ETV Bharat / sports

ସମ୍ପୂର୍ଣ୍ଣ ଫିଟ୍‌ ହେଲେଣି ପନ୍ତ ! ଟି୨୦ ବିଶ୍ବକପ୍‌ ପାଇଁ ଅଲଗା ଯୋଜନା କରୁଛି BCCI

author img

By ETV Bharat Odisha Team

Published : Dec 17, 2023, 6:24 AM IST

ଟି୨୦ ବିଶ୍ବକପ୍‌ ପାଇଁ ଅଲଗା ଯୋଜନା କରୁଛି BCCI
ଟି୨୦ ବିଶ୍ବକପ୍‌ ପାଇଁ ଅଲଗା ଯୋଜନା କରୁଛି BCCI

Rishabh Pant Come Back IPL 2024: ଦୀର୍ଘ ୧ ବର୍ଷ କ୍ରିକେଟ୍‌ରୁ ଦୂରରେ ରହିବା ପରେ ଏବେ ପୁଣିଥରେ ଫେରିବେ ଯୁବ ହିଟର ଋଷଭ ପନ୍ତ । ଏବେ ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ସାରିଥିଲେ ମଧ୍ୟ ଟି୨୦ ବିଶ୍ବକପ୍‌ ୨୦୨୪କୁ ଦୃଷ୍ଟିରେ ରଖି ପନ୍ତଙ୍କୁ ଆଇପିଏଲ୍‌ ଜରିଆରେ ହିଁ କମବ୍ୟାକ୍‌ କରାଇବାକୁ ଚାହୁଁଛି ବିସିସିଆଇ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଟି୨୦ ବିଶ୍ବକପ୍‌ ୨୦୨୪ ପାଇଁ ଆରମ୍ଭ ହୋଇଥିବା ପ୍ରସ୍ତୁତି ମଧ୍ୟରେ ଭାରତୀୟ ପ୍ରଶଂସକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଖୁବ୍‌ଶୀଘ୍ର କ୍ରିକେଟ୍‌ ଫିଲ୍ଡକୁ ଫେରିବେ ଯୁବ ୱିକେଟ୍‌-କିପର ଓ ହାର୍ଡ ହିଟର୍‌ ଋଷଭ ପନ୍ତ । ଦୁର୍ଘଟଣାର ଶିକାର ହୋଇ ଦୀର୍ଘ ୧ ବର୍ଷ କ୍ରିକେଟ୍‌ରୁ ଦୂରରେ ରହିଥିବା ପନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଲେଣି । ଏପରିକି ଇଂଲଣ୍ଡ ବିପକ୍ଷରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ମଧ୍ୟ ପନ୍ତ ନିଜ ଫିଟ୍‌ନେସ୍‌ ହାସଲ କରିନେବେ । ହେଲେ ଟି୨୦ ବିଶ୍ବକପ୍‌ ୨୦୨୪କୁ ନଜରରେ ରଖି ଭିନ୍ନ ରଣନୀତି କରୁଛି BCCI । ପନ୍ତ ପ୍ରଥମେ ଟି୨୦ ଖେଳନ୍ତୁ ବୋଲି ବିସିସିଆଇ ଚାହୁଁଥିବାରୁ ସେ ଆଇପିଏଲ୍‌ ଜରିଆରେ ହିଁ ମୈଦାନକୁ ଫେରିବେ ବୋଲି ଜଣାପଡ଼ିଛି ।

ଶନିବାର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ଋଷଭ ପନ୍ତଙ୍କ ଆଣ୍ଠୁରେ ଲାଗିଥିବା ଆଘାତ କାରଣରୁ ହିଁ ସେ ଏବେ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ଦୂରରେ ଅଛନ୍ତି । ହେଲେ ପୂର୍ବାପେକ୍ଷା ଏବେ ତାଙ୍କ ଆଣ୍ଠୁର ସ୍ଥିତି ବେଶ୍‌ ଭଲ ଅଛି । ଖୁବ୍‌ଶୀଘ୍ର ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇଯିବେ ଓ ୱିକେଟ୍‌ କିପିଂ ସହ ପୂର୍ବ ଭଳି ମୈଦାନରେ ଛକା ଓ ଚୌକା ବର୍ଷା କରିବେ । ତାଙ୍କ ରିକଭେରୀ ଓ ଫିଟ୍‌ନେସ୍‌ ଯେଉଁଭଳି ରହିଛି, ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା ସେ ସମ୍ପୂର୍ଣ୍ଣ ମ୍ୟାଚ୍‌ ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଛି । କିନ୍ତୁ ବିସିସିଆଇ ପନ୍ତଙ୍କ କ୍ଷେତ୍ରରେ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ପାଖେଇ ଆସୁଥିବା ଟି୨୦ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ପନ୍ତ ସିଧାସଳଖ ଟି୨୦ ଫର୍ମାଟ୍‌କୁ ହିଁ ଫେରନ୍ତୁ ବୋଲି ବିସିସିଆଇ ଚାହୁଁଛି । ତେଣୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସୁଯୋଗ ମିଳିବ ନାହିଁ । ସେ ସିଧାସଳଖ ଆଇପିଏଲ୍‌ ଜରିଆରେ ହିଁ ନିଜର କମ୍‌ବ୍ୟାକ୍‌ କରିବେ ।

ଏହା ମଧ୍ୟ ପଢ଼ନ୍ତୁ...IPLରେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବେ ପନ୍ତ !

ଅନ୍ୟପଟେ କିଛିଦିନ ପୂର୍ବରୁ ପନ୍ତଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଜିମରେ ୱାର୍କଆଉଟ୍‌ କରୁଥିବାର ଦେଖିବାକୁ ମିଳିଥିଲା । ଭିଡିଓରେ ସେ ପୁରା ଫିଟ୍ ଥିବା ଦେଖିବାକୁ ମିଳିଥିଲା । ଦୁର୍ଘଟଣା ଯୋଗୁଁ ସେ ଗତ ଆଇପିଏଲ ସିଜିନ ଖେଳି ପାରିନଥିଲେ । କିନ୍ତୁ ଆସନ୍ତା ସିଜିନ ପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି । ପ୍ରକାଶଯୋଗ୍ୟ, ୨୦୨୨ ଡିସେମ୍ବର ମାସରେ ଦିଲ୍ଲୀରୁ ରୁର୍‌କିକୁ ଯାଉଥିବା ବେଳେ ଡେରାଡୁନ୍‌ରେ କାର ଦୁର୍ଘଟଣାର ଶିକାର ହୋଇଥିଲେ ପନ୍ତ । ଏହାପରେ ସେ ଗଭୀର ଭାବେ ଆହତ ହୋଇଥିବାରୁ ଚିକିତ୍ସା ଜାରି ରହିଥିଲା । ଦୁର୍ଘଟଣା ପରଠୁ ସେ କ୍ରିକେଟ୍‌ ଜଗତରୁ ଦୂରରେ ରହିଛନ୍ତି । ଏବେ କ୍ରିକେଟ ମୈଦାନକୁ ପୁଣି ଓହ୍ଳାଇବାକୁ ପ୍ରସ୍ତୁତ ହେଉଛନ୍ତି ପନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.