ETV Bharat / state

ସରପଞ୍ଚଙ୍କୁ ଏସଡିଓଙ୍କ ଆକ୍ରମଣ ଘଟଣା: ଉଭୟ ଗିରଫ

author img

By ETV Bharat Odisha Team

Published : Dec 28, 2023, 10:54 AM IST

ସରପଞ୍ଚଙ୍କୁ ଏସଡିଓଙ୍କ ଆକ୍ରମଣ ଘଟଣା : "ନିଜ ଜୀବନକୁ ବଞ୍ଚାଇବା ପାଇଁ ଏଭଳି କରିଛି"
ସରପଞ୍ଚଙ୍କୁ ଏସଡିଓଙ୍କ ଆକ୍ରମଣ ଘଟଣା : "ନିଜ ଜୀବନକୁ ବଞ୍ଚାଇବା ପାଇଁ ଏଭଳି କରିଛି"

Sarpanch Attacked by PWD SDO: ସରପଞ୍ଚଙ୍କୁ ପିଡବ୍ଲୁଡି ଏସ୍‌ଡିଓଙ୍କ ମରଣାନ୍ତକ ଆକ୍ରମଣ ଘଟଣା ।ଉଭୟଙ୍କୁ ଗିରଫ କରିଛି ପୋଲିସ । ହରିଶଙ୍କର ଠାରେ ଚାଲିଥିବା ୫ଟି ଉନ୍ନୟନ କାମକୁ ନେଇ ପ୍ରତିବାଦ କରିଥିଲେ ସରପଞ୍ଚ । ଉକ୍ତ ଅଧିକାରୀ ଜଣକ କହିଛନ୍ତି ନିଜ ଜୀବନକୁ ବଞ୍ଚାଇବା ପାଇଁ ଏଭଳି କରିଛି । ଅଧିକ ପଢ଼ନ୍ତୁ

ସରପଞ୍ଚଙ୍କୁ ଏସଡିଓଙ୍କ ଆକ୍ରମଣ ଘଟଣା : "ନିଜ ଜୀବନକୁ ବଞ୍ଚାଇବା ପାଇଁ ଏଭଳି କରିଛି"

ବଲାଙ୍ଗୀର: ବଲାଙ୍ଗୀରରେ ଏସଡ଼ିଓ ଓ ସରପଞ୍ଚଙ୍କ ମଧ୍ୟରେ ଝଗଡ଼ା ଘଟଣା ସବୁଠି ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ସେପଟେ ସରପଞ୍ଚ ଓ ସମ୍ପୃକ୍ତ ସରକାରୀ ଅଧିକାରୀ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଆଣିଛନ୍ତି । ଏଭଳି ସ୍ଥଳେ ଉଭୟ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗ କ୍ରମେ କାର୍ଯ୍ୟାନୁଷ୍ଠାନ ନେଇ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବଲାଙ୍ଗୀର ହରିଶଙ୍କରରେ ଚାଲିଥିବା ୫-ଟି ଉନ୍ନୟନ କାମକୁ ନେଇ ସେଠିକାର ଚଙ୍ଗରିଆ ସରପଞ୍ଚ ସୁଶୀଳ ଗୁରୁ ଓ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ପୂର୍ତ୍ତ ଓ ଗୃହ ବିଭାଗ ଏସଡିଓ ସିଦ୍ଧାର୍ଥ ଦାସ ମଧ୍ୟରେ ହାତାହାତି ହୋଇଥିଲା । ସରପଞ୍ଚଙ୍କ ଉପରେ ଏସଡିଓ ଆକ୍ରମଣ କରିବାର ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଉଭୟ ପରସ୍ପର ବିରୋଧରେ ସ୍ଥାନୀୟ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ସରପଞ୍ଚ ସୁଶୀଳ ଗୁରୁ କହିଛନ୍ତି, "ମୁଁ ଗନ୍ଧମାର୍ଦ୍ଧନ ସୁରକ୍ଷା ପରିଷଦ ସଦସ୍ୟ ଭାବରେ ଏଠିକାର ଉନ୍ନୟନ କାମ ଦେଖିବାକୁ ଆସିଥିଲି ଏବଂ ଏଠି କାମ ଅତି ନିମ୍ନମାନର ହୋଉଥିବାର ଏସଡିଓଙ୍କୁ ଜଣାଇଥିଲି । ପୂର୍ବରୁ ଏଠାରେ ଗୋଟିଏ ସୁନ୍ଦର ସିଡି ଥିବାବେଳେ ଏବେ ତାକୁ ଭାଙ୍ଗି ଦିଆଯାଇ ଅତି ନିମ୍ନମାନର କାମ କରାଯାଉଛି । ଏ ସମ୍ପର୍କରେ ଏସଡିଓଙ୍କୁ କହିଥିଲି । ହେଲେ ଓଲଟା ଏସଡିଓ ଓ ତାଙ୍କ ସହିତ ଥିବା ଜେଇ ମୋତେ ଠେଲିଦେଇ ମାଡ଼ ମାରିବା ସହ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିଲେ ।'' ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ...ସରକାରୀ ବାବୁଙ୍କ ଦବଙ୍ଗଗିରି; ସରପଞ୍ଚ ସଙ୍ଘ ସଭାପତିଙ୍କୁ ଆକ୍ରମଣ କଲେ SDO

ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରି ଓଲଟା ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ଏସଡିଓ ସିଦ୍ଧାର୍ଥ ଦାସ । ତାଙ୍କ କହିବା କଥା, ସେମାନେ କାମରେ ନିୟୋଜିତ ଥିବାବେଳେ ସରପଞ୍ଚ ଆସି ତାଙ୍କୁ ନିମ୍ନମାନର କାମ ହେଉଥିବାର କହି ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ । ଏହାସହ ଏକ କାଠ ଫାଳିଆରେ ତାଙ୍କୁ ଆକ୍ରମଣ କରିଥିଲେ । ସେ ନିଜ ଜୀବନ ବଞ୍ଚାଇବାକୁ ଯାଇ ସରପଞ୍ଚଙ୍କୁ କେବଳ ଧରିଥିଲେ ବୋଲି କହିଛନ୍ତି ଏସଡିଓ । ସେପଟେ ଉଭୟଙ୍କ ପକ୍ଷରୁ ଖପ୍ରାଖୋଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ତେବେ ଏହାକୁ ନେଇ ଏ ଯାଏଁ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.