ETV Bharat / sports

WPL 2023: ମୁମ୍ବାଇ-ଦିଲ୍ଲୀ ଫାଇନାଲ ମୁକାବିଲା, 72 ରନରେ ହାରିଲା ୟୁପି

author img

By

Published : Mar 25, 2023, 7:46 AM IST

ମୁମ୍ବାଇ-ଦିଲ୍ଲୀ ଫାଇନାଲ ମୁକାବିଲା
WPL 2023

ମହିଳା ପ୍ରିମିୟର ଲିଗ ପ୍ରଥମ ସଂସ୍କରଣ ଫାଇନାଲ ଫାଇଟ ପାଇଁ ଦୁଇ ଟିମ ସ୍ଥାନ ପକ୍କା କରି ସାରିଛନ୍ତି । ଏଲିମିନିଟେର ମ୍ୟାଚରେ ୟୁପିକୁ ହରାଇ ଦ୍ବିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଆସନ୍ତାକାଲି (ରବିବାର) ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ

ମୁମ୍ବାଇ: ଅନ୍ତିମ ପର୍ଯ୍ୟାୟରେ ମହିଳା ଆଇପିଏଲ ପ୍ରଥମ ସଂସ୍କରଣ । ଟ୍ରଫି ଟକ୍କର ପାଇଁ ଲାଇନଅପ ଚୂଡାନ୍ତ ହୋଇଛି । ଦ୍ବିତୀୟ ଦଳ ଭାରେ ଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ । ଏଲିମିନେଟର ମ୍ୟାଚରେ ୟୁପି ୱାରିୟର୍ଜକୁ 72 ରନରେ ପରାସ୍ତ କରିଛି ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ନାତାଲି ସ୍କିଭର ବ୍ରଣ୍ଟ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଆସନ୍ତାକାଲି (ରବିବାର) ଟାଇଟଲ ମୁକାବିଲା ହେବ । ପୂର୍ବରୁ ୟୁପିକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା ମେଗ ଲାନିଂଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ।

ଡି.ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଆଲିସା ହିଲିଙ୍କ ନେତୃତ୍ବାଧୀନ ୟୁପି ୱାରିୟର୍ଜ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପରନ ହେଲି ମାଥ୍ୟୁସ ଓ ୟସ୍ତିକା ଭାଟିଆ ଭଲ ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ 31ରନର ଭାଗିଦାରୀ ହୋଇଥିଲା । ବ୍ୟକ୍ତିଗତ 31 ରନ କରି ୟାସ୍ତିକା ଭାଟିଆ ପ୍ରଥମେ ଆଉଟ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ନାତାଲି ସ୍କିଭର ବ୍ରଣ୍ଟ । ମାଥ୍ୟୁସଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦଳୀୟ ସ୍କୋର 69ରେ ବ୍ୟକ୍ତିଗତ 26 ରନ କରି ହେଲି ମାଥ୍ୟୁସ ପାଭିଲିୟନ ଫେରିଥିଲେ । ୟୁପି ବୋଲର ମୁମ୍ବାଇ ବ୍ୟାଟରଙ୍କ ଉପରେ ଚାପ ପକାଇଥିଲେ ।

