ETV Bharat / state

ବର୍ଷକରେ ହାତୀ ନେଲାଣି 30 ଜୀବନ: ପ୍ରଶାସନ ଚୁପ, ମିଳିଲାଣି ଆନ୍ଦୋଳନ ଚେତାବନୀ

author img

By ETV Bharat Odisha Team

Published : Oct 15, 2023, 6:46 AM IST

ଅନୁଗୋଳର ବନ୍ତଳା ଅଞ୍ଚଳରେ ହାତୀ ଆତଙ୍କ । ଏହାକୁ ନେଇ ପ୍ରଶାସନ ଓ ଜଙ୍ଗଲ ବିଭାଗର ନିଘା ନିଥିବା ଅଭିଯୋଗ ଆଣିଛି ଜନ ଜୀବନ ସୁରକ୍ଷା ମଞ୍ଚ । ଅଧିକ ପଢ଼ନ୍ତୁ

ଅନୁଗୋଳର ବନ୍ତଳା ଅଞ୍ଚଳରେ ହାତୀ ଆତଙ୍କ
ଅନୁଗୋଳର ବନ୍ତଳା ଅଞ୍ଚଳରେ ହାତୀ ଆତଙ୍କ

ଅନୁଗୋଳର ବନ୍ତଳା ଅଞ୍ଚଳରେ ହାତୀ ଆତଙ୍କ

ଅନୁଗୋଳ: ହାତୀପଲ ଆତଙ୍କରେ ଆତଙ୍କିତ ଅନୁଗୋଳର ବନ୍ତଳା ଅଞ୍ଚଳ । ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି ଲୋକେ । ବର୍ଷ ତମାମ ହାତୀ ଆତଙ୍କ ବନ୍ତଳ ଅଞ୍ଚଳରେ ଦେଖିବାକୁ ମିଳୁଥିବା ବେଳେ ସରକାର ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ହାତୀ ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଏକର ଜମି ନଷ୍ଟ ହେଉଛି । ଏହାକୁ ନେଇ ପ୍ରଶାସନ ଓ ବନ ବିଭାଗର ନିଘା ନିଥିବା ଅଭିଯୋଗ ଆଣିଛି ଜନ ଜୀବନ ସୁରକ୍ଷା ମଞ୍ଚ । ଏହାସହ ଏହି ଘଟଣାର ସ୍ଥାୟୀ ସମାଧାନ ଦାବି କରିଛି । ସରକାର ତୁରନ୍ତ ଏହି ଦାବି ନଶୁଣିଲେ 128ଟି ଗାଁକୁ ନେଇ ଗଠିତ ଜନ ଜୀବନ ସୁରକ୍ଷା ମଞ୍ଚ ଆସନ୍ତା 16 ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବକୁ ଧମକ ଦେଇଛି ।

ଜନ ଜୀବନ ସୁରକ୍ଷା ମଞ୍ଚ ସଭାପତି ମହେଶ ସାହୁ କହିଛନ୍ତି, "ବର୍ଷକ ମଧ୍ୟରେ 30 ଲୋକଙ୍କ ଜୀବନ ନେଲେଣି ଗଜରାଜ । ଲୋକଙ୍କ ଏକର ଏକର ଜମି ଉଜାଡ଼ି ଦେଉଛନ୍ତି ହାତୀପଲ । ହେଲେ ପ୍ରତିକାର ପାଇଁ ପ୍ରଶାସନ କି ବନବିଭାର ନାହିଁ ନିଘା । ହାତୀଜନିତ ସମସ୍ୟା ଦ୍ବାରା ଜୀବନ ଜୀବିକା ଏକ ପ୍ରକାରର ବିପନ୍ନ । ବର୍ତ୍ତମାନ ଛାତ୍ରଛାତ୍ରୀ ସ୍କୁଲକୁ ଯିବାକୁ ସୁରକ୍ଷିତ ମଣୁ ନାହାଁନ୍ତି । ଚାଷୀଟିଏ କ୍ଷେତ ଯିବାକୁ ମଧ୍ୟ ଡରୁଛି । ସନ୍ଧ୍ୟା ହେଲେ ରାସ୍ତାଘାଟ ଶୂନ୍ । ଏଭଳି ଏକ ଭୟାତୁର ଅବସ୍ଥାରେ ବନ୍ତଳା ଅଞ୍ଚଳବାସୀ କାଳାତିପାତ କରୁଛନ୍ତି । ପ୍ରଥମେ ଜଙ୍ଗଲ ସୀମାରେ ହାତୀ ପ୍ରାର୍ଦୁଭାବ ଦେଖାଉଥିଲା କିନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଜନବସତି ଭିତରେ ହାତୀ ସ୍ଥାୟୀ ରୂପେ ରହିବା ସହିତ ଫସଲ ନଷ୍ଟ କରୁଛି । ଘରୁ ଭିଡ଼ିଆଣି ଲୋକଙ୍କୁ ମାରିବା ବର୍ତ୍ତମାନ ସବୁଠାରୁ ଚିନ୍ତାଜନକ ବିଷୟ ହୋଇଛି ।"

ଏହା ମଧ୍ୟ ପଢନ୍ତୁ...ଖୋର୍ଦ୍ଧାରେ ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ

ସେ ଅହୁରି ମଧ୍ୟ କହିଛନ୍ତି,"ବନ ବିଭାଗ ଅଧିକାରୀ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବନ୍ତଳା ସାମାଜିକ ସୁରକ୍ଷା ମଞ୍ଚ ଏହାର ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ କରିଛି । ହେଲେ ସରକାର ନିଦା ବିଷ୍ଣୁ ସାଜିଛନ୍ତି । ତେଣୁ ଆସନ୍ତା ୧୬ ତାରିଖଠାରୁ ଗଣତାନ୍ତ୍ରିକ ଉପାୟରେ ଗଣଧାରଣା ଦେବା ପାଇଁ ନିଷ୍ପତି ନେଇଛି ମଞ୍ଚ । ଚାଷୀମାନଙ୍କର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ପରିବାରବର୍ଗଙ୍କୁ ୧ କୋଟିର ସହାୟତା ରାଶି ପ୍ରଦାନ ଦାବି ହୋଇଛି ।" ଏହାସହ ଅଞ୍ଚଳକୁ ସମ୍ପୂର୍ଣ୍ଣ ହାତୀମୁକ୍ତ ନକିରବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ କହିଛି ଜନ ଜୀବନ ସୁରକ୍ଷା ମଞ୍ଚ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.