ETV Bharat / sports

Ind vs SL 3rd ODI: ଦିନିିକିଆରେ ସର୍ବବୃହତ ବିଜୟ, ସିରିଜ କ୍ଲିନ୍‌ ସ୍ୱିପ୍‌ କଲା ଭାରତ

author img

By

Published : Jan 15, 2023, 8:04 PM IST

Updated : Jan 15, 2023, 8:33 PM IST

ଶ୍ରୀଲଙ୍କାଠାରୁ ୩୧୭ରନରେ ଜିତିଲା ଭାରତ
ଶ୍ରୀଲଙ୍କାଠାରୁ ୩୧୭ରନରେ ଜିତିଲା ଭାରତ

ତୃତୀୟ ଦିନିକିଆରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ । ଶ୍ରୀଲଙ୍କା ୭୩ ରନରେ ଅଲ ଆଉଟ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ କ୍ଲିନ୍‌ ସ୍ୱିପ୍‌ କରିଛି ଭାରତ । ସିରିଜରେ ଦୁଇଟି ଶତକୀୟ ପାଳି ଖେଳିଥିବା ବିରାଟ କୋହଲିଙ୍କୁ ଉଭୟ ମ୍ୟାଚ ଓ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଛି । ଅଧିକ ପଢ଼ନ୍ତୁ

ଥିରୁଅନନ୍ତପୁରମ: ତୃତୀୟ ଦିନିକିଆରେ ଶ୍ରୀଲଙ୍କା ବ୍ୟାଟରଙ୍କୁ ଧୂଳି ଚଟାଇଲେ ଭାରତୀୟ ବୋଲର । ପ୍ରଥମ ଇନିଂସରେ ବ୍ୟାଟରଙ୍କ କମାଲ ପରେ ଦ୍ବିତୀୟ ଇନିଂସରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ । ଭ୍ରମଣକାରୀ ଦଳ ଶ୍ରୀଲଙ୍କାକୁ ମାତ୍ର ୭୩ ରନରେ ଅଲ ଆଉଟ କରିଛି ଟିମ୍‌ ଇଣ୍ଡିଆ । ଫଳରେ ୩୧୭ ରନର ବିଶାଳ ବ୍ୟବଧାନରେ ବିଜୟ ହାସଲ କରିବା ସହ ସିରିଜକୁ କ୍ଲିନ ସ୍ବିପ କରିଛି ଭାରତ । ସିରିଜରେ ଦୁଇଟି ଶତକୀୟ ପାଳି ଖେଳିଥିବା ବିରାଟ କୋହଲିଙ୍କୁ ଉଭୟ ମ୍ୟାଚ ଓ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଛି ।

କେରଳର ଥିରୁଅନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଘରୋଇ ଭାରତ ଓ ଭ୍ରମଣକାରୀଦଳ ଶ୍ରୀଲଙ୍କା ମଧ୍ୟରେ ଆଜି (ରବିବାର) ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଏଥିରେ ଶ୍ରୀଲଙ୍କାକୁ ୩୯୧ ରନର ବିଜୟ ଲକ୍ଷ ଦେଇଥିଲା ଭାରତ । ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ ଯୁବ ବ୍ୟାଟର ଶୁଭମନ ଗିଲ ଓ କିଙ୍ଗ କୋହଲିଙ୍କର ଦମଦାର ଶତକ ଦେଖିବାକୁ ମିଳିଥିଲା । ତେବେ ଭାରତୀୟ ବୋଲିଂ ଆଟାକ ସମ୍ମୁଖରେ ତିଷ୍ଠି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟର । ମାତ୍ର ୭୩ ରନରେ ଅଲ ଆଉଟ ହୋଇଛି ଶ୍ରୀଲଙ୍କା । ଫଳରେ ୩୧୭ ରନର ବିଶାଳ ବ୍ୟବଧାନରେ ଜିତି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ କ୍ଲିନ ସ୍ବିପ କରିଛି ଭାରତ । ଦିନିକିଆରେ ସର୍ବାଧିକ ବ୍ୟବଧାନରେ ବିଜୟୀ ହେବା ରେକର୍ଡ ହାସଲ କରିଛି ଭାରତ। ଏହାପୂର୍ବରୁ ୨୦୦୮ ମସିହାରେ ନ୍ୟୁଜିଲାଣ୍ଡ ଦଳ ଆୟାର୍ଲ୍ୟାଣ୍ଡ ଦଳକୁ ୨୯୦ ରନ୍‌ରେ ପରାଜିତ କରିଥିଲା । ଆଜି ଭାରତ ୩୧୭ ରନ୍‌ରେ ବିଜୟ ହାସଲ କରିଛି ।

