Dead body recovered from Trolley Bag: ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ପୋଲିସ ପଞ୍ଝାରେ ମୁଖ୍ୟ ଅଭିଯୁକ୍ତ

By

Published : Jan 23, 2023, 7:44 PM IST

Updated : Feb 3, 2023, 8:39 PM IST

thumbnail

ଖୋର୍ଦ୍ଧା: ଟ୍ରଲି ବ୍ୟାଗ ଭିତରୁ ମୃତଦେହ ଉଦ୍ଧାର ଘଟଣା । ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ପତ୍ନୀଙ୍କ ସମେତ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କଲା ନାଚୁଣୀ ଥାନା ପୋଲିସ । ମୃତ ଯୁବକ ତଥା ସ୍ବାମୀଙ୍କଠାରୁ ବାରମ୍ବାର ନିର୍ଯାତନାର ଶିକାର ହେଉଥିବା ପତ୍ନୀ ଅସହ୍ୟ ହୋଇ ଏପରି ଅପରାଧିକ କାଣ୍ଡ ଭିଆଇଛନ୍ତି । ଆଜି ଅପରାହ୍ନରେ ନାଚୁଣୀ ଥାନା ପରିସରରେ ଏସପି ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି ।  

ଏସ୍‌ପିଙ୍କ ସୂଚନା ମୁତାବକ ମୃତକ ମନୋରଞ୍ଜନ ମହାପାତ୍ର ଚାନ୍ଦପୁର ଥାନା ରାଜଜଙ୍କିଆ ଗ୍ରାମର ନିଲି ଦାସଙ୍କୁ ବିବାହ କରିଥିଲେ । ତେବେ ନିଜ ଗ୍ରାମ ରଣପୁରରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ମନୋରଞ୍ଜନଙ୍କର ଅପଡ଼ ହେବାରୁ ସେ ତାଙ୍କ ପରିବାର ସହ ଟାଙ୍ଗୀ ଥାନା ଚଣ୍ଡେଶ୍ବର ଅଞ୍ଚଳରେ ରହୁଥିଲେ । ମୃତ ମନୋରଞ୍ଜନ ଜଣେ ଆନ୍ତଃ ଜିଲ୍ଲା ଡକାୟତ ଥିବା ବେଳେ ତାଙ୍କ ବିରୁଦ୍ଧରେ ନୟାଗଡ଼ ଜିଲ୍ଲାର ଦୁଇ ଗୋଟି ଡକାୟତ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଥିଲା । ସେ ସବୁବେଳେ ମଦ୍ୟପାନ କରି ନିଜ ପତ୍ନୀ ନିଲିଙ୍କୁ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ।  

ଗତ ୨୦ ତାରିଖ ଦିନ ମନୋରଞ୍ଜନ ମଦ୍ୟପାନ କରି ପତ୍ନୀ ନିଲିଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଯାହାଫଳରେ ନିଲି ନିଜ ସ୍ବାମୀଙ୍କଠୁ ମୁକ୍ତି ପାଇବା ପାଇଁ ତାଙ୍କର ହତ୍ୟା ଯୋଜନା କରିଥିଲେ । ଏଥିପାଇଁ ସେ ଟାଙ୍ଗୀ ଥାନା ଅଞ୍ଚଳର ତାଙ୍କ ସାଙ୍ଗ ବିକ୍ରମ କୁମାର ସାହୁ ଏବଂ ଚାନ୍ଦପୁର ଥାନା ଅଞ୍ଚଳର ସମ୍ପର୍କୀୟ ଭାଇ ମିଟୁ ଦାସଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ୨୧ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ବିକ୍ରମ ଚାନ୍ଦପୁର ବଜାରରୁ ଏକ ଟ୍ରଲିବ୍ୟାଗ କିଣି ମନୋରଞ୍ଜନ ଚଣ୍ଡେଶ୍ବରସ୍ଥିତ ଘରକୁ ଯାଇଥିଲେ । ଏହାପରେ ସମସ୍ତ ୩ ଅଭିଯୁକ୍ତମାନେ ମନୋରଞ୍ଜନକୁ ପ୍ରଚୁର ମଦ୍ୟପାନ କରାଇ ନିଶାସକ୍ତ ଅବସ୍ଥାକୁ ଆଣିଥିଲେ  

ସେ ନିଶାରେ ଥିବା ବେଳେ ସମସ୍ତ ଅଭିଯୁକ୍ତ ମିଶି କରି ମନୋରଞ୍ଜନଙ୍କ ବେକକୁ ଚିପି ହତ୍ୟା କରିଥିଲେ । ଏହାପରେ ଉକ୍ତ ରାତିରେ ମନୋରଞ୍ଜନଙ୍କ ମୃତ ଶରୀରକୁ ଟ୍ରଲିବ୍ୟାଗରେ ଭର୍ତ୍ତିକରି ନାଚୁଣୀ ହରିପୁର ଜଙ୍ଗଲ ମଧ୍ୟକୁ ଫୋପାଡ଼ି ଦେଇଥିଲେ । ତେବେ ଉକ୍ତ ହତ୍ୟାକାଣ୍ଡରେ ସାମିଲ ଥିବା ଉକ୍ତ ୩ ଅଭିଯୁକ୍ତମାନେ ମୁଖ୍ୟ ଅଭିଯୁକ୍ତ ବୋଲି ଏସପି କହିଛନ୍ତି । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ନାଚୁଣୀ ପୋଲିସ କେସ ନମ୍ବର ୧୧/୨୩ରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ଏସପି କଟାରିଆ କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.