ETV Bharat / state

ଗାଁ ପାଇଁ ଆଦର୍ଶ ସାଜିଲେ ଅନୁକୂଳ; ଏକା ସଫା କଲେଣି ୩ କିଲୋମିଟର ଡ୍ରେନ

author img

By ETV Bharat Odisha Team

Published : Dec 6, 2023, 2:29 PM IST

ଗାଁ ପାଇଁ ଆଦର୍ଶ ସାଜିଲେ ଅନୁକୂଳ
ଗାଁ ପାଇଁ ଆଦର୍ଶ ସାଜିଲେ ଅନୁକୂଳ

ଗାଁ ରାସ୍ତାକଡରେ ପୋତିହୋଇ ରହିଥିଲା ଡ୍ରେନ । ବର୍ଷା ହେଲେ ପାଣି ଆସି ଘର ଭିତରେ ପଶୁଥିଲା । ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ହେଁ କେହି କର୍ଣ୍ଣାପତ କଲେନି । ଶେଷରେ ନିଜେ ହାତରେ କୋଡି କୋଦାଳ ଧରି ଡ୍ରେନ ସଫା କଲେ ଅନୁକୂଳ ସାହୁ । ଗାଁ ଲୋକଙ୍କ ସୁବିଧା ପାଇଁ ୧୫ ଦିନ ହେଲା ସେ ଏକାକି ୩ କିଲୋମିଟର ଡ୍ରେନ ସଫା କରୁଛନ୍ତି । ଅଧିକ ପଢନ୍ତୁ

ଗାଁ ପାଇଁ ଆଦର୍ଶ ସାଜିଲେ ଅନୁକୂଳ

ଅନୁଗୋଳ: ଦୀର୍ଘ ୧୦ ବର୍ଷ ଧରି ରାସ୍ତାକଡରେ ଥିବା ଡ୍ରେନ ପୋତି ହୋଇଯାଇଥିଲା । ବର୍ଷା ହେଲେ ପାଣି ଘର ଭିତରେ ପଶୁଥିଲା । ଗାଁ ସାରା ମଶା ଡାଁଆସଙ୍କ ପ୍ରାଦୁର୍ଭାବ ବଢ଼ି ଯାଇଥିଲା । ସେହି ରାସ୍ତା ଦେଇ ପଞ୍ଚାୟତ ପ୍ରତିନିଧିଠାରୁ ବ୍ଲକ ପ୍ରତିନିଧି ପର୍ଯ୍ୟନ୍ତ ସମସ୍ତେ ଯାତାୟାତ କରୁଥିଲେ ମଧ୍ୟ କାହାର ନଜର ପଡୁନଥିଲା ଡ୍ରେନ୍‌ ଉପରେ । ଗାଁ ଲୋକଙ୍କ ସମସ୍ୟାକୁ ଦେଖି ଶେଷରେ ନିଜେ ଡ୍ରେନ୍‌ ପୁନରୁଦ୍ଧାର କରିବାକୁ ଅଣ୍ଟା ଭିଡ଼ିଲେ ଅନୁକୂଳ ସାହୁ । ନିଜେ ହାତରେ ଶାବଳ, କୋଡି କୋଦାଳ ଧରି ବାହାରି ପଡିଲେ ଡ୍ରେନ୍‌ ସଫା କରିବାକୁ । ପ୍ରାୟ ୧୫ ଦିନ ହେଲା ସେ ଏକୁଟିଆ ୩ କିଲୋମିଟର ଲମ୍ବ ଡ୍ରେନ ସଫେଇ କାର୍ଯ୍ୟ କରିଆସୁଛନ୍ତି । ଏହି ଦୃଶ୍ୟ ହେଉଛି ଅନୁଗୋଳ ଜିଲ୍ଲା ବସଲା ଗାଁର । ଅନୁକୂଳଙ୍କ ଏଭଳି ନିସ୍ବାର୍ଥପର କାର୍ଯ୍ୟକୁ ଗ୍ରାମବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଅନୁଗୋଳ ଜିଲ୍ଲାର ବସଲା ଗାଁ । ଗାଁରେ ପ୍ରାୟ ୩୦୦ରୁ ଅଧିକ ପରିବାର ବସବାସ କରନ୍ତି । ଅଧିକାଂଶ ଲୋକ ଚାଷବାସ ଉପରେ ନିର୍ଭରଶୀଳ । ତେଣୁ ସକାଳ ହେଲେ ସମସ୍ତେ ବିଲବାଡ଼ି ଓ ବଗିଚାରେ ବ୍ୟସ୍ତ ରୁହନ୍ତି । ଗାଁ ମଝିରେ ଅଛି ମୁଖ୍ୟ ରାସ୍ତା । ବସଲା ଛକଠାରୁ ଇଙ୍କରବନ୍ଧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଛି ରାସ୍ତା । ରାସ୍ତା ପାର୍ଶ୍ବରେ ଗାଁ ଆରମ୍ଭରୁ ଶେଷ ସୀମା ପର୍ଯ୍ୟନ୍ତ ପ୍ରାୟ ୩ କିମି ନିର୍ମାଣ କରାଯାଇଛି ଡ୍ରେନ । ପ୍ରାୟ ୧୦ ବର୍ଷ ପୂର୍ବେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଡ୍ରେନ ସମ୍ପୂର୍ଣ୍ଣ ପୋତି ହୋଇଯାଇଥିଲା । ତେଣୁ ବର୍ଷା ଦିନେ ରାସ୍ତାର ପାଣି ଲୋକଙ୍କ ଘର ଭିତରେ ପଶୁଥିଲା । ରାସ୍ତା ଉପରେ ଓ ଲୋକଙ୍କ ଅଗଣାରେ ପାଣି ଜମି ରହିବା ଯୋଗୁଁ ମଶା ଡାଁଆଶଙ୍କ ପ୍ରାଦୁର୍ଭାବ ବଢୁଥିଲା । ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ ।