ଦ୍ବିତୀୟ ଇନିଂସ ଆରମ୍ଭରୁ ଆକ୍ରମଣାତ୍ମକ ବୋଲିଂ ଆରମ୍ଭ କରିଥିଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ମହମ୍ମଦ ସାମି । ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟର ଅଭିସ୍କା ଫର୍ଣ୍ଣାଣ୍ଡୋ ମାତ୍ର ୧ ରନ କରି ସିରାଜଙ୍କ ଶିକାର ହୋଇଥିଲେ । ଅନ୍ୟପଟେ ନୁୱାନିଦୁ ଫର୍ଣ୍ଣାଣ୍ଡୋ ଭାରତୀୟ ବୋଲିଂ ଆଟାକ ସହିତ ବହୁ ସଙ୍ଘର୍ଷ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ୨୭ ବଲରେ ୪ଟି ଚୌକା ସହିତ କେବଳ ୧୯ ରନ କରିଥିବାବେଳେ ତାଙ୍କୁ ବୋଲ୍ଡ କରିଦେଇଥିଲେ ସିରାଜ । ଏହା ବ୍ୟତୀତ ଅଧିନାୟକ ଦଶୁନ ସଣକା ୨୬ ବଲରୁ ୧୧ ରନ ଓ କସୁନ ରଜିତା ୧୯ ବଲରୁ ୧୩ ରନ ସଂଗ୍ରହ କରିଥିଲେ । ତେବେ ଶ୍ରୀଲଙ୍କାର ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ସାମି ୬ ଓଭରରେ ୨୦ ରନ ବ୍ୟୟରେ ୨ଟି ୱିକେଟ ନେଇଛନ୍ତି । ସେହିଭଳି ମହମ୍ମଦ ସିରାଜ ୧୦ ଓଭର ପକାଇଥିବାବେଳେ ୩୨ ରନ ବ୍ୟୟରେ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ସେହିଭଳି ଚାଇନା ମ୍ୟାନ ବୋଲର କୁଲଦୀପ ଯାଦବ ୫ ଓଭର ପକାଇଥିବାବେଳେ ସେ ମଧ୍ୟ ୨ଟି ୱିକେଟ ସଂଗ୍ରହ କରିଛନ୍ତି । ଶ୍ରେୟସ ଆୟର ମଧ୍ୟ ଆଜି ଗୋଟିଏ ଓଭର ପକାଇଥିଲେ । ସେ ଏହି ଓଭରରେ ୨ ରନ ବ୍ୟୟ କରିଥିଲେ ।

ଶ୍ରୀଲଙ୍କା ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ହରାଇ ୩୯୦ ରନ୍‌ ସଂଗ୍ରହ କରିଥିଲା । ଏଥିରେ ଶୁଭମନ ଗିଲ ୯୭ଟି ବଲ୍‌ ଖେଳି ୧୪ଟି ଚୌକା ଓ ୨ଟି ଛକା ସହ ୧୧୬ ବ୍ୟକ୍ତିଗତ ରନ୍‌ ସଂଗ୍ରହ କରିଥିଲେ । ଏହାପରେ କ୍ରିକେଟ୍‌ର କିଙ୍ଗ କୋହଲି ୮୫ ବଲରୁ ନିଜର ୭୪ ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ଏହାପରେ ତୁରନ୍ତ ଶ୍ରୀଲଙ୍କା ବୋଲରଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ । ଏହି ମ୍ୟାଚ୍‌ରେ ସେ ମୋଟ ୧୧୦ଟି ବଲ୍‌ ଖେଳି ୧୩ଟି ଚୌକା ଓ ୮ଟି ଛକା ସହିତ ୧୬୬ ରନ୍‌ ସଂଗ୍ରହ କରିଥିଲେ । କୋହଲିଙ୍କର ଏହା ଥିଲା ୭୪ତମ ଅନ୍ତର୍ଜାତୀୟ ଶତକ । ତେବେ କେବଳ ଦିନିକିଆରେ ସେ ୪୬ତମ ଶତକ ହାସଲ କରିଥିଲେ । ତେବେ ସିରିଜରେ ଦୁଇଟି ଶତକୀୟ ପାଳିଖେଳିଥିବାରୁ ତାଙ୍କୁ ଉଭୟ ପ୍ଲେୟାର ଅଫ ଦ ମ୍ୟାଚ ଓ ପ୍ଲେୟାର ଅଫ ଦ ସିରିଜ ବିବେଚିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 15, 2023, 8:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.