ମନମୋହିବ ଗ୍ରାମୀଣ ଉଦ୍ୟାନ: ଘଞ୍ଚ ଜଙ୍ଗଲରେ ସ୍ୱିମିଂର ମଜା ନେବେ ପର୍ଯ୍ୟଟକ

author img

By

Published : Nov 25, 2021, 7:18 PM IST

Updated : Nov 25, 2021, 9:55 PM IST

ଗ୍ରାମୀଣ ପର୍ଯ୍ୟଟନର ବିକାଶ ପାଇଁ ନିର୍ମାଣ ହେଉଛି PARK

ପ୍ରାକୃତିକ ପରିବେଶ ଭିତରେ ମନୋରମ ଉଦ୍ୟାନ। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇ ନଥିଲେ ମଧ୍ୟ ଏବେଠାରୁ ପର୍ଯ୍ୟଟକଙ୍କ ମନ ମୋହୁଛି । ମଝିରେ କୁଳୁକୁଳୁ ନାଦରେ ବହି ଯାଉଛି ଚିରସ୍ରୋତା ଝରଣା। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଡ଼ହିଂସର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅଧିକ ପଢନ୍ତୁ

ଅନୁଗୋଳ : ରାଜ୍ୟ ସରକାରଙ୍କ ଗ୍ରାମୀଣ ଉନ୍ନୟନ ଯୋଜନାରେ ଏବେ ପ୍ରତ୍ୟେକ ପଞ୍ଚାୟତରେ ନିର୍ମାଣ ହେଉଛି ଗ୍ରାମୀଣ ଉଦ୍ୟାନ। ଅନୁଗୋଳ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଚାଲିଛି କୋଟି କୋଟି ଟଙ୍କା ବ୍ୟୟରେ ଗ୍ରାମୀଣ ଉଦ୍ୟାନ। ହେଲେ ବଅଁରପାଳ ବ୍ଲକ ବଡହିଂସର ପଞ୍ଚାୟତରେ ହେଉଥିବା ଉଦ୍ୟାନ ବେଶ ନିଆରା। ବଡ଼ହିଂସର ଗାଁ ଠାରୁ ଅଳ୍ପ ଦୂରରେ ରହିଛି ଚିର ସବୁଜିମାରେ ପରିପୂର୍ଣ୍ଣ ପାହାଡ଼। ଦୁଇ ପାହାଡ଼ ମଝିରେ କୁଳୁକୁଳୁ ନଦୀରେ ପ୍ରବାହିତ ହେଉଛି ପ୍ରାକୃତିକ ଝରଣା । ସେଠାରେ ରହିଛି ମା ଖୁମ୍ବେଶ୍ୱରୀଙ୍କ ମନ୍ଦିର। ସେଭଳି ଏକ ସ୍ଥାନରେ ନିର୍ମାଣ ହେଉଛି ଉଦ୍ୟାନ।

ଗ୍ରାମୀଣ ପର୍ଯ୍ୟଟନର ବିକାଶ ପାଇଁ ନିର୍ମାଣ ହେଉଛି PARK

ପ୍ରାୟ ୬୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଉଦ୍ୟାନର ଶତକଡା ପ୍ରାୟ ୮୦ଭାଗ କାମ ଶେଷ ହୋଇଯାଇଛି । ପ୍ରାକୃତିକ ପରିବେଶ ଭିତରେ ଖୁବ ସୁନ୍ଦର ଭାବେ ସିମେଣ୍ଟ ଚୌକି ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ପ୍ରକାରର ବସିବା ସ୍ଥାନ, କୃତ୍ରିମ ଝରଣା, ଫାଉଣ୍ଟେନ ଓ ଅନ୍ୟାନ୍ୟ ଆକର୍ଷଣୀୟ ଜିନିଷ ନିର୍ମାଣ କରାଯାଇଛି। ଅତି ସୁନ୍ଦର ପୋଖରୀ କରାଯାଇଛି। ସେଠାରେ ପର୍ଯ୍ୟଟକ ସ୍ୱିମିଙ୍ଗର ମଜା ନେଇପାରିବେ । ସେଠାରେ କିଛି ସମୟ ଅତିବାହିତ କଲେ ନିଶ୍ଚିତ ଭାବେ ଆନନ୍ଦ ମିଳିବା ସହ ମାନସିକ ଅବସାଦ ଦୂର ହୋଇ ପାରିବ।

ତେଣୁ ଏବେଠାରୁ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। ଏହି ଉଦ୍ୟାନ ସମ୍ପୂର୍ଣ୍ଣ ଶେଷ ହେଲେ ନିଶ୍ଚିତ ଭାବେ ଏକ ଆକର୍ଷଣୀୟ ସ୍ଥାନ ପାଲଟିବ। ଏହି ସ୍ଥାନ ବିଷୟରେ ଏକ ଲୋକକଥା ରହିଛି। ବହୁ ପୂର୍ବରୁ ଏକ ବିରାଟକାୟ ସର୍ପ ଆତଙ୍କ ସୃଷ୍ଟି କରୁଥିଲା। ଲୋକଙ୍କୁ ଦଂଶନ କରୁଥିଲା। ଏଥିରେ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିଲେ। ତେଣୁ ସେଠାରେ ମା ଖୁମ୍ବେଶ୍ୱରୀଙ୍କ ସ୍ଥାପନା କରି ପୂଜାର୍ଚ୍ଚନା କଲେ। ମା ଖୁମ୍ବେଶ୍ୱରୀ ସେହି ସର୍ପକୁ ସେଠାରେ ପଥର କରି ରଖିଦେଲେ। ତେଣୁ ଏବେ ମଧ୍ୟ ଖୁମ୍ବେଶ୍ୱରୀଙ୍କ ମନ୍ଦିର ଠାରୁ ସର୍ପ ଭଳି ଏକ ଲମ୍ବା ପଥର ଅଛି ।

ତାହା ଜଙ୍ଗଲ ଭିତରକୁ କେତେ ବାଟ ଲମ୍ବିଛି । ତାହା କେହି କହି ପାରୁ ନାହାନ୍ତି । ଲୋକଙ୍କ ମତରେ ସେହି ସ୍ଥାନଟି ଅତି ପବିତ୍ର ସ୍ଥାନ ହୋଇ ଥିବାରୁ ସେଠାରେ ଉଦ୍ୟାନ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଉଦ୍ୟାନ ନିର୍ମାଣ ଶେଷ ହେବା ପରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବେ। ପ୍ରାକୃତିକ ପରିବେଶକୁ ଉପଭୋଗ କରିବେ। ତା ସହ ମା ଖୁମ୍ବେଶ୍ୱରୀଙ୍କ ଆଶୀର୍ବାଦ ଲାଭ କରିବେ।

ବଡ଼ହିଂସର ପଞ୍ଚାୟତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବା ସହ ଅନେକ ଲୋକ ଛୋଟ ମୋଟ ବ୍ୟବସାୟ କରି ଜୀବିକା ନିର୍ବାହ କରି ପାରିବେ । ତେଣୁ ରାଜ୍ୟ ସରକାରଙ୍କ ଏହି ଯୋଜନା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସେହି ସ୍ଥାନରେ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ କରା ଯାଇ ନାହିଁ । ମୁଖ୍ୟ ରାସ୍ତାକୁ ଉଦ୍ୟାନ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାଟିଏ ମଧ୍ୟ ନିର୍ମାଣ ହୋଇ ନାହିଁ। ଫଳରେ ନିର୍ମାଣ କାର୍ଯ୍ୟ ସାମାନ୍ୟ ବିଳମ୍ବ ହେଉଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated :Nov 25, 2021, 9:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.