ସରିଲା ଅନୁଗୋଳ ଜିଲ୍ଲା ମହୋତ୍ସବ, ଜଲୱା ଦେଖାଇଲେ ଅଶିଷ କୌର ଓ ଶୈଳେନ୍ଦ୍ର

author img

By

Published : Jan 23, 2023, 2:18 PM IST

angul mahotsav

ଦୀର୍ଘ 5 ଦିନ ଧରି ଚାଲିଥିବା ଅନୁଗୋଳ ଜିଲ୍ଲା ମହୋତ୍ସବ ଉଦଯାପିତ ହୋଇଛି । ଅନ୍ତିମ ସନ୍ଧ୍ୟାରେ ଓଲିଉଡ ଓ ବଲିଉଡଙ୍କ ଦମଦାର ଗୀତରେ ମତୁଆଲା ହେଲେ ଦର୍ଶକ । ଅଧିକ ପଢ଼ନ୍ତୁ

ସରିଲା ଅନୁଗୋଳ ଜିଲ୍ଲା ମହୋତ୍ସବ

ଅନୁଗୋଳ: ଶେଷ ହୋଇଛି ଅନୁଗୋଳ ଜିଲ୍ଲା ମହୋତ୍ସବ । ପାଞ୍ଚ ଦିନ ଧରି ଚାଲିଥିବା ମହୋତ୍ସବର ଶେଷ ସନ୍ଧ୍ୟା ଥିଲା ସବୁଠାରୁ ଆମୋଦ ଦାୟକ । ବଲିଉଡ ଓ ଓଲିଉଡ଼ କଳାକାରଙ୍କ ନୃତ୍ୟ, ସଙ୍ଗୀତରେ ପୁରା ଝୁମିଥିଲେ ଜିଲାବାସୀ । ଏହା ସାଙ୍ଗକୁ ଚାଲିଥିବା ଲେଜର ସୋ ମଧ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଶାସନ ପକ୍ଷରୁ ଏହି ମହୋତ୍ସବର ଆୟୋଜନ ହୋଇଥିବାବେଳେ ଜିଲ୍ଲାବାସୀ ବେଶ ଆନନ୍ଦର ସହ ଏହାର ମଜା ଉଠାଇଛନ୍ତି ।

ଅନୁଗୋଳ ଜିଲ୍ଲା ମହୋତ୍ସବର ଶେଷ ସନ୍ଧ୍ୟାରେ ଜଲୱା ଦେଖାଇଥିଲେ ବଲିଉଡ ଓ ଓଲିଉଡ କଣ୍ଠଶିଳ୍ପୀ । ଶୀତୁଆ ସନ୍ଧ୍ୟାରେ କଳକାରଙ୍କ ଗୀତ ଶୁଣି ମତୁଆଲା ହୋଇଥିଲେ ଦର୍ଶକ । ପଞ୍ଚମ ତଥା ଅନ୍ତିମ ସନ୍ଧ୍ୟାର କାର୍ଯ୍ୟକ୍ରମ ରଙ୍ଗୀନ ହୋଇଥିଲା । ଯାହାର ମଜା ନେଇଥିଲେ ଅନୁଗୋଳ ଷ୍ଟାଡ଼ିୟମରେ ଉପସ୍ଥିତ ହଜାର ହଜାର ଦର୍ଶକ । ପ୍ଲେ ବ୍ୟାକ ସିଙ୍ଗର ଅଶିଷ କୌରଙ୍କ ସଙ୍ଗୀତ ଓ ନୃତ୍ୟରେ ପୁରା ଝୁମିଥିଲା ଅନୁଗୋଳ ମହୋତ୍ସବ ମୁକ୍ତାକାଶ ମଞ୍ଚ ।

ଏହା ମଧ୍ୟ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦିତ ନାରାୟଣ ଓ ଅନୁପମ୍ ଖେର, ଉଭୟଙ୍କ ଜର୍ସି ପ୍ରଦାନ କଲେ ନବୀନ

ନିଜେ ନାଚିବା ସହ ମଞ୍ଚ ନିକଟରେ ଥିବା ଦେଖଣାହାରୀଙ୍କୁ ନଚାଇଥିଲେ ଅଶିଷ । ସେ ଗାଇଥିବା ଗୋଟିଏ ପରେ ଗୋଟିଏ ହିଟ୍ ଗୀତରେ ମଞ୍ଚ ଦୁଲୁକାଇଥିଲେ । ପରେପରେ ମାହୋଲକୁ ଆହୁରି ରଙ୍ଗୀନ କରିଥିଲା ଓଲିଉଡ କଳାକାର ଶୈଳେନ୍ଦ୍ର ସାମନ୍ତରାୟଙ୍କ ନୃତ୍ୟ। 'ତୋ ଗାଲର କଳାଜାଇ....' ଗୀତର ତାଳେ ତାଳେ ସମସ୍ତେ ନାଚି ଉଠିଥିଲେ । ଏହାସହ ପ୍ଲେ ବ୍ୟାକ ସିଙ୍ଗର ଅବିନାଶ ଦାସ ନିଜ ଗୀତର ଯାଦୁରେ ସଭିଙ୍କୁ ମତୁଆଲା କରିଥିଲେ । ଯାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Human and Shreya Marital Discord: ଆସନ୍ତା ୩୦ରେ ଉଭୟଙ୍କୁ କରାଯିବ କାଉନସେଲିଂ

ଶେଷ ସନ୍ଧ୍ୟାରେ ସବୁଠାରୁ ଆକର୍ଷଣ ଥିଲା ଲେଜର ସୋ' । ପ୍ରଥମ କରି ଅନୁଗୋଳରେ ଏଭଳି ସୋ' ହୋଇଥିବା ବେଳେ ସମସ୍ତେ ଏହାର ମଜା ନେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସ୍ଥାନୀୟ କଳାକାରଙ୍କ ଲୋକନୃତ୍ୟ ଅନୁଗୋଳର ଐତିହ୍ୟ ସଂସ୍କୃତିକୁ ମନେ ପକାଇଥିଲା । ଅନୁଗୋଳ ଜିଲ୍ଲା ମହୋତ୍ସବ ଉଦଯାପନୀ ଅବସରରେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଓ ଜିଲ୍ଲାର ଦୁଇ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.