ETV Bharat / state

ସବୁଠୁ ଉତ୍ତପ୍ତ ସହର ବଲାଙ୍ଗୀର, ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ

author img

By

Published : May 15, 2023, 11:01 PM IST

heat wave in balangir
ପ୍ରଚଣ୍ଡ ତାତିରେ ଜଳୁଛି ବଲାଙ୍ଗୀର

ପ୍ରଚଣ୍ଡ ତାତିରେ ଜଳୁଛି ବଲାଙ୍ଗୀର । ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବାବେଳେ ସବୁଠାରୁ ଉତ୍ତପ୍ତ ସହର ବୋଲି ରେକର୍ଡ ହୋଇଛ୍ । ଅଧିକ ପଢ଼ନ୍ତୁ

ପ୍ରଚଣ୍ଡ ତାତିରେ ଜଳୁଛି ବଲାଙ୍ଗୀର

ବଲାଙ୍ଗୀର: ତତଲା କଡେଇରେ ଭାଜି ହେଉଛି ବଲାଙ୍ଗୀର । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ସହରବାସୀ । ସକାଳ ୮ଟା ପରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ବଲାଙ୍ଗୀରରେ ପ୍ରତିଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ସୋମବାର ୪୪ ଡିଗ୍ରୀକୁ ବୃଦ୍ଧି ପାଇ ସବୁଠୁ ଉତ୍ତପ୍ତ ସହର ବୋଲି ରୋକର୍ଡ ହୋଇଛି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବନ ଯାତ୍ରା । ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧିଛି ତ ଆଉ କାହାର ସାହା କଳା ଚଷମା ।

ବଲାଙ୍ଗୀରରେ ଚଳିତ ବର୍ଷ ବିଳମ୍ବରେ ଖରା ଆରମ୍ଭ ହୋଇଛି । କିନ୍ତୁ ଦୁଇ ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି । ବଲାଙ୍ଗୀରରେ ସାଧରଣତଃ ମାର୍ଚ୍ଚ ମାସ ଶେଷ ଆଡକୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥାଏ । ହେଲେ ବିଳମ୍ବ ହୋଇଥିବାବେଳେ ଖରା ପ୍ରକୋପ ଅଧିକ ରହିଛି । ସତେ ଯେପରି ଆକାଶରୁ ଅଗ୍ନିବର୍ଷା ହେଉଛି । ସେପଟେ ଦାଉ ସାଧୁଛି ଗରମ ଝାଞ୍ଜି ପବନ । ଅସହ୍ୟ ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏତେ ମାତ୍ରାରେ ଗରମ ହେଉଛି ଯେ, କୁଲର କିମ୍ବା ଏସି ମଧ୍ୟ କାମରେ ଆସୁନଥିବା ଲୋକେ କହିଛନ୍ତି । ଦିନ ସମୟରେ ଯେଉଁମାନଙ୍କ କାମ ଅଛି ସେମାନେ ଛତା, ଟୋପି କିମ୍ୱା ମୁଣ୍ଡରେ ଗାମୁଛା ପକାଇ ଖରାକୁ ବାହାରୁଛନ୍ତି । ଦିନ ୧୨ରୁ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରାସ୍ତାଘାଟ ଶୂନଶାନ ହୋଇଯାଉଛି ।

ତେବେ ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଗ୍ରୀଷ୍ମ ପ୍ରବାହ ନେଇ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ୧୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏହାକୁ ଦୃଷ୍ଟିରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲା ଜରୁରୀ ଶାଖା ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି, " ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ତାତି ଆହୁରି ବଢିବ । ତେଣୁ ଜିଲ୍ଲା ପ୍ରଶାସନ ସତର୍କତା ଜାରି କରିଛି । ସହରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି । ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସବୁ ଡାକ୍ତରଖାନାରେ ଅଂଶୁଘାତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ପାଣି, ବିଦ୍ୟୁତ ସରବରାହ ମଧ୍ୟ ଠିକ କରାଯାଇଛି ।" ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜରୁରୀ ଫୋନ ନମ୍ବର ମଧ୍ୟ ଜାରି କରାଯାଇଥିବା ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.