ETV Bharat / sports

FIH Hockey WC 2023: ଭବ୍ୟ ଆୟୋଜନ ପାଇଁ ୧୧୦୦ କୋଟି ଖର୍ଚ୍ଚ କରୁଛନ୍ତି ଓଡି଼ଶା ସରକାର

author img

By

Published : Nov 28, 2022, 1:36 PM IST

Odisha Government Spending 1100 crores For FIH Hockey World Cup 2023
FIH Hockey WC 2023: ଭବ୍ୟ ଆୟୋଜନ ପାଇଁ ୧୧୦୦ କୋଟି ଖର୍ଚ୍ଚ କରୁଛନ୍ତି ଓଡି଼ଶା ସରକାର

ଗତଥର ରାଜ୍ୟ ସରକାର ୨୦୧୮ରେ ହକି ବିଶ୍ବକପ ଆୟୋଜନ ପାଇଁ କେବଳ ୬୬.୭୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ମାତ୍ର ଏଥର ଖର୍ଚ୍ଚ ପରିମାଣ ପ୍ରାୟ ୧୬ ଗୁଣା ବୃଦ୍ଧି କରି ୧,୦୯୮.୪୦ କୋଟି କରିଛନ୍ତି ।

ଭୁବନେଶ୍ବର: କ୍ରମାଗତ ଦ୍ବିତୀୟ ଥର ପାଇଁ ଓଡି଼ଶା ସରକାର ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ଆସନ୍ତାବର୍ଷ(୨୦୨୩) ଜାନୁଆରୀରେ ହେବାକୁ ଥିବା FIH ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଓଡି଼ଶା ସରକାର ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଅନୁମାନ କରାଯାଉଛି । ଗତଥର ରାଜ୍ୟ ସରକାର ୨୦୧୮ରେ ହକି ବିଶ୍ବକପ ଆୟୋଜନ ପାଇଁ କେବଳ ୬୬.୭୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ମାତ୍ର ଏଥର ଖର୍ଚ୍ଚ ପରିମାଣ ପ୍ରାୟ ୧୬ ଗୁଣା ବୃଦ୍ଧି କରି ୧,୦୯୮.୪୦ କୋଟି କରିଛନ୍ତି ।

17052150
ବିର୍ସାମୁଣ୍ଡା ହକି ଷ୍ଟାଡିୟମ, ରାଉରକେଲା

୨୦୧୮ରେ ବିଶ୍ବକପର ସମସ୍ତ ମ୍ୟାଚ୍‌ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା । ମାତ୍ର ଚଳିତ ଥର ଭୁବନେଶ୍ବର ସହିତ ରାଉରକେଲାରେ ନବନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମଧ୍ୟ ବିଶ୍ବକପ ମ୍ୟାଚ୍‌ ଖେଳାଯିବ । ଅଧିକାରିକ ସୂତ୍ର ଅନୁସାରେ, ମୋଟ ୧,୦୯୮.୪୦ କୋଟି ଟଙ୍କାରୁ ରାଉରକେଲା ସହରରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଓ ସଂଲଗ୍ନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ୧,୦୧୦ କୋଟି ଟଙ୍କା ଖର୍ଚ୍ଚ କରୁଛି ।

ରାଉରକେଲାରେ ନୂଆ ଷ୍ଟାଡିୟମ ନିର୍ମାଣରେ ସର୍ବାଧିକ ୮୭୫.୭୮ କୋଟି ଟଙ୍କାର ନିବେଶ କରାଯାଉଛି, ଓ ଏହା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି । ଆବାସ ଭବନ(ହୋଟେଲ) ନିର୍ମାଣ ପାଇଁ ୮୪ କୋଟି ଟଙ୍କା, ରାଉରକେଲାରେ ପାଶ୍ବବର୍ତ୍ତୀ ଅଞ୍ଚଳର ବିକାଶ କାର୍ଯ୍ୟ ପାଇଁ ୧୦.୫୦ କୋଟି ଟଙ୍କା ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ବିଦ୍ୟୁତ କାର୍ଯ୍ୟ ପାଇଁ ୧୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

17052150
ବିର୍ସାମୁଣ୍ଡା ହକି ଷ୍ଟାଡିୟମ, ରାଉରକେଲା

ଏହିପରି ରାଉରକେଲା ଓ ଭୁବନେଶ୍ବର ଦୁଇ ଷ୍ଟାଡିୟମରେ ସିନ୍ଥେଟିକ ଟର୍ଫ ଲଗାଇବା ପାଇଁ ସରକାର ହକି ଇଣ୍ଡିଆକୁ ୧୭.୫୦ କୋଟି ଟଙ୍କା ପ୍ରଦାନ କରିଛି । ସରକାର କାର୍ଯ୍ୟକ୍ରମ ସ୍ଥଳ ପ୍ରବନ୍ଧନ, ହୋଟେଲ, ପରିବହନ ଓ ମିଡିଆ ପ୍ରଚାର ଉପରେ ମଧ୍ୟ ୭୫ କୋଟି ଟଙ୍କା ଖର୍ଚ୍ଚ କରିବ । ଏହା ବ୍ୟତୀତ ରାଜ୍ୟ ଖେଳ ବିଭାଗ ଦ୍ବାରା କରାଯାଇଥିବା ଆକଳନ ଅନୁଯାୟୀ, ରାଉରକେଲାରେ ଏକ ସୁଇମିଂ ପୁଲ୍‌ର ବିକାଶ ପାଇଁ ୯.୧୫ କୋଟି ଟଙ୍କା, କଳିଙ୍ଗ ଷ୍ଟାଡିୟମରେ ଫ୍ଲଡ ଲାଇଟ୍‌ ଲଗାଇବା ପାଇଁ ୫.୩୯ କୋଟି ଟଙ୍କା ଓ ଷ୍ଟାଡିୟମରେ ଷ୍ଟାଣ୍ଡ୍‌ର ସଂପ୍ରସାରଣ କରିବାକୁ ୮ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

୨୦୧୮ରେ ମୋଟ ୬୬.୯୮ କୋଟି ଟଙ୍କାରୁ, ଓଡି଼ଶା ସରକାର, ହକି ଇଣ୍ଡିଆ, ଏଫଆଇଏଚ୍‌କୁ(ଅନ୍ତର୍ଜାତୀୟ ହକି ମହାସଂଘ) ଭାଗିଦାର ଅଧିକାର ମୂଲ୍ୟ ରୂପେ ୨୫ କୋଟି ଟଙ୍କା ଜମା କରିଥିଲା । ଗତ ବିଶ୍ବକପରେ ବ୍ୟୟ ପରିବହନ, ଆବାସ, ପ୍ରଚାର-ପ୍ରସାର ଭେନ୍ୟୁ ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ଆଦି ଉପରେ ୧୮.୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ହକି ବିଶ୍ବକପ ୨୦୨୩
ହକି ବିଶ୍ବକପ ୨୦୨୩

ରାଜ୍ୟ ସରକାର ଗତ ସଂସ୍କରଣ ତୁଳନାରେ ଚଳିତ ଥର ସମ୍ମାନଜନକ ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ବଡ ଓ ବିରାଟ ହେବାପାଇଁ ଏକାଧିକ ଯୋଜନା କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣକାରୀ ଟିମଗୁଡିକ ପାଇଁ ଓ ଦର୍ଶକଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ସ୍ମରଣୀୟ ଓ ଆକର୍ଷଣୀୟ କରିବାକୁ ରାଜ୍ୟରେ ଅନେକ ମେଗା ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବିଶ୍ବକପର ଆୟୋଜନ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ମଧ୍ୟରେ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜନ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.