ETV Bharat / state

ବାଲେଶ୍ବରରେ ବଢୁଛି ବେଆଇନ ବାଲି ଉତ୍ତୋଳନ, ପ୍ରଶାସନର ଢିଲା କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ

author img

By ETV Bharat Odisha Team

Published : Jan 17, 2024, 11:09 PM IST

ବେଆଇନ ବାଲି ଉତ୍ତୋଳନ
ବେଆଇନ ବାଲି ଉତ୍ତୋଳନ

Illegal Sand Mining: କିଛି ଦିନର ବ୍ୟବଧାନ ପରେ ନଈକୂଳିଆ ଅଞ୍ଚଳରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଛି । ବାଲି ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

ବେଆଇନ ବାଲି ଉତ୍ତୋଳନ

ବାଲେଶ୍ୱର: ପୁଣି ବେଆଇନ ବାଲି ଉତ୍ତୋଳନ ଅଭିଯୋଗ । କିଛି ଦିନର ବ୍ୟବଧାନ ପରେ ନଈକୂଳିଆ ଅଞ୍ଚଳରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଛି । ବାଲି ମାଫିଆ ମାନେ ବେଆଇନ ଭାବେ ବାଲି ଉତ୍ତୋଳନ କରି ମାଲାମାଲ ହେଉଥିବାବେଳେ ରାଜସ୍ୱ ହାନି ଏବଂ ପରିବେଶ ଉପରେ ଏହାର ପ୍ରଭାବ ପଡୁଛି। ଅନ୍ୟପଟେ ପ୍ରଶାସନ ପକ୍ଷରୁ ଚଢ଼ାଉ କରି ବେଆଇନ ବାଲି ଉତ୍ତୋଳନ ଉପରେ ରୋକ ଲଗାଇବା ପାଇଁ ଚେଷ୍ଟା କରାଯାଉଛି । ହେଲେ ବାଲି ମାଫିଆମାନେ ନିର୍ଭୟରେ ବାଲି ଉତ୍ତୋଳନ ଜାରି ରଖିଛନ୍ତି ।

ସଚନା ଅନୁସାରେ, ଗତ ବର୍ଷ ଫେବ୍ରୁଆରୀ ମାସରେ ବେଆଇନ ବାଲି ଚୋରାଚାଲାଣରେ ରୋକ୍ ଲଗାଇବା ସହ ପରିବେଶ ପ୍ରଦୂଷଣରେ ସନ୍ତୁଳନ ପାଇଁ ଆରମ୍ଭ ହୋଇଥିବା ଅପରେସନ "ସ୍ୟାଣ୍ଡ ଷ୍ଟର୍ମ " ଏବେ ସାମାନ୍ୟ ଶିଥିଳ ହେଲା ଭଳି ମନେ ହେଉଛି। ଆବଶ୍ୟକମାତ୍ରାରେ ଚଢାଉ କରାଯାଉନଥିବା ଅଭିଯୋଗ ହୋଇଛି । ରେମୁଣା, ନୀଳଗିରି, ବାଲିଆପାଳ ଆଦି ଅଞ୍ଚଳରୁ ବାଲି ଚାଲାଣ ହେଉଥିବାବେଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ଟ୍ରାକ୍ଟର, ଜେସିବି ଆଦି ଜବତ କରାଯାଉଥିବାବେଳେ ଏହାକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି ।

ନାଲି ଇଟା ପାଇଁ ନଈ ବାଲି ବେଶ ଉପଯୋଗୀ ହେଉଥିବାବେଳେ ପ୍ରବଳ ମାତ୍ରାରେ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଓଡିଶା ମାଇନର ମିନେରାଲ ବିଭାଗ ଏହି ସବୁ ଦାୟିତ୍ବ ହାତକୁ ନେଇଥିବାବେଳେ ପରିବେଶ ପ୍ରଦୂଷଣ ନହେବା ନେଇ ଏକ ଇସି (Environmental Clearance) ପ୍ରଦାନ କରାଯାଇଥାଏ। ଯେଉଁମାନେ ବାଲି ଖାଦାନ ନିଲାମରେ ନିଅନ୍ତି ସେମାନଙ୍କୁ ଇସି ନ ମିଳିବା ଯାଏଁ ସେମାନେ ବାଲି ଉତ୍ତୋଳନ କରି ପାରିବେ ନାହିଁ ବୋଲି ନିୟମ ରହିଛି। ବାଲେଶ୍ଵର ଜିଲ୍ଲାର ଏମିତି ଅନେକ ବାଲି ଖାଦାନ ନିଲାମ ଡ଼କାଯାଇଥିବା ବେଳେ ସେମାନଙ୍କୁ ଇସି ମିଳି ନଥିବାରୁ ସେସବୁ ଖାଦାନ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଅନ୍ୟପଟେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଖାଦାନ ନିଲାମ ନେଇଥିବା ଲୋକମାନେ ବେଆଇନ ବାଲି ଉତ୍ତୋଳନ ଯୋଗୁଁ କ୍ଷତି ସହୁଥିବା କୁହାଯାଉଛି।

ଏହା ମଧ୍ୟ ପଢନ୍ତୁ...ଖୋର୍ଦ୍ଧାରେ ମାଇନିଂ ଅଫିସରଙ୍କୁ ଆକ୍ରମଣ, ଦୁଇ ଅଟକ

ବାଲେଶ୍ୱରରେ ପ୍ରବାହିତ ବୁଢ଼ାବଳଙ୍ଗ, ସୋନ ଏବଂ ସୁବର୍ଣ୍ଣରେଖା ନଦୀ କୂଳରୁ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହୋଇଛି । ସେହିପରି ରେମୁଣାରେ ଥିବା କାଠସଙ୍ଗଡ଼ା ଗାଁ ନଦୀରୁ ବାଲି ଖନନ ଯୋଗୁଁ ଗାଁ ନଦୀ ଗର୍ଭରେ ମିଶିବାକୁ ବସିଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟଲୋକେ। ସେହିପରି ସ୍ଥାନୀୟ ବୁଢ଼ାବଳଙ୍ଗ ନଦୀ ପଠାରୁ ବେଧଡକ ମାଟି ଓ ବାଲି ଖନନ ଦ୍ଵାରା ନଦୀ ବନ୍ଧ ଦୁର୍ବଳ ହେବା ସହ ବାରମ୍ବାର ନଦୀ ତାର ଗତିପଥ ବଦଳାଇ ଚାଲିଛି । ଫଳରେ ବହୁ ଲୋକଙ୍କ ଚାଷ ଜମି ନଦୀ ଗର୍ଭରେ ଲୀନ ହେବାରେ ବସିଛି । ଫୁଲାଡ଼ି, ଦହପଡ଼ା, କଣ୍ଟାବଣିଆ, ନିଜାମପୁର, କଲ୍ୟାଣପୁର, ସାହୁପଡ଼ା, ହଳଦୀପଦା ସମେତ ବସ୍ତା, ଜଳେଶ୍ବର ଅଞ୍ଚଳରେ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କହିଛନ୍ତି ," ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି । ଇସି ମିଳିବା ପରେ ନିଲାମ ହୋଇଥିବା ଖାଦାନରୁ ବାଲି ଉତ୍ତୋଳନ କରାଯିବ। ବେଆଇନ ବାଲି ଉତ୍ତୋଳନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.