ETV Bharat / state

ପୁଣି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

author img

By

Published : Jan 25, 2023, 1:09 PM IST

burnt dead body recovered
ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସଇଁତଳା ଜଙ୍ଗଲରୁ ପୁଣି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ହାତବନ୍ଧା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର ସଇଁତଳା ଜଙ୍ଗଲରୁ ପୁଣି ଜଣେ ମହିଳାଙ୍କ ହାତବନ୍ଧା ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଏନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ଘୁଂସର ପଞ୍ଚାୟତ ଖୁର୍ଲିକାନି ଗ୍ରାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମୃତ ମହିଳା ଜଣକ ହେଲେ ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ଘୁଂସର ପଞ୍ଚାୟତ ଖୁର୍ଲିକାନି ଗ୍ରାମର ରତିନି ରଣା । ରତିନି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ଚାଲିଛି । ଏଯାଏଁ କୌଣସି ସଠିକ କାରଣ ଜଣାପଡ଼ିନି ।

ରତିନି ଗତ ଦୁଇ ଦିନ ହେବ ନିଖୋଜ ଥିଲେ । କ୍ଷେତକୁ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ ରତିନି । ତାଙ୍କ ପରିବାର ଲୋକେ ଖୋଜାଖୋଜି କରିବାପରେ ସ୍ଥାନୀୟ ସଇଁତଳା ଥାନାରେ ଅଭିଯୋଗ କରିଥିଲେ । ଆଜି ସଇଁତଳାର ଦେଢ଼ଲ ଜଙ୍ଗଲରେ ମହିଳାଙ୍କ ମୃତଦେହ ପଡିଥିବାର ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଙ୍କ ଦୁଇ ହାତ ବନ୍ଧା ହୋଇଥିଲା । ଖାଲିସେତିକି ନୁହେଁ ମୃତଦେହ ନିକଟରୁ ଏକ ଚାକୁ ଓ ଚପଲ ପୋଲିସ ଜବତ କରିଛି । ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ସାଇଣ୍ଟିଫିକ୍ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପାରିପାର୍ଶ୍ବିକ ସ୍ଥିତି ତଦନ୍ତ କରିବା ସହ ଆଖାପାଖ ଲୋକଙ୍କୁ ପଚରାଉଚରା କରିଛି ।

ସେପଟେ ମୃତ ମହିଳାଙ୍କ ସହ କୌଣସି ବ୍ୟକ୍ତିଙ୍କର ଶତ୍ରୁତା ନଥିବା କହିଛନ୍ତି ମୃତ ମହିଳାଙ୍କ ସ୍ବାମୀ ରାସ ରଣା । କ୍ଷେତକୁ କାମ କରିବାକୁ ଯାଇ ସେ ଆଉ ଘରକୁ ଫେରି ନଥିଲେ । ତେଣୁ ଏହାର ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମୃତ ମହିଳାଙ୍କ ସ୍ବାମୀ ରାସ ।

ଏହାମଧ୍ୟ ପଢ଼ନ୍ତୁ. Dead body recovered from Trolley Bag: ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ପୋଲିସ ପଞ୍ଝାରେ ମୁଖ୍ୟ ଅଭିଯୁକ୍ତ

ସୂଚନା ଥାଉକି ଏହି ସଇଁତଳା ବ୍ଲକରେ ଏହିଭଳି ୪ଜଣ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇ ସାରିଛି । ଯେଉଁଥିରେ ଅନେକଙ୍କର ଏଯାଏଁ ପରିଚୟ ମିଳିପାରିନାହିଁ । ତେବେ ଗତ 2012ରେ ସଇଁତଳା ବରଗାଁ ନିକଟ ନଦୀ ତଟରୁ ସମାନ ଭାବରେ ଜଣେ ମହିଳାଙ୍କ ଦରପୋଡା ମୃତଦେହ ଉଦ୍ଧାର ହୋଇଥିଲା । ଯାହାର ପରିଚୟ ଏଯାଏଁ ମିଳି ନଥିବା ବେଳେ 2021ରେ ବଲାଙ୍ଗୀର ପୋଲିସ୍ ସମ୍ପୃକ୍ତ ମୃତ ମହିଳାଙ୍କ ସ୍କେଚ ଜାରି କରି ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ।

ସେହିପରି 2020ରେ ସଇଁତଳା କଣ୍ଡକେଲ ରେଳ ଫାଟକ ନିକଟରୁ ମଧ୍ୟ ଜଣେ ମହିଳାଙ୍କ ସମାନ ଦରପୋଡା ମୃତଦେହକୁ ପୋଲିସ୍ ଉଦ୍ଧାର କରିଥିଲା । ତାହାର ମଧ୍ୟ ଏଯାଏଁ ପରିଚୟ ମିଳିପାରି ନାହିଁ । ପୁଣି ସଇଁତଳା ଥାନାରୁ ମାତ୍ର ୨ କିମି ଦୂରରେ ବିବିନା ଠାରୁ ଏକ ପାଲ ଗଦାରୁ ସମାନ ଭାବରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥଲା । ଏବେ ବି ସେହି ମାମଲାରେ ପୋଲିସ୍ କିଛି ସୁରାକ ପାଇପାରି ନାହିଁ ।

ତେବେ ଏସବୁ ଘଟଣା ପରେ ଏବେ ନିକଟରେ ସଇଁତଳା ନଦୀ ନିକଟରୁ ଜଣେ ଯୁବତୀଙ୍କ ମୁଣ୍ଡବିହୀନ ମୃତଦେହକୁ ପୋଲିସ୍ ଉଦ୍ଧାର କରିଥିଲା । ଏହି ମାମଲାରେ ମଧ୍ୟ ପୋଲିସର ହାତ ଏଯାଏଁ ଖାଲି ରହିଛି । ତେବେ ସଇଁତଳା ଅଞ୍ଚଳରେ ଏକ ସମାନ ପ୍ରକାରରେ ମହିଳାଙ୍କ ମୃତଦେହ ମିଳିବାକୁ ନେଇ ଅଞ୍ଚଳରେ ଏକ ପ୍ରକାରର କୋକୁଆ ଭୟ ସୃଷ୍ଟି କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.