଥିଲେ l କ୍ଷତି ସହ୍ୟକରି ନପାରି ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ରାମବାଇ ଧର୍ଯ୍ୟହରା ନହୋଇ ସଫଳ ମହିଳା ଚାଷୀ ଭାବେ ସାରା ରାଜ୍ୟ ତଥା ଦେଶରେ ଚର୍ଚ୍ଚିତ ହୋଇପାରିଛନ୍ତି l ନିଜେ ପାଠ ପଢି ନଥିଲେ ମଧ୍ୟ ଝିଅକୁ ଉଚ୍ଚ ଶିକ୍ଷିତ କରାଇଛନ୍ତି । ତାଙ୍କ ଝିଅ ନର୍ସିଂ ଟ୍ରେନିଂ ପରେ ହସ୍ପିଟାଲରେ ନର୍ସ ଭାବେ ଚାକିରି କରି ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି । ଦୃଢ଼ ଆତ୍ମବିଶ୍ବାସ ଓ ପରିଶ୍ରମ ବଳରେ ରାମବାଇ ଆଜି ଯାହା କରିଛନ୍ତି, ତାହା ସମାଜର ଅନ୍ୟ ଚାଷୀମାନଙ୍କ ପାଇଁ ଉଦାହରଣ l ସଫଳ ମହିଳା ଚାଷୀ ଭାବେ ରାମବାଇ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିଥିଲେ l

ନିଆରା ଢ଼ଙ୍ଗରେ ବିବାହ ବେଦୀ ସାଜସଜ୍ଜା କରି ଚର୍ଚ୍ଚାରେ ଅଛନ୍ତି ରାମବାଇ ଦାସ । ତେବେ ରାମବାଇ ଚାଷ କାମ କରି ପରିବାର ପରିପୋଷଣ କରିବା ସହିତ ଝିଅକୁ ଉଚ୍ଚ ଶିକ୍ଷିତ କରି ଉଭୟ ବାପା ଓ ମାଆର କର୍ତ୍ତବ୍ୟ ପାଳନ କରିଛନ୍ତି । ଗରୀବ ପରିବାରରେ ଜନ୍ମ ହୋଇଥିବା ରାମବାଇ ପିଲା ଦିନରୁ ସଂଘର୍ଷମୟ ଜୀବନ ଯାପନ କରିଥିଲେ । ତାଙ୍କ ବୈବାହିକ ଜୀବନ ମଧ୍ୟ ଥିଲା ଦୁଃଖମୟ । ସ୍ୱାମୀଙ୍କୁ ଖୁବ କମ ବୟସରେ ହରାଇଥିଲେ ରାମବାଇ । ରାମବାଇଙ୍କ ଉପରେ ଏକ ମାତ୍ର ଝିଅ ଓ ବୁଢ଼ୀ ମାଆ ସହିତ ପରିବାର ପୋଷଣର ଦାୟିତ୍ୱ ଥିଲା l ନିଜସ୍ୱ କିଛି ସମ୍ପତ୍ତି ନଥିବାରୁ ଅନ୍ୟମାନଙ୍କ ଜମିରେ ଭାଗ ଚାଷ କାମ କରି ପରିବାର ଚଳାଉଥିଲେ l

ଇଟିଭି ଭାରତ, ବରଗଡ

Last Updated :Dec 10, 2023, 9:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.