ରୋଗୀଙ୍କୁ ଟେକି ନେଇ ଚିକିତ୍ସା କଲେ ଡାକ୍ତର, ସବୁଠି ବାଃ ବାଃ

By ETV Bharat Odisha Team

Published : Sep 20, 2023, 7:56 PM IST

thumbnail

କେନ୍ଦ୍ରାପଡା: ନା ଥିଲା ଲାଇଟ, ନା କ୍ୟାମେରା  । ହେଲେ ରୋଗୀକୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ଯୁବଡାକ୍ତର ଦେଖାଇଲେ ଜବରଦସ୍ତ ଆକ୍ସନ । ଗୋଟିଏ ପଟେ ରୋଗୀଙ୍କ ପୁଅ ମଦ ନିଶାରେ ଗାଳିଗୁଲଜ କରୁଥିବା ବେଳେ, ଆରପଟେ ମୃତ୍ୟୁମୁଖରେ ପଡିଥିବା ତା'ର ବାପାଙ୍କୁ ଟେକି ଟେକି ହସ୍ପିଟାଲ ବେଡ୍‌ରେ ପହଞ୍ଚାଇଲେ ଡାକ୍ତର । ଯାହାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଦ୍ବିତୀୟ ଭଗବାନ କୁହାଯାଉଥିବା ଡାକ୍ତରଙ୍କ ଏଭଳି ସେବା ମନୋଭାବକୁ ବିଭିନ୍ନ ମହଲରେ ଭୂରି ଭୂରି ପ୍ରଶଂସା କରାଯାଉଛି । ସମ୍ପୃକ୍ତ ଡାକ୍ତର ଜଣକ ହେଉଛନ୍ତି ଗୌରାଙ୍ଗ ଘଡେଇ, ଘର ବାଘମାରୀ ଅଞ୍ଚଳରେ । ସେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି  । 

ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କାଙ୍କଦିଆ ଗାଁର ୬୦ ବର୍ଷୀୟ ମାଗୁଣି ଜେନା ପାରିବାରିକ କଳହ ଯୋଗୁଁ ସୋମବାର ସନ୍ଧ୍ୟାରେ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ଗୌରାଙ୍ଗ ଘଡାଇ ମେଡିକାଲ ବାରଣ୍ଡା ହିଁ ତାଙ୍କୁ ପ୍ରାଥମିକ ଚିକିତ୍ସା ସ୍ୱରୂପ ପଟାସ ପାଣି ପିଆଇ ବାନ୍ତି କରାଇଥିଲେ । ମାଗୁଣିଙ୍କର ରକ୍ତଚାପ ବଢିବାରୁ ତାଙ୍କୁ ବାରଣ୍ଡାରୁ ବେଡ଼ ପର୍ଯ୍ୟନ୍ତ ଆଣିବା ପାଇଁ ଡାକ୍ତର କହିଥିଲେ । ହେଲେ ମାଗୁଣିଙ୍କ ପୁଅ ନିଶାସକ୍ତ ଅବସ୍ଥାରେ ମେଡ଼ିକାଲ କର୍ମଚାରୀ, ଡାକ୍ତର ଓ ପରିବାର ଲୋକଙ୍କୁ ଗାଳି ଗୁଲଜ କରିଥିଲା କିନ୍ତୁ ବାପାଙ୍କୁ ବେଡ଼ ପର୍ଯ୍ୟନ୍ତ ଆଣିନଥିଲା । ପୁଅର ଏଭଳି ଆଚରଣ ଦେଖି ଝିଅ ଓ ସ୍ତ୍ରୀ ଭୟଭୀତ ହୋଇପଡିଥିଲେ ଓ ମାଗୁଣିଙ୍କୁ ବେଡ୍ ଯାଏ ଆଣି ପାରିନଥିଲେ  । 

ଏହାମଧ୍ୟ ପଢନ୍ତୁ: ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ

କିଛି ଉପାୟ ନପାଇ ଶେଷରେ ଡାକ୍ତର ଘଡେଇ ନିଜେ ରୋଗୀଙ୍କୁ ଟେକି ଟେକି ବେଡକୁ ନେଇଥିଲେ  ଏବଂ ଇଞ୍ଜେକ୍ସନ, ସାଲାଇନ ଦେଇଥିଲେ । ଏହାପରେ ଅଧିକ ଚିକିତ୍ସା ପାଇଁ ମାଗୁଣିଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ଜନ୍ମକଲା ପୁଅ ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତ କାଣ୍ଡ ଘଟାଇବାକୁ ଲୋକେ ଘୃଣା କରିଥିବା ବେଳେ ଅନ୍ୟପଟେ ଡାକ୍ତର ଗୌରାଙ୍ଗ ଘଡେଇଙ୍କ ମହାନତାକୁ ବେଶ୍ ପ୍ରଶଂସା କରିଛନ୍ତି  । 
 

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.