ETV Bharat / state

ହିତାହିତ ଜ୍ଞାନ ଭୁଲିଲେ ଇତିହାସ ଅଧ୍ୟାପକ, ସ୍ବାଧୀନତା ଦିବସରେ ସ୍ଲୋଗାନ ଦେଲେ ପାର୍ବତୀ ହଜବ୍ୟାଣ୍ଡ ପାର୍ କରେଗା

author img

By

Published : Aug 19, 2023, 12:35 PM IST

Updated : Aug 19, 2023, 1:24 PM IST

ଇତିହାସ ଅଧ୍ୟପାକଙ୍କ ବିବାଦୀୟ ସ୍ଲୋଗାନ
ଇତିହାସ ଅଧ୍ୟପାକଙ୍କ ବିବାଦୀୟ ସ୍ଲୋଗାନ

ସ୍ବାଧୀନତା ଦିବସ ପାଳନ ବେଳେ ପାର୍ବତୀ ହଜବ୍ୟାଣ୍ଡ ପାର୍ କରେଗା ସ୍ଲୋଗାନ ଦେଲେ ଅଧ୍ୟାପକ । ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

ହିତାହିତ ଜ୍ଞାନ ଭୁଲିଲେ ଇତିହାସ ଅଧ୍ୟାପକ

ବଲାଙ୍ଗୀର: ସ୍ବାଧୀନତା ଦିବସ ପାଳନ ବେଳେ ଅଧ୍ୟାପକଙ୍କ ଅଶୋଭନୀୟ ଆଚରଣ । ହିତାହିତ ଜ୍ଞାନ ଭୁଲିଗଲେ ଇତିହାସ ଅଧ୍ୟାପକ । ତ୍ରିରଙ୍ଗା ତଳେ ସ୍ଲୋଗାନ ଦେଲେ ଗଣେଶ ଫାଦର୍ ପାର କରେଗା, ପାର୍ବତୀ ହଜବ୍ୟାଣ୍ଡ ପାର୍ କରେଗା । ଅଧ୍ୟାପକଙ୍କ ସହ ତାଳ ଦେଇ ଛାତ୍ରଛାତ୍ରୀ ବି ଭାରତ ମାତାର ଜୟଗାନ ବଦଳରେ କୈଳାସ ପତି ପାର୍ କରେଗା ନାରା ଦେଲେ । ବଲାଙ୍ଗୀର ଜିଲ୍ଲାର ଏକ ମହାବିଦ୍ୟାଳୟରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଯାହାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ସହ ଏ ଦିଗରେ ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଆନ୍ଦୋଳନ ପାଇଁ ଚେତାବାନୀ ଦିଆଯାଇଛି ।

ଘଟଣାଟି ବଲାଙ୍ଗୀର ଜିଲ୍ଲା ଧୁମଭଟା ଗ୍ରାମ ସ୍ଥିତ ବୀଣାପାଣି ମହାବିଦ୍ୟାଳୟର ବୋଲି ଜଣାପଡିଛି । ଜାତୀୟ ପତାକା ତଳେ ଅଧ୍ୟାପକ ଜଣକ ଏହିଭଳି ଢଙ୍ଗରେ ସ୍ଵାଧୀନତା ଦିବସ ପାଳନ କରିଥିଲେ । ଜାତୀୟ ସଙ୍ଗୀତ, ବନ୍ଦେ ମାତରମ ସ୍ଲୋଗାନ କିମ୍ବା ବୀର ପୁରୁଷଙ୍କ ଗାଥା ବଦଳରେ ହିନ୍ଦୁ ଦେବାଦେବୀଙ୍କ ନାରା ଦେଇ ଥଟ୍ଟା କରିଥିଲେ । ଜାତୀୟ ପତାକା ତଳେ ପାର୍ବତୀ ହଜବ୍ୟାଣ୍ଡ ପାର୍ କରିବା ସ୍ଲୋଗାନ ଦେଇଥିଲେ ଅଧ୍ୟାପକ । ଛାତ୍ରଛାତ୍ରୀ ହସି ହସି ସାର୍‌ଙ୍କ ପାଳିଆ ଧରିଥିଲେ । କଲେଜର ଅଧ୍ୟକ୍ଷ ଦେବାର୍ଚ୍ଚନ ନାଗଙ୍କ ଉପସ୍ଥିତିରେ ଏସବୁ ଘଟିଥିଲା ।

ଏହାମଧ୍ୟ ପଢନ୍ତୁ: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ, ପ୍ରକ୍ରିୟା ଆରମ୍ଭ କଲା ବିଭାଗ

ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜଣେ ଅଧ୍ୟାପକଙ୍କ ଏଭଳି ଆଚରଣକୁ ସମସ୍ତେ ନିନ୍ଦା କରିବା ସହ ସାରା ଦେଶ ପାଇଁ ଅପମାନ ବୋଲି କହିଛନ୍ତି । ବଲାଙ୍ଗୀରର ବଜରଙ୍ଗ ଦଳ ପକ୍ଷରୁ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆଯାଇଛି । ଜିଲ୍ଲାର କୋଶଳ ମୁକ୍ତି ମୋର୍ଚ୍ଚା ସଂଗଠନ ମଧ୍ୟ ସମ୍ପୃକ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ବିରୋଧରେ ବେଲପଡା ଥାନାରେ ଲିଖିତ ଅଭିଯୋଗ କରିଛି । କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇ ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କ ଗିରଫଦାରୀ ଦାବି କରାଯାଇଛି ।

ବଲାଙ୍ଗୀର କେଏମଏମର ସଭାପତି ସିପୁନ ଖମାରୀ କହିଛନ୍ତି ଯେ, ଧୂମାଭଟା ବୀଣାପାଣି କଲେଜରେ ଅଧ୍ୟକ୍ଷ ଦେବାର୍ଚନ ନାଗଙ୍କ ଉପସ୍ଥିତିରେ ଜଣେ ଅଧ୍ୟାପକ ଜାତୀୟ ସଙ୍ଗୀତ କିମ୍ବା ବନ୍ଦେ ମାତରମ ନକହି ଆପତ୍ତିଜନକ ସ୍ଲୋଗାନ ଦେବା ଆମ ଦେଶ ପାଇଁ ଅପମାନ । ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ବିଭିନ୍ନ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରାଯାଇଥିବା ବେଳେ ସଂପୃକ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ଗିରଫଦାରୀ ଦାବି ହୋଇଛି । ଏହା ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ବଲାଙ୍ଗୀର ଜିଲ୍ଲା କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ସଭାପତି ବିକାଶ ସା ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ସଂଗଠନ ପକ୍ଷରୁ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Aug 19, 2023, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.