ETV Bharat / sports

ଦ୍ବିତୀୟ ଟି୨୦ ପାଇଁ ପ୍ରସ୍ତୁତ ମେନ୍‌ ଇନ୍‌ ବ୍ଲ୍ୟୁ, ମ୍ୟାଚ୍‌ ପୂର୍ବରୁ ଫଟୋ ସେସନ୍‌ ଝଲକ ଦେଖାଇଲା ବିସିସିଆଇ

author img

By ETV Bharat Odisha Team

Published : Nov 26, 2023, 5:11 PM IST

ମ୍ୟାଚ୍‌ ପୂର୍ବରୁ ଫଟୋ ସେସନ୍‌ ଝଲକ ଦେଖାଇଲା ବିସିସିଆଇ
ମ୍ୟାଚ୍‌ ପୂର୍ବରୁ ଫଟୋ ସେସନ୍‌ ଝଲକ ଦେଖାଇଲା ବିସିସିଆଇ

ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟି୨୦ ମ୍ୟାଚ୍‌ ପୂର୍ବରୁ ହେଡ୍‌ସଟ୍‌ ଫଟୋ ସେସନ୍‌ରେ ପ୍ରବଳ ଉତ୍ସାହ ଓ ଆତ୍ମବିଶ୍ବାସ ଦେଖାଇଲେ ଟିମ୍‌ ଇଣ୍ଡିଆ ଖେଳାଳି । ଭିଡିଓ ସେୟାର କଲା ବିସିସିଆଇ । ଅଧିକ ପଢ଼ନ୍ତୁ

ଥିରୁଅନନ୍ତପୁରମ: ସୁପର ସନ୍‌ଡେ'ରେ ସୁପର ମୁକାବିଲା । ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି୨୦ ମ୍ୟାଚ୍‌ । କେରଳର ଥିରୁଅନନ୍ତପୁରମ ସ୍ଥିତ ଗ୍ରୀନଫିଲ୍ଡ ଇଣ୍ଟରନାସ୍‌ନାଲ୍‌ କ୍ରିକେଟ୍‌ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ଭାରତ ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି । ତେବେ ଦ୍ବିତୀୟ ମ୍ୟାଚ୍‌ ପୂର୍ବରୁ ଏଠାରେ ହୋଇଥିବା ହେଡ୍‌ସଟ୍‌ ଫଟୋ ସେସନ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଆତ୍ମବିଶ୍ବାସ ଦେଖିବାକୁ ମିଳିଛି । ବିସିସିଆଇ ଏହି ସମୟର ଭିଡିଓ ସେୟାର କରିଛି ।

ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ଥିବା ଭାରତ ଏହି ମ୍ୟାଚ୍‌ରେ ମଧ୍ୟ ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ରହିଛି । ସେପଟେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ର ପ୍ରତିଶୋଧ ନେବା ସହ ଦ୍ବିତୀୟ ମ୍ୟାଚ୍‌ ଜିତି ଶୃଙ୍ଖଳା ୧-୧ରେ ବରାବର ସ୍ଥିତିକୁ ଆଣିବାକୁ ଚେଷ୍ଟା କରିବ । ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ ପୂର୍ବରୁ ଥିରୁଅନନ୍ତପୁରମରେ ଟିମ୍‌ ଇଣ୍ଡିଆର ହେଡ୍‌ସଟ୍‌ ଫଟୋ ସେସନ୍‌ ହୋଇଥିଲା । ଏଥିରେ ସମସ୍ତ ଖେଳାଳି ବେଶ ଉତ୍ସାହର ସହିତ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଥିଲା । ଏହି ସମୟର ଭିଡିଓ ବିସିସିଆଇ ଏହାର ଅଧିକାରୀକ 'ଏକ୍ସ' ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରିଛି । ଏହାକୁ ପ୍ରଶଂସକ ବେଶ ପସନ୍ଦ କରିଥିବାବେଳେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-ଟ୍ବେଣ୍ଟି, ବିଜୟଧାରା ବଜାୟ ଲକ୍ଷ୍ୟରେ ସୂର୍ଯ୍ୟ ସେନା

ବିଶ୍ବକପ୍‌ ୨୦୨୩ ଶେଷହେବା ପରେ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିଲା ୫ ମ୍ୟାଚ୍‌ ବିଶିଷ୍ଟ ଦ୍ବିପାକ୍ଷିକ ଟି୨୦ ଶୃଙ୍ଖଳା । ନଭେମ୍ବର ୨୩ (ଗୁରୁବାର) ବିଶାଖାପଟନମରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲୀୟ ଧୂଆଁଧାର ବ୍ୟାଟର ଜୋଶ ଇଂଲିଶଙ୍କ ବିସ୍ଫୋରକ ଶତକ ଓ ଷ୍ଟିଭ ସ୍ମିଥ୍‌ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ୨୦୮ ରନର ବିଶାଳ ସ୍କୋର କରିଥିଲା । ହେଲେ ପରବର୍ତ୍ତୀ ଇନିଂସ୍‌ରେ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷାନଙ୍କ ଧୂଆଁଧାର ଅର୍ଦ୍ଧଶତକୀୟ ପାଳି କଙ୍ଗାରୁ ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ଫିକା କରିଦେଇଥିଲା । ପ୍ରଥମ ଥର ଦଳର ନେତୃତ୍ବ ନେଉଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ୮୦ ରନ୍‌ ଓ ଈଶାନ କିଷାନଙ୍କ ଅର୍ଦ୍ଧଶତକୀୟ ପାଳି ସହିତ ରିଙ୍କୁ ସିଂହଙ୍କ ଫିନିସିଂ ଟଚ୍‌ ଘରୋଇ ଦଳକୁ ୨ ୱିକେଟରେ ବିଜୟୀ କରାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.