ETV Bharat / state

ଚାଷୀଙ୍କ ସମସ୍ୟା ଦୂର ପାଇଁ କଂଗ୍ରେସ କମିଟିର ଦାବି, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

author img

By

Published : Aug 5, 2023, 8:30 PM IST

ଚାଷୀଙ୍କ ସମସ୍ୟା ଦୂର ପାଇଁ ଦାବି
ଚାଷୀଙ୍କ ସମସ୍ୟା ଦୂର ପାଇଁ ଦାବି

ଚାଷୀଙ୍କ ସମସ୍ୟା ଦୂର ପାଇଁ ଦାବି କଲା ଓଡିଶା ପ୍ରଦେଶ କିଷାନ କଂଗ୍ରେସ କମିଟି। କୃଷକମାନଙ୍କ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକ ପଢନ୍ତୁ

ଚାଷୀଙ୍କ ସମସ୍ୟା ଦୂର ପାଇଁ ଦାବି

ବାଲେଶ୍ବର: ଜିଲ୍ଲା କିଷାନ କଂଗ୍ରେସ କମିଟି ପକ୍ଷରୁ କୃଷକମାନଙ୍କ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡିଶା ପ୍ରଦେଶ କିଷାନ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅରୁଣ ଜେନା କହିଛନ୍ତି, "ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଆସିବା ଏବଂ ଗତ ଜୁଲାଇ ୧୫ ତାରିଖଠାରୁ ୪ଟି ଲଘୁଚାପ ଫଳରେ ଚାଷକାର୍ଯ୍ୟ ଧିମେଇ ଚାଲିଛି। ଯେଉଁ ଚାଷୀମାନେ ବିହନ ପକାଇଥିଲେ ତାହା ବର୍ଷା ଅଭାବ ଯୋଗୁଁ ଅନେକ ପରିମାଣରେ ନଷ୍ଟ ହୋଇଯାଇଛି। ଏମିତିକି ବହୁ ସ୍ଥାନରେ ବନ୍ୟା ଯୋଗୁଁ ତଳି ମଧ୍ୟ ପଚିଯାଇଛି। ଏବେ ଚାଷୀଙ୍କ ପାଖରେ ବିହନ ଏବଂ ଆବଶ୍ୟକ ପରିମାଣର ତଳିନାହିଁ। କୃଷି କାର୍ଯ୍ୟ ଠିକ ସମୟରେ ଉନ୍ନତ ବିହନ, ସାର, କୀଟନାଶକ ଔଷଧ, କୃଷିଋଣ, ଫସଲ ବୀମା, ଜଳସେଚନ, କୃଷି ଯନ୍ତ୍ରପାତି, ବୈଷୟିକ ତାଲିମ ଏକାନ୍ତ ଆବଶ୍ୟକ। କିନ୍ତୁ ଜିଲ୍ଲାର ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପରିମାଣର ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ।"

ଏଥିପାଇଁ ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ଉନ୍ନତ ବିହନ ଓ ତଳି ଶତକଡ଼ା ୭୫ ଭାଗ ରିହାତିରେ ଯୋଗାଇ ଦିଆଯିବା ନେଇ ଦାବି କରିଛି ପ୍ରଦେଶ କିଷାନ କଂଗ୍ରେସ । ଏହାସହ "ବର୍ଷା ଅଭାବ ଓ ବନ୍ୟାପାଣିରେ ନଷ୍ଟ ହୋଇଯାଇଥିବା ତଳି ଯୋଗୁଁ ନୀଳଗିରି, ଖଇରା, ରେମୁଣା, ଔପଦା, ଜଳେଶ୍ଵର,ବାଲିଆପାଳ, ସୋର, ବାହାନଗା, ସିମୁଳିଆ, ସଦର ବ୍ଲକର ଚାଷୀମାନଙ୍କୁ ଇନପୁଟ ସବସିଡି କ୍ଷତିପୂରଣ ଦିଆଯାଉ। ଚାଷୀଙ୍କୁ ଆବଶ୍ୟକ ଥିବା ବିଭିନ୍ନ ସାର ଠିକ ସମୟରେ ଓ ଠିକ ମୂଲ୍ୟରେ ଯୋଗାଇ ଦେବା ସହିତ ବିଭିନ୍ନ ଯାଗାରେ ଉପୁଜୁଥିବା ସାର କଳାବଜାରୀକୁ ରୋକାଯାଉ। ପ୍ରଧାନମନ୍ତ୍ରୀ ଫସଲବୀମା ଅବଧି ଚଳିତମାସ ୫ ତାରିଖ ପରିବର୍ତ୍ତେ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ସମୟସୀମା ଚଳିତ ଅଗଷ୍ଟ ୧୫ ତାରିଖ ପରିବର୍ତ୍ତେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ପ୍ରତି ଗ୍ରାମ ପଞ୍ଚାୟତ ପରିବର୍ତ୍ତେ ପ୍ରତି ରାଜସ୍ଵ ଗ୍ରାମକୁ ଏକକ ଫସଲବୀମା ୟୁନିଟ ଭାବେ ଗ୍ରହଣ ଓ ପ୍ରଚଳିତ ରିଲିଫ କୋର୍ଡ଼ର ସଂଶୋଧନ କରାଯାଉ" ବୋଲି ଓଡିଶା ପ୍ରଦେଶ କିଷାନ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି।