ହର୍ମନପ୍ରୀତ କୌର 14 ରନ କରି ସଅଳ ପାଭିଲିୟନ ଫେରିଥିଲେ । ସ୍କିଭର ବ୍ରଣ୍ଟ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । 38 ବଲର ସାମ୍ନା କରି ସ୍କିଭର ବ୍ରଣ୍ଟ ଅପରାଜିତ 72 ରନ (9ଟି ଚୌରା, 2ଟି ଛକା) କରିଥିଲେ । ସେ ଆମେଲିଆ କେରଙ୍କ ସହ ଚତୁର୍ଥ ୱିକେଟରେ 60 ରନ ଯୋଗ କରିଥିଲେ । ଆମେଲିଆ 29 ରନ କରି ଆଉଟ ହୋଇଥିଲେ । ସ୍କିଭର ଶେଷ ଯାଏ ମଇଦାନରେ ରହି ଦଳୀୟ ସ୍କୋରକୁ 182ରେ ପହଞ୍ଚାଇଥିଲେ । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ପୂଜା ବସ୍ତ୍ରାକାର 11 ରନ କରିଥିଲେ । ୟୁପି ପକ୍ଷରୁ ସୋଫି ଏକ୍ଲୋଷ୍ଟୋନ ସର୍ବାଧିକ 2ଟି ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...World Boxing Championship: ଫାଇନାଲରେ 4 ବକ୍ସର, ଗୋଲ୍ଡ ପାଇଁ ହେବ ମହା ଲଢ଼େଇ

183 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ୟୁପି ୱାରିୟର୍ଜ । ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ଓପନର ଶ୍ବେତା ସେହରାୱତ 1 ରନ କରି ଆଉଟ ହୋଇଥିଲେ । ଆଲିସା ହିଲି ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ନଥିଲେ । 11 ରନ କରି ଆଉଟ ହୋଇଥିଲେ । ପରେ ପରେ ତଲିହା ମ୍ୟାକଗ୍ରା 7 ରନ କରି ପାଭିଲିୟନ ଫେରିଥିଲେ । ଦଳକୁ ସଙ୍କଟରୁ ଉଠିବା କଷ୍ଟକର ହୋଇଥିଲା । ମଧ୍ୟଭାଗରେ କିରଣ ନବଗିରି ଉପଯୋଗୀ ବ୍ୟାଟିଂ କରିଥିଲେ ସୁଦ୍ଧା ତାହା ଯଥେଷ୍ଟ ନଥିଲା । 17.4 ଓଭରରେ ଦଳର ସମସ୍ତ ୱିକେଟ ପତନ ହୋଇଥିଲା । ଜବାବରେ ୟୁପି କେବଳ 110 ରନ କରିବାରେ ସକ୍ଷମ ହୋଇଥିଲା ।

WPLରେ ଇସି ୱଙ୍ଗଙ୍କ ପ୍ରଥମ ହ୍ୟାଟ୍ରିକ: ଏଲିମିନେଟର ମ୍ୟାଚରେ ଫୁଲ ଫର୍ମରେ ଥିଲେ ମୁମ୍ବାଇ ଇଣ୍ଡିଆନ୍ସରେ ଇସି ୱଙ୍ଗ । 13ତମ ଓଭରରେ ଇସି ୱଙ୍ଗଙ୍କ ହ୍ୟାଟ୍ରିକ ମୁମ୍ବାଇର ବିଜୟ ପଥ ପରିଷ୍କାର କରିଥିଲେ । 13ତମ ଓଭର ଦ୍ବିତୀୟ ବଲରେ କିରଣ ନବଗିରିଙ୍କୁ ଆଉଟ କରିଥିଲେ ୱଙ୍ଗ । ପରବର୍ତ୍ତୀ ଦୁଇ ବଲରେ ଯଥାକ୍ରମେ ସିମରେନ ଶେଖ ଓ ସୋଫି ଏକ୍ଲୋଷ୍ଟୋନ ବୋଲ୍ଡ ହୋଇଥିଲେ । ଏହାପରେ ୟୁପିର ବିଜୟ ଆଶା ମଉଳି ଯାଇଥିଲା । ଇସି ୱଙ୍ଗଙ୍କ ଏହି ହ୍ୟାଟ୍ରିକ ଡବ୍ଲ୍ୟୁପିଏଲରେ ପ୍ରଥମ ହ୍ୟାଟ୍ରିକ । ଏହି ମ୍ୟାଚରେ ୱଙ୍କ ମୋଟ 4ଟି ୱିକେଟ ଅକ୍ତିଆର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.