ETV Bharat / state

Nuakhai 2023: ବଲାଙ୍ଗୀରରେ ନୂଆଁଖାଇ ସଜବାଜ, ଲଗ୍ନ ଧାର୍ଯ୍ୟ

author img

By

Published : Aug 19, 2023, 5:43 PM IST

Updated : Aug 19, 2023, 7:34 PM IST

nuakhai 2023
ଗଣପର୍ବ ନୂଆଁଖାଇ

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଲାଗି ଧାର୍ଯ୍ୟ ହେଲା ଲଗ୍ନ । ବଲାଙ୍ଗୀର ନୂଆଁଖାଇ କମିଟି ରାଶି ନକ୍ଷତ୍ର ଦେଖି ଲଗ୍ନ ସ୍ଥିର କଲା। ଆସନ୍ତା ସେପ୍ଟେମ୍ବର 20 ତାରିଖରେ ପାଳନ ହେବ ନୂଆଁଖାଇ । ଅଧିକ ପଢ଼ନ୍ତୁ

ଗଣପର୍ବ ନୂଆଁଖାଇ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶା କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ମା' ପଟଣେଶ୍ୱରୀ ଓ ମା' ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଦେଖି ବଲାଙ୍ଗୀର ନୂଆଖାଇ କମିଟି ଲଗ୍ନ ସ୍ଥିର କରିଛି । ରାଶି ନକ୍ଷତ୍ର ଓ ପୂର୍ବ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଆସନ୍ତା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତାରିଖ 20 ସେପ୍ଟେମ୍ବର 2023ରେ ନୂଆଁଖାଇ ପାଳନ ହେବ । ବୁଧବାର ବିଶୁଦ୍ଧ ଧନୁ ଲଗ୍ନ ମିଥୁନ ନବଂସ ଅମୃତ ବେଳା ସକାଳ 10 ଘଣ୍ଟା28 ମିନିଟ ରୁ ସକାଳ 10 ଘଣ୍ଟା 41 ମିନିଟ ପର୍ଯ୍ୟନ୍ତ ନବାନ୍ନ ବିଧି ମା'ଙ୍କ ଠାରେ ଲାଗି ହେବ । ଏହାପରେ ସାଧାରଣ ଜନତା ସମସ୍ତେ ନୂଆ ଖାଇବେ ।

ବଲାଙ୍ଗୀର ଇଷ୍ଟ ଦେବୀ ମା' ପାଟଣେଶ୍ୱରୀ ତଥା ମା' ସମଲେଶ୍ୱରୀଙ୍କ ଓ ପାଟଣା ରାଜ୍ୟର ରାଶି ନକ୍ଷତ୍ର ଦେଖି ଏହି ଶୁଭ ଲଗ୍ନ ସ୍ଥିର କରାଯାଇଛି । ଏନେଇ ବଲାଙ୍ଗୀର ନୂଆଁଖାଇ କମିଟି ତଥା ରାଜା ଘର ପୁରୋହିତ ସନ୍ତୋଷ ଦାସ ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି, "ଏହି ପର୍ବ କୃଷି ଭିତ୍ତିକ ପର୍ବ ଅଟେ । ଏଥିପାଇଁ ଥିବା କମିଟି ଇଷ୍ଟ ଦେବୀଙ୍କ ରାଶି ନକ୍ଷତ୍ର ଦେଖି ନୂଆଁଖାଇ ଲଗ୍ନ ଓ ଅମୃତ ବେଳା ସ୍ଥିର କରିଛନ୍ତି । ଏହି ଦିନ ଇଷ୍ଟଦେବୀଙ୍କ ନିକଟରେ ଅନ୍ନ ଲାଗି କଲେ ଭଲ ଚାଷ ହେବା ସହ ବର୍ଷ ତମାମ ସମୃଦ୍ଧି ଓ ସୁଖ ପ୍ରାପ୍ତି ହୋଇ ଥାଏ । ତେଣୁ ରୀତିନୀତି ପରମ୍ପରା ଅନୁସାରେ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି । ଯେଉଁଥିରେ ଆସନ୍ତା 20 ତାରିଖ ସେପ୍ଟେମ୍ବର ମାସରେ ବଲାଙ୍ଗୀରବାସୀ ନୂଆଁଖାଇ ପାଳନ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ: ପ୍ରେମ ବିବାହ ପାଇଁ ସମଲେଶ୍ୱରୀଙ୍କୁ ଚିଠି ଲେଖିଲେ ଯୁବତୀ

ପଶ୍ଚିମ ଓଡ଼ିଶାରେ ବେଶ ଧୁମଧାମରେ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ କରାଯାଏ । କ୍ଷେତରୁ ଅମଳ ହୋଇଥିବା ପ୍ରଥମ ଶଷ୍ୟ ଅନ୍ନକୁ ଇଷ୍ଟଦେବୀଙ୍କ ଠାରେ ଲାଗି କରାଯାଏ । ପରେ ଏହାକୁ ପ୍ରସାଦ ଭାବେ ସେବନ କରାଯାଏ । ରୀତି ନୀତି ଅନୁସାରେ ପ୍ରଥମେ ଚାଷୀ ନିଜ କ୍ଷେତରୁ ପୂଜା ପାଠ କରି ନୂଆ ଧାନ ସଂଗ୍ରହ କରି ଥାଏ । ସେଥିରୁ ଚୁଡ଼ା ଗୁଣ୍ଡ ପ୍ରସ୍ତୁତ କରି ଧାର୍ଯ୍ୟ ଅମୃତ ବେଳାରେ ଇଷ୍ଟ ଦେବୀଙ୍କ ଠାରେ ସେହି ଅନ୍ନ ପ୍ରସାଦ ଲାଗି କରିଥାଏ । ଏହା ପରେ ସମସ୍ତେ ଏକାଠି ବସି ନୂଆ ଖାଇଥାନ୍ତି । ନୂଆଖାଇ ସାରିବା ଛୋଟ ମାନେ ବଡମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥାନ୍ତି । ସମସ୍ତେ ନୂଆଁଖାଇ ଜୁହାର କରି ଭେଟଘାଟ ହୋଇଥାନ୍ତି । ଗୀତନାଚ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଖେଳ ଆୟୋଜନ କରି ସମସ୍ତେ ସେଥିରେ ମଜି ଯାଆନ୍ତି । ତା' ପର ଦିନ ଅର୍ଥାତ୍ ନୂଆଁଖାଇ ବାସୀରେ ଆମିଷ ଓ ଅନ୍ୟାନ୍ୟ ସୁସ୍ୱାଦୁ ବ୍ୟଞ୍ଜନ ଆହରଣ କରିଥାନ୍ତି ସମସ୍ତେ ।



ଇଟିଭି ଭାରତ, ବଲାଙ୍ଗୀର

Last Updated :Aug 19, 2023, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.