ETV Bharat / state

Road Accident: ବାଇକକୁ ଧକ୍କା ଦେଇ 1କିମି ଘୋଷାଡି ନେଲା ବସ, ବାପା ଓ 2 ଝିଅ ମୃତ

author img

By

Published : May 9, 2023, 6:28 PM IST

Updated : May 9, 2023, 6:54 PM IST

Balangir Khordha NH 57 Road accident
Balangir Khordha NH 57 Road accident

ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାପା ସମେତ ୨ ଝିଅଙ୍କ ମୃତ୍ୟୁ ନେଇ ସୂଚନା । ଅଧିକ ପଢନ୍ତୁ

Road Accident: ବାଇକକୁ ଧକ୍କା ଦେଇ 1କିମି ଘୋଷାଡି ନେଲା ବସ, ବାପା ଓ 2 ଝିଅ ମୃତ

ବଲାଙ୍ଗୀର: ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଘରୋଇ ବସ ବାଇକକୁ ଧକ୍କା ଦେବା ଫଳରେ ବାପା ଓ ୨ ଝିଅଙ୍କର ମୃତ୍ୟୁ ଘଟିଛି । ବାଇକକୁ ବସ ଧକ୍କା ଦେବା ପରେ ପ୍ରାୟ ୧କିମି ଘୋଷାଡ଼ି ନେଇଥିବା ମଧ୍ୟ ଜଣାପଡ଼ିଛି । ସେପଟେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଥିବା ବେଳେ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ବଲାଙ୍ଗୀର ଖୋର୍ଦ୍ଧା 5୭ ନଂ ଜାତୀୟ ରାଜପଥ ଗଇଁନ୍ତଲା ଗାଁ ଛକଠାରେ ଆଜି ସକାଳୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତେବେ ପୁଇନ୍ତାଲା ବ୍ଲକ ବ୍ରାହ୍ମଣୀ ପାଲି ଗ୍ରାମର ବାପା ଓ ତାଙ୍କ ଦୁଇ ଝିଅ ପୁଇନ୍ତାଲା ତହସିଲ କାର୍ଯ୍ୟାଳୟକୁ ଆଧାର କାର୍ଡ କାମ ପାଇଁ ଏକ ବାଇକରେ ଆସୁଥିଲେ ଏବଂ ଗାଇନ୍ତଲା ଛକଠାରେ ସୋନପୁର ପଟୁ ଆସୁଥିବା ଘରୋଇ ଗଣପତି ବସ ତାଙ୍କ ବାଇକକୁ ପଛ ପଟରୁ ଧକ୍କା ଦେଇଥିଲା । ଫଳରେ ସାନ ଝିଅ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ବାପା ଓ ବଡ଼ ଭଉଣୀ ଗୁରୁତର ଆହତ ହୋଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଏହି ୨ଜଣଙ୍କର ମୃତ୍ୟୁ ଘଟିଛି ।

ଏହା ବି ପଢନ୍ତୁ- ଜନ୍ମମାଟିରେ ପହଞ୍ଚିଲା ଶହୀଦ ଯବାନ ତୁଷାରକାନ୍ତଙ୍କ ପାର୍ଥିବ ଶରୀର

ମୃତ ସାନ ଝିଅ ପରିଚୟ ରେଖା ପାଣ୍ଡେ(୧୪), ବଡ ଝିଅ ଶିଖା ପାଣ୍ଡେ(୧୭) ଓ ବାପା ବୀଣାପାଣି ପାଣ୍ଡେ(୪୮) ବୋଲି ଜଣାପଡିଛି । ପ୍ରଥମେ ବାପା ଓ ବଡ଼ ଝିଅଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ପରେ ସେମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା । ସେପଟେ ଧକ୍କା ଦେଇଥିବା ଗଣପତି ବସକୁ ପୁଇଁନ୍ତଲା ଥାନା ପୋଲିସ ଜବତ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅବରୋଧ କରାଯାଇଛି । ଯାହାଫଳରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ତେବେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ଛାନଭିନ କରିବା ସହିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ମୃତକଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ ଆଜି ତାଙ୍କ ଭାଇ ଓ ଦୁଇ ଝିଅ ଆଧାର କାର୍ଡ ତିଆରି ପାଇଁ ପୁଇନ୍ତଲା ତହସିଲକୁ ବାହାରିଥିଲେ। ଗଇନ୍ତଲା ଛକଠାରେ ଗଣପତି ବସ ଧକ୍କା ଦେଇଥିଲା । ଫଳରେ ସାନ ଝିଅର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବଡ଼ ଝିଅ ଓ ତାଙ୍କ ଭାଇ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଛି ।

ମୃତକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସେ ଦାବି କରିଛନ୍ତି । ସେପଟେ ଏହି ଘଟଣା ପରେ ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି, "ଗଣପତି ବସ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଲୋକଙ୍କ ଦାବି ଅନୁସାରେ ଯଥାସମ୍ଭବ କ୍ଷତିପୂରଣ ଦେବାକୁ ପ୍ରଚେଷ୍ଟା କରାଯାଉଛି ।"

ଇଟିଭି ଭାରତ, ବଲାଙ୍ଗୀର

Last Updated :May 9, 2023, 6:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.