ETV Bharat / state

ସୁଶାସନ ଓ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲା ପୁରସ୍କୃତ

author img

By

Published : Jan 18, 2023, 7:54 AM IST

ସୁଶାସନ ପାଇଁ ବଲାଙ୍ଗୀର ଜିଲ୍ଲା ପୁରସ୍କୃତ । କିନ୍ନରମାନଙ୍କୁ ଆତ୍ମନିର୍ଭରଶୀଳ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଲାଙ୍ଗୀର ଜିଲ୍ଲା ପୁରସ୍କୃତ ହୋଇଛି ।

ବଲାଙ୍ଗୀର ଜିଲ୍ଲା ପୁରସ୍କୃତ
ବଲାଙ୍ଗୀର ଜିଲ୍ଲା ପୁରସ୍କୃତ

ବଲାଙ୍ଗୀର ଜିଲ୍ଲା ପୁରସ୍କୃତ

ବଲାଙ୍ଗୀର: ଓଡ଼ିଶା ପାଇଁ ଗୌରବ ଆଣିଛି ବଲାଙ୍ଗୀର ଜିଲ୍ଲା । ସୁଶାସନ ଓ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଜିଲ୍ଲାକୁ ମିଳିଛି ଏକ୍ସିଲେନ୍ସ ଇନ ଗଭର୍‌ନାନ୍ସ ଆୱାର୍ଡ । ବଲାଙ୍ଗୀର ସାରା ଦେଶରେ ସୁଶାସନ ପାଇଁ ପୁରସ୍କୃତ ହୋଇଛି । ଏହା ଭାରତର ସବୁ ଜିଲ୍ଲାକୁ ପଛରେ ପକାଇ ଇଣ୍ଡିଆନ ଏକ୍ସପ୍ରେସ ଏକ୍ସିଲେନ୍ସ ଇନ୍‌ ଗଭରନାନ୍ସ ଆୱାର୍ଡ ପାଇଛି । ବିଶେଷକରି କିନ୍ନରମାନଙ୍କ ପାଇଁ ଥିବା ଯୋଜନାଗୁଡିକର ସଫଳ ରୂପାୟନ ପାଇଁ ବଲାଙ୍ଗୀର ଏହି ପୁରସ୍କାର ଅର୍ଜନ କରିଛି । ଗତ ଦୁଇବର୍ଷ ତଳେ ଜିଲ୍ଲାରେ ତୃତୀୟ ଲିଙ୍ଗୀ କୁହାଯାଉଥିବା କିନ୍ନରମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଜିଲ୍ଲା ପ୍ରଶାସନ ସ୍ବୀକୃତି ଯୋଜନା ଭଳି ପଦକ୍ଷେପମାନ ନେଇଥିଲା । ଯାହା ବିଶେଷ ରୂପରେ ସଫଳ ମଧ୍ୟ ହୋଇଥିଲା । ଏହି ଉପଲବ୍ଧି ଯୋଗୁଁ ବଲାଙ୍ଗୀର ଜିଲ୍ଲା ଏବେ ପୁରସ୍କୃତ ହୋଇଛି ।

ଏହି ପୁରସ୍କାର ପାଇଁ ବିଭିନ୍ନ ବର୍ଗରେ ଦେଶର ବିଭିନ୍ନ ଜିଲ୍ଲାଗୁଡ଼ିକୁ ସାମିଲ କରାଯାଇଥିଲା । Gender & Inclusion ବର୍ଗରେ ବଲାଙ୍ଗୀର ଏହି ପୁରସ୍କାର ଅର୍ଜନ କରିଛି । ରାଜଧାନୀ ଦିଲ୍ଲୀ ସ୍ଥିତ ଓବୋରାୟ ହୋଟେଲରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ପୁରସ୍କାର ପ୍ରଦାନ କରିଥିବାବେଳେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ନିଜେ ଏହାକୁ ଗ୍ରହଣ କରିଛନ୍ତି ।

ବଲାଙ୍ଗୀର ଜିଲ୍ଲାରେ କିନ୍ନରମାନେ ପୂର୍ବରୁ ଟ୍ରେନ ଓ ରାସ୍ତାରେ ଭିକ୍ଷା ବୃତ୍ତି କରିବା ସହ ବିଭିନ୍ନ ହୋଟେଲ, ଭୋଜିରେ କାମ କରି ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ । ଏମାନଙ୍କ ପାଇଁ ତିଆରି ହୋଇଥିବା ଯୋଜନା ଦୁଇ ବର୍ଷ ତଳେ ବଲାଙ୍ଗୀରରେ ଲାଗୁ କରାଯାଇଥିଲା । ଯେଉଁଥିରେ କିନ୍ନରମାନଙ୍କୁ ନେଇ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ସେମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ କାମର ସୁଯୋଗ ଦିଆଯାଇଥିଲା ।

ବଲାଙ୍ଗୀର ପୌରପାଳିକାରେ ସେମାନଙ୍କୁ ବ୍ୟାଟେରୀ ଗାଡ଼ି ଦିଆଯିବା ସହ ସହରକୁ ଆବର୍ଜନା ମୁକ୍ତ ରଖିବା, ପାର୍କିଂ ଦାୟିତ୍ବ ଦାୟିତ୍ଵ ଦିଆଯାଇଥିଲା । ଏହାଛଡା କିନ୍ନରମାନଙ୍କୁ ଋଣ ଓ ବିଭିନ୍ନ ପ୍ରକାରର ତାଲିମ ଦିଆଯାଇ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ସୃଷ୍ଟି କରାଯାଇଥିଲା । ଯାହାଫଳରେ ଦୁଇବର୍ଷ ମଧ୍ୟରେ ସେମାନଙ୍କ ଜୀବନଶୈଳୀରେ ଆଖିଦୃଶିଆ ପରିବର୍ତ୍ତନ ଆସିଛି । ଏବେ ସେମାନେ ସମାଜରେ ସମ୍ମାନର ସହ ଜୀବନ ବିତାଇ ପାରୁଛନ୍ତି । କିନ୍ନରଙ୍କ କଲ୍ୟାଣ ନିମନ୍ତେ ଯୋଜନାଗୁଡିକର ସଫଳ ରୂପାୟନ କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲା ସାରା ଦେଶରେ ପ୍ରଥମ ହୋଇ ପୁରସ୍କୃତ ହୋଇଛି । ଏହାକୁ ନେଇ ଏବେ ବଲାଙ୍ଗୀରବାସୀଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି କୁହାଯାଇଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.