ETV Bharat / state

ବଲାଙ୍ଗୀରରେ ଜମୁଛି ଉଠାଦୋକାନୀଙ୍କ ପସରା, ବଢୁଛି ଟ୍ରାଫିକ୍‌ ସମସ୍ୟା

author img

By

Published : Jan 7, 2021, 2:49 PM IST

ଉଠାଦୋକାନୀ
ଉଠାଦୋକାନୀ

ବଲାଙ୍ଗୀର ସହରରେ ବଢିଚାଲିଛନ୍ତି ଉଠାଦୋକାନୀ । ସେମାନଙ୍କ ଥଇଥାନ ପାଇଁ କୌଣସି ବ୍ୟବସ୍ଥା କରୁନି ପ୍ରଶାସନ । ଯାହାକୁ ନେଇ ବଢୁଛି ଟ୍ରାଫିକ୍‌ ସମସ୍ୟା । ଅଧିକ ପଢନ୍ତୁ...

ବଲାଙ୍ଗୀର: ବଲାଙ୍ଗୀର ସହର । ପଶ୍ଚିମ ଓଡିଶାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ । ଦିନକୁ ଦିନ ଏଠାରେ ବ୍ୟବସାୟିକ ପ୍ରତିଷ୍ଠାନ ବଢୁଥିବାବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଦୈନିକ ଅନେକ ଲୋକଙ୍କ ସମାଗମ ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି କିଛି ବେପାର ଆଶାରେ ଉଠାଦୋକାନୀ ସେମାନଙ୍କ ପସରା ମେଲାଇଛନ୍ତି ।

ଫଳରେ ମୁଖ୍ୟ ରାସ୍ତା ଗୁଡିକରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି । ବିଶେଷ କରି ସନ୍ଧ୍ୟା ସମୟରେ ଅଧିକରୁ ଅଧିକ ଲୋକ ଆସୁଥିବାରୁ ଯିବା ଆସିବା ପାଇଁ ଅନେକ ହଇରାଣ ହରକତ ହେବାକୁ ପଡୁଛି । ହେଲେ ପ୍ରଶାସନ ଏମାନଙ୍କ ପାଇଁ କିଛି କରୁନଥିବା ଅଭିଯୋଗ ହେଉଛି ।

ଉଠାଦୋକାନୀ

ସେପଟେ ପ୍ରଶାସନ ପକ୍ଷରୁ କିଛି ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନର ବ୍ୟବସ୍ଥା କରାଯାଇଥିଲେ ବି ଏଠାକୁ କୌଣସି ଲୋକ ଆସୁନାହାଁନ୍ତି । ଫଳରେ ଯେଉଁ ଉଠାଦୋକାନୀଙ୍କୁ ଏଠାରେ ଆଲର୍ଟ କରାଯାଇଛି ସେମାନ ବି ପୁଣି ରାସ୍ତା କଡରେ ଆସି ବେପାର କରୁଛନ୍ତି ।

ବଲାଙ୍ଗୀର ସହରରେ 730 ଜଣ ପଞ୍ଜିକୃତ ଉଠାଦୋକାନୀ ଅଛନ୍ତି । ହେଲେ ବିନା ପଞ୍ଜିକୃତ ଉଠାଦୋକାନିଙ୍କୁ ମିଶାଇ ଏହି ସଂଖ୍ୟା 1000 ଟପିବ ବୋଲି କୁହାଯାଉଛି । ହେଲେ ସହରରେ ହୋଇଥିବା ଭେଣ୍ଡିଂ ଜୋନ ଏମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଖୋଦ ପ୍ରଶାସନ ସ୍ବୀକାର କରିଛି ।

ସେପଟେ ସହର ମଧ୍ୟରେ ଦୁଇଟି ଜାତୀୟ ରାଜ ପଥ ଯାଉଥିବା ବେଳେ ଟ୍ରାଫିକ ସମସ୍ୟା ଗୁରୁତର ହେବା ସହ ଦୁର୍ଘଟଣା ବଢିବାରୁ ସହର ମଧ୍ୟରେ ସକାଳ 6ଟାରୁ ରାତି 12 ଟା ପର୍ଯ୍ୟନ୍ତ ଭାରିଯାନ ଯିବା ଆସିବା ମନା କରିଛି ଜିଲ୍ଲା ପ୍ରଶାସନ।

ତେବେ ସହରରେ ଉଠାଦୋକାନୀଙ୍କ ପାଇଁ ଲୋକେ ଯେତିକି ଉପକୃତ ହେଉଛନ୍ତି, ସେତିକି ହଇରାଣ ମଧ୍ୟ ହେଉଥିବା ଦେଖାଯାଉଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ସେମାନଙ୍କ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.