ଡ୍ରେନ୍‌ ସଫା କରିବା ପାଇଁ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏହା ଦେଖି ଗାଁର ଅନୁକୂଳ ସାହୁ କାହାର ବିନା ସହାୟତାରେ ନିଜେ ଡ୍ରେନ୍‌ ସଫା କରିବାକୁ ଶପଥ ନେଇଥିଲେ । ଅନୁକୂଳଙ୍କ ବୟସ ୫୦ ପାର୍ ହୋଇଯାଇଥିଲେ ମଧ୍ୟ ସେ ଏଭଳି ଏକ କଷ୍ଟସାଧ୍ୟ କାମ ହାତକୁ ନେଇଛନ୍ତି । ପ୍ରାୟ ୧୫ ଦିନ ହେଲା ସେ ଡ୍ରେନ ସଫା କାମରେ ଲାଗିଛନ୍ତି । ସକାଳ ହେଲେ କୋଡ଼ି କୋଦାଳ ଓ ଶାବଳ ଧରି ଘରୁ ବାହାରି ପଡୁଛନ୍ତି ଅନୁକୂଳ । ପୋତି ହୋଇ ରହିଥିବା ଡ୍ରେନ ଭିତରୁ ମାଟି ଖୋଲି ବାହାର କରୁଛନ୍ତି । ଡ୍ରେନ୍‌ ଉଭୟ ପାର୍ଶ୍ବକୁ ପରିଷ୍କାର କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରୋଗୀଙ୍କୁ ଟେକି ନେଇ ଚିକିତ୍ସା କଲେ ଡାକ୍ତର, ସବୁଠି ବାଃ ବାଃ

ଯେଉଁଠି ଡ୍ରେନ୍‌ ଉପରେ ସିମେଣ୍ଟ ଚାଦର ଘୋଡାଇ ଦିଆଯାଇଛି ସେଠାରେ ବିଜୁଳି ଆଲୁଅ ଲଗାଇ ଭିତରେ ପଶି ସଫା କରୁଛନ୍ତି । ଦିନରାତି ସେ ଏକୁଟିଆ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୧ କିମିରୁ ଅଧିକ ଡ୍ରେନ ସଫା କରିସାରିଛନ୍ତି । ଆଗକୁ ଆହୁରି ପ୍ରାୟ ୨ କିମି ସଫା କରିବାକୁ ଅଛି । ତେଣୁ ଯେତେ ଦିନ ଲାଗୁ ପଛେ ସେ ଏମିତି ଜନକଲ୍ୟାଣ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ତାଙ୍କୁ ଅମାପ ଆନନ୍ଦ ମିଳୁଥିବା କୁହନ୍ତି ଅନୁକୂଳ । ଏବେ ଗାଁରେ ଡ୍ରେନ ଦେଖିଲେ ବହୁତ ଖୁସି ଲାଗୁଛି । ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଅନୁକୂଳ ସାହୁ ପ୍ରାୟ ୧ କିମି ପର୍ଯ୍ୟନ୍ତ ଯେଉଁଭଳି ସଫା କରି ଡ୍ରେନକୁ ପୁନରୁଦ୍ଧାର କରିଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ।

ଗାଁ ଗାଁର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନର ଅବହେଳା ଯୋଗୁଁ ଲୋକଙ୍କ ବିକାଶରେ ବାଧା ସୃଷ୍ଟି ହେଉଛି । ବସଲା ଗାଁ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ହେଲେ ଅନୁକୂଳ ଏକ ସାଧାରଣ ମଣିଷଟିଏ ହୋଇଥିଲେ ମଧ୍ୟ ତାଙ୍କ ସେବା ପାଇଁ ଥିବା ଆଗ୍ରହ ଅସାଧାରଣ । ସେଥିପାଇଁ ସେ ନିଶ୍ଚିତ ଭାବେ ପ୍ରଶଂସନୀୟ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.