ETV Bharat / state

ସରକାରୀ କାର୍ଯ୍ୟକ୍ରମ ନାଁରେ ବିଜେଡି ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି 5T ସଚିବ: ଛାତ୍ର କଂଗ୍ରେସ

author img

By

Published : Aug 7, 2023, 10:54 PM IST

ଦୁଇ ଦିନିଆ ବଲାଙ୍ଗୀର ଗସ୍ତ ସାରି ଭୁବନେଶ୍ବର ଫେରିଯାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ତେବେ ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ 5T ସଚିବଙ୍କ ଉପରେ ବର୍ଷିଛି ଛାତ୍ର କଂଗ୍ରେସ । ଅଧିକ ପଢ଼ନ୍ତୁ

ବିଜେଡି ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି 5T ସଚିବ
ବିଜେଡି ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି 5T ସଚିବ

ବିଜେଡି ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି 5T ସଚିବ

ବଲାଙ୍ଗୀର: ଆଜି ଦୁଇ ଦିନିଆ ବଲାଙ୍ଗୀର ଗସ୍ତ ଶେଷ କରି ଭୁବନେଶ୍ବର ଫେରିଯାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ତେବେ ଏହି ସମୟରେ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ 5T ସଚିବଙ୍କ ଗସ୍ତକୁ ବିରୋଧ କରାଯାଇଥିଲା । ତେବେ 5T ସଚିବ ଭିକେ ପାଣ୍ଡିଆନଙ୍କ ବଲାଙ୍ଗୀର ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ । ଗଣତନ୍ତ୍ର ବ୍ୟବସ୍ଥାକୁ ଓଡ଼ିଶାରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ।

ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ଆସି 5T ସଚିବ ଭିକେ ପାଣ୍ଡିଆନ ଆଜି ଫେରିଯାଇଛନ୍ତି । ସେପଟେ ତାଙ୍କ ଗସ୍ତ ପରେ ଆଜି ଛାତ୍ର କଂଗ୍ରେସ ସାମ୍ବାଦିକ ସମ୍ମିଳନରେ ତାଙ୍କ ଗସ୍ତକୁ ନେଇ ଅନେକ ପ୍ରଶ୍ନ କରିଛି । ସ୍ଥାନୀୟ ସାମ୍ବାଦିକ ଭବନରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ । ଏଥିରେ 5T ସଚିବଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଛି ଏହି ଛାତ୍ର ସଂଗଠନ ।

ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ କହିଛନ୍ତି, "ରବିବାର ଦିନ 5T ସଚିବ ଭିକେ ପାଣ୍ଡିଆନ ଛାତ୍ରଙ୍କ ସହ ସମ୍ବାଦ କାର୍ଯ୍ୟକ୍ରମ ରଖିଥିଲେ । ଏଥିପାଇଁ ପ୍ରଶାସନିକ ଅଧିକାରୀ ଓ ବିଜେଡି କର୍ମୀମାନେ ଜୋର କରି ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀଙ୍କୁ ଆଣିଥିଲେ । ଏହା ସରକାରୀ କାର୍ଯ୍ୟକ୍ରମ ନାଁରେ ବିଜେଡି ଦଳୀୟ କାର୍ଯ୍ୟକ୍ରମ ଥିଲା ।" ଜଣେ ସଚିବ ଏଭଳି କାର୍ଯ୍ୟକ୍ରମ କରିବା ଓ ତାଙ୍କ ପାଇଁ ନେତା ଓ ମନ୍ତ୍ରୀ ଲୋକ ଆଣିବା କେବଳ ଓଡ଼ିଶାରେ ସମ୍ଭବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...୫ଟି ସଚିବଙ୍କ ଗସ୍ତ ବେଳେ ଅଟୋ ଚାଳକଙ୍କୁ ମାଡ, ଥାନାରେ ଉତ୍ତେଜନା

ତେବେ ଏଠାରେ ଗଣତନ୍ତ୍ର ବ୍ୟବସ୍ଥା ଅଛି କି ନାହିଁ ଏହାକୁ ନେଇ ସେ ସନ୍ଦେହ କରୁଥିବା କହିଛନ୍ତି । ସେହିପରି ଛାତ୍ରଙ୍କ ସହ ପଣ୍ଡିଆନଙ୍କ ଆଲୋଚନା ଥିବାବେଳେ ତାଙ୍କ ଛାତ୍ର କଂଗ୍ରେସର ଛାତ୍ରଙ୍କୁ ସେଠାକୁ ଯିବାକୁ ବାରଣ କରାଯିବା ସହ ସେମାନଙ୍କୁ ପୋଲିସ ୪ ଘଣ୍ଟା ଏକ ବନ୍ଦ କୋଠରୀରେ ଅଟକ ରଖିଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ସରକାର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କରିଥିବା ବେଳେ ଏଯାଏଁ ଏଠାରେ ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତ କରିନାହାନ୍ତି । ସେହିପରି ବିଶ୍ବବିଦ୍ୟାଳୟରେ ଏବେ ମଧ୍ୟ ଶିକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନାହିଁ ବୋଲି ସେ କହିଛନ୍ତି । ଏହାଛଡା ରାଜେନ୍ଦ୍ର ଯୁକ୍ତ ଦୁଇ ପାଇଁ ସ୍ବତନ୍ତ୍ର କଲେଜ ତିଆରି, କଲେଜ ପଡ଼ିଆ ନିର୍ମାଣ ଭଳି ଅନେକ ଦାବି 5T ସଚିବଙ୍କ ଆଗରେ ଉପସ୍ଥାପିତ କରିବାକୁ ଥିବାବେଳେ ଛାତ୍ର କଂଗ୍ରେସକୁ ପ୍ରଶାସନ ବାରଣ କରିଥିବାର ଏମାନେ ଅଭିଯୋଗ ଆଣିଛନ୍ତି । ଆଗାମୀ ଦିନରେ ଏହିସବୁ ଦାବି ପୂରଣ ନହେଲେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.