ETV Bharat / state

ଅଗ୍ନିରୂପିଙ୍କ ନବରାତ୍ରୀ ପୂଜା, ନଅ ଦିନରେ ନଅଟି ଦିବ୍ୟ ବେଶରେ ଦର୍ଶନ ହେଉଛନ୍ତି ଆଦିଶକ୍ତି ହିଙ୍ଗୁଳା

author img

By ETV Bharat Odisha Team

Published : Oct 19, 2023, 9:38 PM IST

ଅନୁଗୋଳ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା‘ ହିଙ୍ଗୁଳାଙ୍କ ଷୋଡଶ ପୂଜା
ଅନୁଗୋଳ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା‘ ହିଙ୍ଗୁଳାଙ୍କ ଷୋଡଶ ପୂଜା

ଅନୁଗୋଳ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ହିଙ୍ଗୁଳା । ମହାଆଡମ୍ବର ସହ ଚାଲିଛି ଅଗ୍ନିରୂପି ମା‘ ହିଙ୍ଗୁଳାଙ୍କ ଷୋଡଶ ପୂଜା । ଅଧିକ ପଢନ୍ତୁ

ଅନୁଗୋଳ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା‘ ହିଙ୍ଗୁଳାଙ୍କ ଷୋଡଶ ପୂଜା

ଅନୁଗୋଳ: ପ୍ରସିଦ୍ଧ ଶକ୍ତି ପୀଠ ମଧ୍ୟରୁ ମା’ ହିଙ୍ଗୁଳାଙ୍କ ପୀଠ ହେଉଛି ଅନ୍ୟତମ । ସମଗ୍ର ଭାରତର ଏହା ଏଭଳି ଏକ ଶକ୍ତି ପୀଠ ଯେଉଁଠି ଭକ୍ତ ଠାରୁ ଭଗବାନ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି । କିମ୍ବଦନ୍ତୀ କହେ ଏହି ପୀଠର ସିଧାସଳଖ ସମ୍ପର୍କ ରହିଛି ଶ୍ରୀକ୍ଷେତ୍ର ସହ । କାରଣ ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ । ଅଗ୍ନି ରୂପରେ ଶ୍ରୀକ୍ଷେତ୍ର ଛାଡି ତାଳଚେର ଗୋପାଳ ଗଡରେ ବିଜେ ହୋଇଛନ୍ତି । ଏଠାରେ ମା’ ହିଙ୍ଗୁଳା ଅଗ୍ନିରୂପରେ ବିରାଜମାନ କରିଛନ୍ତି । ମା’ ହିଙ୍ଗୁଳାଙ୍କ 12 ମାସରେ 13 ପର୍ବ ହୋଇଥିଲେ ମଧ୍ୟ ଚୈତ୍ର ମାସ ଶୁକ୍ଳ ପକ୍ଷରେ ହେଉଥିବା ବାର୍ଷିକ ଯାତ୍ରା ଓ ଦଶହରାରେ ହେଉଥିବା ନବରାତ୍ର ପୂଜାର ମହନୀୟତା ଅତ୍ୟନ୍ତ ସ୍ବତନ୍ତ୍ର ।

ମୁଖ୍ୟ ପୂଜକ କିଶୋର ଚନ୍ଦ୍ର ଦେହୁରୀ କହିଛନ୍ତି, ‘‘ତାଳଚେରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ହିଙ୍ଗୁଳା । ତାଳଚେରର ଗୋପାଳ ଗଡରେ ମା’ ପ୍ରକଟିତ । କୁହାଯାଏ ସତୀଙ୍କ ଅଂଶ ବିଶେଷ ହେଉଛନ୍ତି ମା’। ଅଗ୍ନିରୂପରେ ଏଠାରେ ବିରାଜିତ ମା ହିଙ୍ଗୁଳା । ମା’ଙ୍କ ପୀଠର ବିଶେଷତ୍ବ ହେଉଛି ପ୍ରତ୍ୟେକ ବର୍ଷ ଏଠାରେ 2 ଥର ଦୁର୍ଗା ପୂଜା ପାଳନ କରାଯାଏ । ପ୍ରଥମ ବାସନ୍ତିକ ଦୁର୍ଗାପୂଜା ଓ ଦ୍ବିତୀୟ ଶାରଦୀୟ ଦୁର୍ଗା ପୂଜା । ଯାହା ଅନ୍ୟ କୌଣସି ପୀଠରେ ଦେଖିବାକୁ ମିଳି ନଥାଏ । ବାସନ୍ତିକ ଦୁର୍ଗା ପୂଜାରେ 9 ଦିନ ଧରୀ ମା’ଙ୍କ ଅଗ୍ନିରୂପରେ ଆବାହନ କରାଯାଏ । ଶାରଦୀୟ ପୂଜାରେ 9 ଦିନ ମାଆଙ୍କ ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଏ । ଏହି ଦୁଇ ପ୍ରକାରର ଦୁର୍ଗାପୂଜା ପାଇଁ ବର୍ଷକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ’’

ଏହା ମଧ୍ୟ ପଢନ୍ତୁ...ଶେଷ ସ୍ପର୍ଶରେ ଜୀବନ୍ତ ହେବ ମୃଣ୍ମୟୀ ମୂର୍ତ୍ତି, ମା'ଙ୍କ ଆଗମନକୁ ଅନାଇ ବସିଛନ୍ତି ଇନ୍ଦୁପୁରବାସୀ

ମା‘ଙ୍କୁ ପୂଜା କରନ୍ତି ଦେହୁରୀ: ନଅ ଦିନ ବ୍ୟାପି ଚଣ୍ଡିପାଠ, ଯଜ୍ଞ ଓ ସ୍ବତନ୍ତ୍ର ପୁଜା ଅନୁଷ୍ଠିତ ହୁଏ । ଦଶହରା ଦିନ ମା’ଙ୍କ ଠାରେ ଅସ୍ତ୍ର ପୂଜା ପରେ ପାଇକ ମାନେ ନିଜର ପରମ୍ପରା ଅନୁସାରେ ସଜିତ ହୋଇ ପାଇକ ଖେଳ ପ୍ରଦର୍ଶନ କରନ୍ତି । ନଳ ବଂଶ ରାଜାମାନଙ୍କ ସମୟରୁ ଦେହୁରୀମାନେ ମା’ଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି । ଆଉ ସେହି ସମୟରୁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି ।

ବିଶ୍ବାସ ମୂଳରେ ମା’ ହିଙ୍ଗୁଳା: ମା’ଙ୍କ ମହିମାକୁ ନେଇ ଅନେକ ଲୋକକଥା ଓ କିମ୍ବଦନ୍ତୀ ରହିଛି । ତେବେ ଅଞ୍ଚଳବାସୀଙ୍କ ବିଶ୍ଵାସ ମା’ ଡାକିଲେ ସେ ଡାକ ଶୁଣନ୍ତି । ମାଆଙ୍କ କରୁଣା ଅପାର । ମା’ ହିଙ୍ଗୁଳା ବହୁ ପ୍ରତକ୍ଷ୍ୟ, ଶକ୍ତିରୂପିଣୀ ଓ ବରଦାୟିନୀ । ସେ କେତେବେଳେ କେଉଁ ରୂପରେ ବିରାଜମାନ କରନ୍ତି ଓ ପୂଜା ପାଆନ୍ତି ତାହାର କିଛି ସୀମା ନାହିଁ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.