ETV Bharat / sports

ବିଶ୍ବକପ୍‌ରେ ଶୋଚନୀୟ ପ୍ରଦର୍ଶନ ପରେ ପାକିସ୍ତାନର ଖସିଲା ବଡ଼ ୱିକେଟ୍‌, ପଦ ଛାଡ଼ିଲେ ବାବର

author img

By ETV Bharat Odisha Team

Published : Nov 15, 2023, 10:35 PM IST

ବିଶ୍ବକପ୍‌ ୨୦୨୩ରେ ଶୋଚନୀୟ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍‌ରେ କମ୍ପନ । ପିସିବି ମଖ୍ୟ ଚୟନକର୍ତ୍ତା ଇଞ୍ଜାମାମ୍‌ ଉଲ୍‌ ହକ୍‌ ଓ ବୋଲିଂ କୋଚ୍‌ ମର୍ଣ୍ଣେ ମୋର୍କେଲଙ୍କ ପରେ ପଦ ଛାଡ଼ିଲେ ଅଧିନାୟକ ବାବର ଆଜମ । ଏକ୍ସରେ ପୋଷ୍ଟ କରି ନିଜେ ବାବର ଏହି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ପଦ ଛାଡ଼ିଲେ ଅଧିନାୟକ ବାବର ଆଜମ
ବିଶ୍ବକପ୍‌ ୨୦୨୩ରେ ଶୋଚନୀୟ ପ୍ରଦର୍ଶନ ପ୍ରଭାବ

ହାଇଦ୍ରାବାଦ: ଭାରତରେ ଆୟୋଜିତ ବିଶ୍ବକପ୍‌ ୨୦୨୩ରେ ଶୋଚନୀୟ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍‌ରେ ଚହଳ ସୃଷ୍ଟି ହୋଇଛି । ଦଳର ଜଣେ ପରେ ଜଣେ ସଦସ୍ୟ ପଦ ଛାଡ଼ିବାରେ ଲାଗିଛନ୍ତି । ନିକଟରେ ପିସିବି ମଖ୍ୟ ଚୟନକର୍ତ୍ତା ଇଞ୍ଜାମାମ୍‌ ଉଲ୍‌ ହକ୍‌ ଓ ବୋଲିଂ କୋଚ୍‌ ମର୍ଣ୍ଣି ମୋର୍କେଲ ପଦ ଛାଡ଼ିଥିଲେ । ଏବେ ଟିମ୍‌ର ସବୁଠାରୁ ବଡ଼ ୱିକେଟ୍‌ ଖସିଛି । ଅଧିନାୟକ ବାବର ଆଜମ ପଦ ଛାଡ଼ିବା ନେଇ ଘୋଷଣା କରିଛନ୍ତି । ସେ କ୍ରିକେଟର ସବୁ ଫର୍ମାଟରୁ ଅଧିନାୟକ ପଦରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଶ୍ବକପ୍‌ ୨୦୨୩ରେ ଟିମର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବାବର ଏହି ନିଷ୍ପତ୍ତି ନେଇଛନ୍ତି ।

ଦଳ ବିଶ୍ବକପ୍‌ ୨୦୨୩ରେ ୯ ମ୍ୟାଚ୍‌ରୁ ୫ ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇ ଅଭିଯାନ ଶେଷ କରିଥିଲା । ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ବାବରଙ୍କୁ ଅଧିନାୟକ ପଦରୁ ହଟାଇ ପାରେ ବୋଲି ଗତ କିଛିଦିନରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ବୁଧବାର ବାବର ନିଜେ ଏହି ବଡ଼ ଘୋଷଣା କରିଛନ୍ତି । ସୋସିଆଲ୍ ମିଡିଆରେ ବାବର ଏକ ପୋଷ୍ଟ ଲେଖି ଏହି ସୂଚନା ଦେଇଛନ୍ତି । ବାବର ଏକ୍ସରେ ଲେଖିଛନ୍ତି, "ଆଜି ମୁଁ ସବୁ ଫର୍ମାଟରୁ ପାକିସ୍ତାନ ଅଧିନାୟକ ପଦ ଛାଡ଼ୁଛି । ଏହା ଏକ କଠିନ ନିଷ୍ପତ୍ତି, କିନ୍ତୁ ମୁଁ ଅନୁଭବ କରୁଛି ଯେ ଏପରି କରିବାର ଏହା ହିଁ ଉପଯୁକ୍ତ ସମୟ । ମୁଁ ତିନି ଫର୍ମାଟରେ ପାକିସ୍ତାନର ଜଣେ ଖେଳାଳି ରୂପେ ପ୍ରତିନିଧିତ୍ବ କରିବା ଜାରି ରଖିବି । ମୁଁ ନିଜ ଅନୁଭବ ସହ ନୂଆ ଅଧିନାୟକ ଓ ଟିମକୁ ସମର୍ଥନ କରି ଚାଲିବି । ମୋତେ ଏହି ଗୁରୁତ୍ବପୂର୍ଣ୍ଣ ପଦରେ ସୁଯୋଗ ଦେଇଥିବାରୁ ମୁଁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଧନ୍ୟବାଦ ଦେବାକୁ ଚାହୁଁଛି ।"

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଶୋଚନୀୟ ପ୍ରଦର୍ଶନ ପରେ ପିସିବିରେ ଚହଳ, ଇଞ୍ଜାମାମ୍‌ଙ୍କ ପରେ ବୋଲିଂ କୋଚ୍‌ଙ୍କ ଇସ୍ତଫା

ପ୍ରକାଶ ଥାଉ, ବିଶ୍ବକପ୍‌ ୨୦୨୩ରେ କ୍ରମାଗତ ପରାଜୟ ସହ ଦଳ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପରେ ପିସିବି ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜାମାମ୍‌ ଉଲ୍‌ ହକ୍‌ ଇସ୍ତଫା ଦେଇଥିଲେ । ଇଂଲଣ୍ଡଠାରୁ ଶେଷ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ଶୋଚନୀୟ ଭାବେ ହାରି ଦଳ ଭାରତରୁ ବିଦାୟ ନେଇଥିଲା । ଏହାପରେ ଦଳର ବୋଲିଂ କୋଚ୍‌ ପଦରୁ ଇସ୍ତଫା ଦେଇଥିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମର୍ଣ୍ଣେ ମୋର୍କେଲ । ଆଜି ବାବରଙ୍କ ଏଭଳି ନିଷ୍ପତ୍ତି ପରେ ପିସିବି ଶାନ ମାସୁଦଙ୍କୁ ଟେଷ୍ଟ ଦଳର ଅଧିନାୟକ ନିଯୁକ୍ତ କରିଛି । ସେହିଭଳି ସାହିନ ଆଫ୍ରିଦିଙ୍କୁ ଟି-20 ଦଳର ଅଧିନାୟକ ଦାୟିତ୍ୱ ଦେଇଛି । ଦିନିକିଆ ଅଧିନାୟକ ଭାବେ ଦଳକୁ ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ଫେରିବେ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.