ETV Bharat / sports

WPL 2023: ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ, ହାରିଲା ୟୁପି

author img

By

Published : Mar 22, 2023, 7:09 AM IST

delhi capital qualifies for final
WPL 2023

ମହିଳା ଆଇପିଏଲ ଲିଗ ପର୍ଯ୍ୟାୟ ଶେଷ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଦଳ ଭାବେ ସିଧାସଳଖ ଫାଇନାଲରେ ପ୍ରବେଶ କରିଛି । ଅଧିକ ପଢନ୍ତୁ

ମୁମ୍ବାଇ: ମହିଳା ପ୍ରିମିୟର ଲିଗରେ ଲିଗ ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଛି । ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ମହିଳା ଆଇପିଏଲର 20ତମ ମ୍ୟାଚରେ ୟୁପି ୱାରିୟର୍ଜକୁ 5 ୱିକେଟରେ ପରାସ୍ତ କରି ସିଧାସଳଖ ଫାଇନାଲକୁ ଉତୀର୍ଣ୍ଣ ହୋଇଛି ମେଗ ଲାନିଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସ । ଆଲିସ କ୍ୟାପସି 3 ୱିକେଟ ନେବା ସହ 34 ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ପଏଣ୍ଟ ଟେବୁଲ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ରହିଥିବା ମୁମ୍ବାଇ ଓ ୟୁପି ମଧ୍ୟରେ ଏଲମିନେଟର ମୁକାବିଲା ହେବ ।

ମହିଳା ଆଇପିଏଲରେ ଅନୁଷ୍ଠିତ ଅନ୍ତିମ ଲିଗ ମ୍ୟାଚରେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ୟୁପି ଭଲ ଆରମ୍ଭ କରିଥିଲା । ମାତ୍ର ଶେଷ ଭାଗକୁ ଦଳ ଲୟ ହରାଇଥିଲା । ଦଳ ପକ୍ଷରୁ ତଲିୟା ମ୍ୟାକଗ୍ରା 32 ବଲ ସାମ୍ନା କରି ସର୍ବାଧିକ 58 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲିସା ହିଲି 36, ଶ୍ବେତା ସେରାୱତ 19 ଓ ସିମରନ ଶେଖ 11 ରନ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଲିସ କ୍ୟାପସି ସର୍ବାଧିକ 3ଟି ୱିକେଟ ନେଇଥିଲେ । ନିର୍ଦ୍ଧାରିତ 20 ଓଭରରେ ୟୁପି 138 ରନ କରିଥିଲା । ଦିଲ୍ଲୀକୁ ବିଜୟ ପାଇଁ 139 ରନ ଦରକାର ଥିଲା ।

ଏହା ବି ପଢନ୍ତୁ...ହକି ତାରକା ରାନୀ ରାମପାଲଙ୍କ ନାମରେ ଷ୍ଟାଡିୟମ

ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦିଲ୍ଲୀ । ଜବାବରେ ଦୁଇ ଓପନର ମେଗ ଲାନିଙ୍ଗ ଓ ଶେଫାଳ ବର୍ମା 56 ରନ ସଂଗ୍ରହ କରିଥିଲେ । ବ୍ୟକ୍ତିଗତ 21 ରନ କରି ଶେଫାଳି ଆଉଟ ହୋଇଥିଲେ । ପରେ ପରେ ମେଗ ଲାନିଙ୍ଗ 23 ବଲରେ 39 ଓ ଜେମିମା ରୋଡ୍ରିଗ୍ସ 3 ରନ କରି ଆଉଟ ହୋଇଥିଲେ । ମାରିଜାନ କାପ ଓ ଆଲିସ କ୍ୟାପସି ସ୍ଥିତି ସମ୍ଭାଳି ବିସ୍ଫୋରକ ବ୍ୟାଟିଂ କରି 60 ରନ ଭାଗିଦାରୀ କରିଥିଲେ ।

ଦଳୀୟ ସ୍କୋର 130ରେ କ୍ୟାପସି ଆଉଟ ହୋଇଥିଲେ । ମାରିଜାନ କାପ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ସେ 34 ରନ କରିଥିଲେ । ଏହି ବିଜୟ ସହ ଦିଲ୍ଲୀ 12 ପଏଣ୍ଟ ପାଇ ଟେବୁଲ ଟପରେ ରହିଛି । ଫାଇନାଲକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି । ଲିଗ ପର୍ଯ୍ୟାୟରେ ଦିଲ୍ଲୀ ମୋଟ 8ଟି ମ୍ୟାଚ ଖେଳି 6ଟିରେ ବିଜୟ ହାସଲ କରିଥିବାବେଳେ 2ଟିରେ ପରାସ୍ତ ହୋଇଛି । ଗୁଜରାଟ ଜାଏଣ୍ଟ୍ସ ଓ ବାଙ୍ଗାଲୋର 4 ପଏଣ୍ଟ ହାସଲ କରି ଅଭିଯାନ ଶେଷ କରିଛନ୍ତି । ମୁମ୍ବାଇ 12 ପଏଣ୍ଟ ସହ ଦ୍ବିତୀୟ ଓ ୟୁପି ୱାରିୟର୍ସ 8 ପଏଣ୍ଟ ପାଇଁ ତୃତୀୟ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.