ETV Bharat / state

Bargarh Triple Murder: ଆତ୍ମହତ୍ୟା ଜନିତ ମୃତ୍ୟୁ ନୁହେଁ ଟ୍ରିପଲ ମର୍ଡର, ସୁରାକ ଦେଲା ଅନୁସନ୍ଧାନୀ କୁକୁର

author img

By

Published : Apr 19, 2023, 12:48 PM IST

Bargarh Triple Murder
Bargarh Triple Murder

ବରଗଡରେ ବନ୍ଦ ଘର ଭିତରୁ ସ୍ବାମୀ ଓ ଦୁଇ ସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଘଟଣା । ଘରକୁ ଲାଗିଥିବା କେନାଲରୁ ମିଳିଲା ଧାରୁଆ ଅସ୍ତ୍ର । ଆତ୍ମହତ୍ୟା ଜନିତ ମୃତ୍ୟୁ ନୁହେଁ ଟ୍ରିପଲ ମର୍ଡର ବୋଲି ସନ୍ଦେହ କରୁଛି ପୋଲିସ । ଅଧିକ ପଢନ୍ତୁ

ବରଗଡ: ବନ୍ଦ ଘର ଭିତରୁ ୩ ଜଣଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ବଡ ସୁରାକ୍ ମିଳିଛି । ଯାହା ଆତ୍ମହତ୍ୟା ଜନିତ ମୃତ୍ୟୁ ନୁହେଁ ବରଂ ଟ୍ରିପଲ ମର୍ଡର ବୋଲି ଏକପ୍ରକାର ସ୍ପଷ୍ଟ କରୁଛି । ସନ୍ଧାନୀ କୁକୁର ସହାୟତାରେ ମୃତକଙ୍କ ଘରକୁ ଲାଗିଥିବା କେନାଲ ମଧ୍ୟରୁ ଗୋଟିଏ ଧାରୁଆ ଅସ୍ତ୍ର ମିଳିଛି । ସମସ୍ତ ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାବେଳେ ଏହି ମାରଣାସ୍ତ୍ର ସାହାଯ୍ୟରେ ସେମାନଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସେହିପରି ମୃତଦେହ ଉଦ୍ଧାର ସମୟରେ ଘରର ବାହାର ପଟ କବାଟ ବନ୍ଦ ରହିଥିବା ବେଳେ ଘର ପଛପଟେ କେନାଲକୁ ଲାଗି ରହିଥିବା କବାଟ ଖୋଲା ରହିଥିଲା । ସନ୍ଧାନୀ କୁକୁର ମଧ୍ୟ କେନାଲ ଭିତରକୁ ଯାଇଥିଲା । ଏହିସବୁ ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଏକ ବୀଭତ୍ସ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି ।

ହେଲେ ଏହି ଟ୍ରିପଲ ମର୍ଡର ପଛର କାରଣ କ'ଣ ? କିଏ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଥାଇପାରେ ? ସମ୍ପତ୍ତି ଲୋଭରେ ହତ୍ୟା କରାଯାଇଛି କି ? ଦୁଇ ମହିଳାଙ୍କ ବେକରେ ସୁନା ମାଳି ରହିଥିଲେ ମଧ୍ୟ ହତ୍ୟାକାରୀ ସୁନା ନନେଇ ଚାଲିଯିବା ଲୁଟ ଓ ଡ଼କାୟତି ଘଟଣା ନୁହେଁ ସ୍ପଷ୍ଟ କରୁଥିବାବେଳେ ହତ୍ୟାର କାରଣ କ'ଣ ହୋଇପାରେ ? ଏପରି ଅନେକ ଅସମାହିତ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବାବେଳେ ପୋଲିସ ବିଭିନ୍ନ ଦିଗରେ ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ, ଗତକାଲି ବରଗଡ ଜିଲ୍ଲା ଭେଡେନ ଥାନା ଆଖିଫୁଟା ଗାଁରେ ଗୋଟିଏ ଘର ଭିତରେ ସ୍ବାମୀ ଓ ତାଙ୍କର ଦୁଇ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତକ ସେହି ଗ୍ରାମର ଟଙ୍କଧର ସାହୁ ଏବଂ ତାଙ୍କର ଦୁଇ ପତ୍ନୀ ମାଧବୀ ଓ ଦୌପତି ସାହୁ । ଗତକାଲି ଟଙ୍କଧରଙ୍କ ଘର କାମ କରିବାକୁ ଆସିଥିବା ଚାକର କବାଟ ପିଟିଲା ପରେ କେହି କବାଟ ଖୋଲିନଥିଲେ । ମନରେ ସନ୍ଦେହ ହେବାରୁ ଚାକର ଜଣକ ଝରକା ପଟୁ ଘର ଭିତରକୁ ଚାହିଁବା ବେଳକୁ ଧାର ଧାର ରକ୍ତ ବୋହୁଥିବାର ତା' ନଜରରେ ପଡିଥିଲା । ଏନେଇ ଗ୍ରାମବାସୀ ଭେଡେନ ଥାନାକୁ ଖବର ଦେଇଥିଲେ । ପୋଲିସ ସହିତ ଡଗ୍ ସ୍କ୍ବାର୍ଡ ଓ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳରେ ଛାନଭିନ କରିଥିଲେ ।

୬୦ ବର୍ଷୀୟ ଟଙ୍କଧରଙ୍କ ପ୍ରଥମ ପତ୍ନୀଙ୍କ କୌଣସି ସନ୍ତାନ ନହେବାରୁ ସେ ଦ୍ବିତୀୟ ବିବାହ କରିଥିଲେ । ଉଭୟ ପତ୍ନୀଙ୍କ ସହିତ ସେ ଗୋଟିଏ ଘରେ ରହୁଥିଲେ । ଟଙ୍କଧର ଦୁଇଟି ବିବାହ କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ନଥିଲେ । ହେଲେ ତାଙ୍କର ଅମାପ ସମ୍ପତ୍ତି ରହିଥିଲା । ଏପରି ପରିସ୍ଥିତିରେ ନିଃସନ୍ତାନ ଟଙ୍କଧରଙ୍କ ପରିବାରକୁ ସମ୍ପତ୍ତି ଆଶାରେ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.