ETV Bharat / sports

ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ ପାଇଁ ଚୁକ୍ତି ସ୍ବାକ୍ଷର କଲା ପିସିବି, ବିସିସିଆଇ ଉପରେ ସମସ୍ତଙ୍କ ନଜର

author img

By ETV Bharat Odisha Team

Published : Dec 16, 2023, 7:56 PM IST

ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ ପାଇଁ ଚୁକ୍ତି ସ୍ବାକ୍ଷର କଲା ପିସିବି
ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ ପାଇଁ ଚୁକ୍ତି ସ୍ବାକ୍ଷର କଲା ପିସିବି

Champions Trophy 2025: ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ ପାଇଁ ଚୁକ୍ତି ସ୍ବାକ୍ଷର କଲା ପାକିସ୍ତାନ କ୍ରିକେଟ୍‌ ବୋର୍ଡ । ତେବେ ଦୀର୍ଘ ବର୍ଷରୁ ପାକିସ୍ତାନରେ ଖେଳିବାକୁ ରାଜି ନଥିବା ବିସିସିଆଇ ଏନେଇ କଣ ନିଷ୍ପତ୍ତି ନେଉଛି, ତାହା ଉପରେ ସମସ୍ତଙ୍କ ନଜର । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ ନେଇ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ କରିବା ପାଇଁ ଆଧିକାରୀକ ଚୁକ୍ତିନାମା ସ୍ବାକ୍ଷର କରିଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ । ଏହା ପୂର୍ବରୁ ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ବିସିସିଆଇ ଏହାର ଖେଳାଳିଙ୍କୁ ପଠାଇବାରେ ଆପତ୍ତି ଉଠାଇବା ଆଶଙ୍କାରେ ଖେଳ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇପାରେ ବୋଲି ଖବର ପ୍ରକାଶ ପାଇଥିଲା । ଶେଷରେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ସହିତ ଚୁକ୍ତି କରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ଅଧିକାର ଉପରେ ଏକ ଦୃଢ଼ ମୋହର ଲଗାଇଛି ।

ଚମ୍ପିଆନ୍ସ ଟ୍ରଫି ଆୟୋଜନ ପାଇଁ ଚୁକ୍ତି ସ୍ବାକ୍ଷର କଲା ପିସିବି: ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ମୁଖ୍ୟ ଜାକା ଅଶ୍ରଫ ଦୁବାଇର ଆଇସିସି ମୁଖ୍ୟାଳୟରେ ଜେନେରାଲ ମ୍ୟାନେଜର ଜୋନାଥନ ହଲ୍‌ଙ୍କ ସହ ଚମ୍ପିଆନ୍ସ ଟ୍ରଫି ଆୟୋଜନ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି । ପିସିବି ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ମଧ୍ୟ ଏହି ଚୁକ୍ତିନାମା ବିଷୟରେ ସୂଚନା ଦେଇଛି । ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି, "ପାକିସ୍ତାନ କ୍ରିକେଟ ବୋର୍ଡ ଶୁକ୍ରବାର ଦୁବାଇରେ ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ କରିବାକୁ ଆଇସିସି ସହିତ ଏକ ଆଧିକାରୀକ ଚୁକ୍ତିନାମା ସ୍ବାକ୍ଷର କରିଛି ।" ପିସିବି ମିଡିଆ ଏହାର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଏହି ଖବର ପ୍ରକାଶ କରିଛି । ଏକ୍ସ ହ୍ୟାଣ୍ଡେଲ୍‌ରେ ମଧ୍ୟ ଏହି ଖବର ସେୟାର କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଚମ୍ପିଆନ୍ସ ଟ୍ରଫି ବି ଆୟୋଜନ କରି ପାରିବନି ପାକିସ୍ତାନ ! ନିରପେକ୍ଷ ଭେନ୍ୟୁ ଦାବି କରିବ BCCI ?

ନିରପେକ୍ଷ ଭେନ୍ୟୁ ଦାବି କରିପାରେ ବିସିସିଆଇ: ଏହି ବଡ଼ ଖବର ପରେ ସବୁଠାରୁ ବଡ଼ ଆଲୋଚନାର ବିଷୟ ପାଲଟିଛି ବିସିସିଆଇ କଣ ପଦକ୍ଷେପ ନେବ । କାରଣ ଆତଙ୍କୀ ହମ୍‌ଲାକୁ କେନ୍ଦ୍ର କରି ଦୀର୍ଘ ବର୍ଷ ହେବ ବିସିସିଆଇ ଏହାର ଖେଳାଳିଙ୍କୁ ପାକିସ୍ତାନ ପଠାଉନାହିଁ । ଯାହା ଫଳରେ ପାକିସ୍ତାନ ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯାଉନାହିଁ । କେବଳ ଆଇସିସି ବା ଏସିସି ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି ଦୁଇ ଦଳ । ହେଲେ ଏହା ପୂର୍ବରୁ ପାକିସ୍ତାନ ମଧ୍ୟ ଏସିଆ କପ୍‌ ୨୦୨୩ ଆୟୋଜନ କରିଥିଲା । କିନ୍ତୁ ନିରପେକ୍ଷ ଭେନ୍ୟୁରେ ଖେଳିବାକୁ ଦାବି କରିଥିଲା ବିସିସିଆଇ । ଦୀର୍ଘ ଦିନ ବିବାଦ ଲାଗି ରହିବା ପରେ ଏହା ହାଇବ୍ରିଡ ଫର୍ମାଟ୍‌ରେ ଖେଳାଯାଇଥିଲା । ଏହାପରେ ଭାରତ ଆୟୋଜନ କରିଥିବା ଆଇସିସି ଦିନିକିଆ ବିଶ୍ବକପ୍‌ରେ ମଧ୍ୟ ଭାଗ ନେବା ପୂର୍ବରୁ ପିସିବି ଅନେକ ବିବାଦ ସୃଷ୍ଟି କରିଥିଲା । ଶେଷରେ ବିଶ୍ବକପ୍‌ ଖେଳିବାକୁ ନିଜ ଖେଳାଳିଙ୍କୁ ଭାରତ ପଠାଇଥିଲା ପିସିବି । ଏପଟେ ଚମ୍ପିଆନ୍ସ ଟ୍ରଫି ଆୟୋଜନ ପାଇଁ ପାକିସ୍ତାନ ଚୁକ୍ତି ସ୍ବାକ୍ଷର କରିବା ପରେ ଭାରତର ଏନେଇ କଣ ପଦକ୍ଷେପ ରହିବ, ତାହା ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.