ସେହିପରି ଓଡିଶା ପ୍ରଦେଶ କିଷାନ କଂଗ୍ରେସ କମିଟି ଦାବି କରିଛି, "ଚାଷକାର୍ଯ୍ୟ ପାଇଁ ଜଳସେଚନକୁ ସୁନିଶ୍ଚିତ କରିବା ସହ ଅଚଳ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକର ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ । ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯାଉ। ବିଜୁଳି ସୁବିଧା ନଥିବା ସ୍ଥାନରେ ସୋଲାର ବ୍ୟବସ୍ଥା କରାଯାଉ। ଭାଗ ଚାଷୀମାନଙ୍କୁ ସଠିକ ଭାବରେ ଚିହ୍ନଟ କରାଯାଇ ସେମାନଙ୍କୁ ବିଭିନ୍ନ ରିହାତି ସହାୟତା ଓ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ। ପ୍ରତି ବ୍ଲକ ସ୍ତରରେ ପନିପରିବା ଓ ଫଳ ଫୁଲ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର, ପ୍ରତି ପଞ୍ଚାୟତ ସ୍ତରରେ ଗୋଦାମ ଘର ନିର୍ମାଣ ଓ ଜିଲ୍ଲା ସ୍ତରରେ ପୂର୍ବପରି ଧାନ ସଂଗ୍ରହ କମିଟି ଗଠନ ଏବଂ ଆବଶ୍ୟକ ସଂଖ୍ୟକ ସଶକ୍ତ ମଣ୍ଡି ସ୍ଥାପନ କରାଯାଉ। ଜିଲ୍ଲାର ସମସ୍ତ ଚାଷୀଙ୍କୁ କାଳିଆ ଓ ପି.ଏମ କିଷାନ ନିଧି ସମ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ।"


ଏହା ବି ପଢନ୍ତୁ...ଖରିଫ ଋତୁରେ ଚାଷୀଙ୍କୁ ସମସ୍ତ ସହଯୋଗ କରନ୍ତୁ ସରକାର: କିଷାନ କଂଗ୍ରେସ

ପ୍ରତି ସପ୍ତାହରେ ପ୍ରତି ଗ୍ରାମପଞ୍ଚାୟତ ସ୍ତରରେ କୃଷି ଓ କୃଷକ ସମସ୍ୟା ଏବଂ ଏହାର ଆଶୁ ସମାଧାନ ପାଇଁ କୃଷି ଓ ତତ୍ସଲଗ୍ନ କୃଷିକର୍ମଚାରୀଙ୍କୁ ନେଇ ସମୀକ୍ଷା ବୈଠକ ଓ ଚାଷୀ ଅଭିଯୋଗ ଶୁଣାଣି କରାଯିବା ନେଇ ଦାବି ହୋଇଛି। ଏହାସହ ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ, ଜଳକା, ସୋନ, ଗଙ୍ଗାହାର, ସୁବର୍ଣ୍ଣରେଖା ଓ କାଂଶବାଂଶ ନଦୀରେ ଆବଶ୍ୟକ ଓ ଉପଯୁକ୍ତ ସ୍ଥାନରେ ବ୍ୟାରେଜମାନ ନିର୍ମାଣ କରାଯାଇ କେନାଲ୍ ଦ୍ୱାରା ଚାଷଜମିକୁ ବ୍ୟାପକ ଜଳସେଚନର ସୁବନ୍ଦୋବସ୍ତ କରାଯିବା ପାଇଁ ଦାବି କରାଯାଇଛି । ଏମିତି ଅଭିଯୋଗ ଓ ଦାବି ନେଇ କିଷାନ କଂଗ୍ରେସ କମିଟି ବିକ୍ଷୋଭ କରିଥିବାବେଳେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.