WTC Final: କୋହଲିଙ୍କ ଉପରେ ଭରସା, ଆଜି କରିବେ ଇଂଲଣ୍ଡ ଗସ୍ତ

author img

By

Published : May 23, 2023, 6:33 AM IST

Updated : May 23, 2023, 6:41 AM IST

ମଙ୍ଗଳବାର ଇଂଲଣ୍ଡ ଗସ୍ତ କରିବେ କୋହଲି

ଆଇପିଏଲ ୨୦୨୩ରେ ଧୂଆଁଧାର ପ୍ରଦର୍ଶନ ପରେ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ମଙ୍ଗଳବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ । ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିଆନସିପ୍‌ ଖେଳିବା ପାଇଁ ୩ଟି ପର୍ଯ୍ୟାୟରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବା ପାଇଁ ଯୋଜନା କରିଛି ବିସିସିଆଇ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆଇପିଏଲ ୨୦୨୩ରେ ଧୂଆଁଧାର ପ୍ରଦର୍ଶନ ପରେ ଭାରତୀୟ ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ମଙ୍ଗଳବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ । ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିଆନସିପ୍‌ ଖେଳିବା ପାଇଁ ୩ଟି ପର୍ଯ୍ୟାୟରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବା ପାଇଁ ଯୋଜନା କରିଛି ବିସିସିଆଇ । ତେବେ ପ୍ରଥମ ପର୍ଯ୍ୟାୟରେ ବିରାଟ କୋହଲିଙ୍କ ସମେତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଚଳିତ ଆଇପିଏଲ ସଂସ୍କରଣରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ଷ୍ଟାର ବୋଲର ମହମ୍ମଦ ସିରାଜ ମଧ୍ୟ ମଙ୍ଗଳବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ । ଏହି ଦୁଇ ଷ୍ଟାର କ୍ରିକେଟରଙ୍କ ସମେତ ଇଂଲଣ୍ଡ ଯାତ୍ରା କରିବାକୁ ଥିବା ପ୍ରଥମ ବ୍ୟାଚ୍‌ରେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ ଓ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ସମେତ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଓ ଅନ୍ୟାନ୍ୟ ସପୋର୍ଟ ଷ୍ଟାଫ୍‌ ମଧ୍ୟ ସାମିଲ ଅଛନ୍ତି ।

ପ୍ରକାଶ ଥାଉ କି, ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ (World Test Championship) ଫାଇନାଲ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲରେ ଖେଳାଯିବ । ଆସନ୍ତା ଜୁନ ୭ରୁ ୧୧ ମଧ୍ୟରେ ଏହି ଦୁଇ ଦଳ WTC ଟ୍ରଫି ହାତେଇବା ପାଇଁ ମୁହାଁମୁହିଁ ହେବେ । ତେବେ ଏଥିପାଇଁ ଭାରତୀୟ ଦଳ ୩ଟି ପର୍ଯ୍ୟାୟରେ ଇଂଲଣ୍ଡରେ ପହଞ୍ଚିବେ । ପ୍ରଥମ ପର୍ଯ୍ୟାୟରେ ବିରାଟ କୋହଲି, ମହମ୍ମଦ ସିରାଜ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ସମେତ ଏକ ପ୍ରମୁଖ ଦଳ ଆସନ୍ତାକାଲି ଭୋର ୪.୩୦ରେ ଇଂଲଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଭାରତରେ ଜାରି ରହିଥିବା ଆଇପିଏଲ ୨୦୨୩ର ପ୍ଲେ' ଅଫ୍‌ରେ ଯେଉଁ ଦଳଗୁଡ଼ିକ ସ୍ଥାନ ପାଇଛନ୍ତି, ସେହି ଦଳର ଖେଳାଳୀ ପରବର୍ତ୍ତୀ ପର୍ଯ୍ୟାୟରେ ଇଂଲଣ୍ଡ ଯାତ୍ରା କରିବେ । ଏମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା, ଈଶାନ କିଶାନ, ଶୁଭମନ ଗିଲ୍‌, ମହମ୍ମଦ ସାମି, କେଏସ ଭରତ ଓ ଆଜିଙ୍କ୍ୟ ରାହାଣେ ସାମିଲ ରହିଛନ୍ତି ।

ସେପଟେ ଭାରତୀୟ ଷ୍ଟାର ଟେଷ୍ଟ ବ୍ୟାଟର ଚେତେଶ୍ବର ପୂଜାରା ପୂର୍ବରୁ ଇଂଲଣ୍ଡରେ ଅଛନ୍ତି । ସେଠାରେ ସେ କାଉଣ୍ଟି କ୍ରିକେଟ ଖେଳିବା ଜାରି ରଖିଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିକାଂଶ ଖେଳାଳୀ ଆଇପିଏଲ ୨୦୨୩ ଖେଳି ସାରି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଖେଳିବା ପାଇଁ ଯାଉଛନ୍ତି । ଅନ୍ୟପଟେ ଏହି ମହତ୍ତ୍ବପୂର୍ଣ୍ଣ ମ୍ୟାଚ୍‌ ପାଇଁ ଅଷ୍ଟ୍ରେଲିଆ ଟିମ୍‌ରେ ସାମିଲ ଖେଳାଳୀଙ୍କ ମଧ୍ୟରୁ ମାତ୍ର ୨ଜଣ ଖେଳାଳୀ ଆଇପିଏଲରେ ଅଂଶଗ୍ରହଣ କରିଛନ୍ତି । ୨୦୨୧ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ଭାରତ ଉପବିଜେତା ରହିଥିଲା । ଫାଇନାଲ୍‌ରେ ଭାରତକୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା କେନ୍‌ ୱିଲିମ୍‌ସନ୍‌ଙ୍କ ନେତୃତ୍ବାଧିନ ନ୍ୟୁଜିଲାଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 23, 2023, 6:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.