ETV Bharat / sports

Syed Mushtaq Ali Trophy 2023: ଗୋବିନ୍ଦ ପୋଦାରଙ୍କ ନେତୃତ୍ବରେ ଓହ୍ଲାଇବ ଓଡିଶା, ଦଳ ଘୋଷଣା କଲା OCA

author img

By ETV Bharat Odisha Team

Published : Oct 3, 2023, 6:03 PM IST

Odisha Cricket Team for Syed Mushtaq Ali Trophy 2023
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୩ ପାଇଁ ଓଡ଼ିଶା ଦଳ

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୩ ପାଇଁ ଓଡ଼ିଶା ଦଳ ଘୋଷଣା କଲା OCA । ଗୋବିନ୍ଦ ପୋଦାରଙ୍କ କାନ୍ଧରେ ରହିଛି ଅଧିନାୟକ ଭାର । ଦୁଇ ଅଭିଜ୍ଞ ସୂର୍ଯ୍ୟକାନ୍ତ ପ୍ରଧାନ ଓ ବୀପ୍ଳବ ସାମନ୍ତରାୟଙ୍କୁ ବାଦ୍‌ ଦେବା ନେଇ ଉତ୍ତର ରଖିଲା ଚୟନ କମିଟି । ଅଧିକ ପଢ଼ନ୍ତୁ

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୩ ପାଇଁ ଓଡ଼ିଶା ଦଳ

କଟକ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଘୋଷଣା ହେଇଛି ଓଡିଶା ଦଳ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଟିମ ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ । ଗତଥର ଅପେକ୍ଷା ଏଥର ଟିମ୍‌ ବେଶ ସନ୍ତୁଳିତ ରହିଛି । ଅଭିଜ୍ଞ ଗୋବିନ୍ଦ ପୋଦାରଙ୍କ କାନ୍ଧରେ ରହିଛି ଅଧିନାୟକ ଭାର । ବିସିସିଆଇର ଏହି ଘରୋଇ ଟୁର୍ଣ୍ଣାମେଣ୍ଟର ଗତ ସଂସ୍କରଣରେ ଷ୍ଟାର ଖେଳାଳି ସର୍ଫରାଜ ଖାନ ଓ ତନୁଶ କୋଟିଆନଙ୍କ ଦମଦାର ପ୍ରଦର୍ଶନ ବଳରେ ପ୍ରଥମ ଥର ପାଇଁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ହାତେଇଥିଲା ମୁମ୍ବାଇ । ଓଡ଼ିଶାର ପ୍ରଦର୍ଶନ ଏହି ସଂସ୍କରଣରେ ଉଚ୍ଚକୋଟୀର ରହିନଥିଲା ।

ତେବେ ଏଥର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଓଡିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ଘୋଷଣା କରିଥିବା ୧୬ ଜଣିଆ ଦଳ ବେଶ ସନ୍ତୁଳିତ ରହିଛି । ଟିମ୍‌ ଲାଇନ ଅପ୍‌ ଉପରେ ନଜର ପକାଇଲେ ବ୍ୟାଟିଂ ଟପ ଅର୍ଡରରେ ସନ୍ଦୀପ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ଶୁଭ୍ରାଂଶୁ ସେନାପତି, ଅଭିଷେକ ଯାଦବ, ସ୍ବସ୍ତିକ ସାମଲ ଓ ରାଜେଶ ଧୂପରଙ୍କ ଭଳି ଦମଦାର ଖେଳାଳି ଟିମରେ ସ୍ଥାନ ପାଇଛନ୍ତି । ବୋଲିଂ ବିଭାଗରେ ତାରିଣୀ ସ, ପ୍ରୟାସ ସିଂ, ସୁନୀଲ ରାଉଳ, ଦେବବ୍ରତ ପ୍ରଧାନ ଓ ହର୍ଷିତ ରାଥୋଡ଼ଙ୍କ ଭଳି ବୋଲର ରହିଛନ୍ତି । ଅନ୍ୟପଟେ ସୌଭାଗ୍ୟ ରାଉତ ଚଳିତବର୍ଷ ପ୍ରଥମ ଥର ପାଇଁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ନଜର ଆସିବେ ।

ତେବେ ଦୁଇ ଅଭିଜ୍ଞ ସୂର୍ଯ୍ୟକାନ୍ତ ପ୍ରଧାନ ଓ ବୀପ୍ଳବ ସାମନ୍ତରାୟଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଏନେଇ ମଧ୍ୟ ଉତ୍ତର ରଖିଛନ୍ତି ଚୟନ କମିଟି । ଏନେଇ ଉଭୟ ତାରକା ଖେଳାଳିଙ୍କୁ ଆଗାମୀ ଦିନ ପାଇଁ ଓସିଏ ବଡ଼ ଅସ୍ତ୍ର ଭାବରେ ପ୍ରସ୍ତୁତ କରୁଛି ବୋଲି OCA ଚୟନ କମିଟି ଅଧ୍ୟକ୍ଷ ଅମୀୟ କୁମାର ରାୟ କହିଛନ୍ତି । ସେ କହିଛନ୍ତି, "କାର୍ଯ୍ୟଭାରରେ ସନ୍ତୁଳନ ପାଇଁ ଏବେ ଉଭୟଙ୍କୁ ବିଶ୍ରାମ ଦିଆଯାଇଛି । ଆଗାମୀ ମେଗା ମ୍ୟାଚ୍‌ରେ ଉଭୟ ଅଭିଜ୍ଞ ଖେଳାଳି ନଜର ଆସିବେ ।" ତେବେ ଏହି ସିଜିନରେ ଓଡ଼ିଶା ନିଶ୍ଚୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ରାଜ୍ୟ କ୍ରିକେଟ ସଂଘ । ଓଡିଶା ଏହି ସଂସ୍କରଣରେ ଆସାମ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଅଭିଯାନ ଆରମ୍ଭ କରିବ । ଏହାପରେ ହିମାଚ୍ଚଳ, ସିକିମ, ସର୍ଭିସ, ବିହାର, କେରଳ ଓ ଚଣ୍ଡୀଗଡ଼କୁ ଭେଟିବ ଓଡିଶା ।

ଏହା ମଧ୍ୟ ପଢ଼ନ୍ତୁ...ବାରବାଟୀରେ ବିସି ମେମୋରିଆଲ ଟି20 ଟୁର୍ଣ୍ଣାମେଣ୍ଟ ଆରମ୍ଭ

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୩ ପାଇଁ ଓଡ଼ିଶା ଦଳ: ଗୋବିନ୍ଦ ପୋଦାର(ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ଶୁଭ୍ରାଂଶୁ ସେନାପତି, ଅଭିଷେକ ଯାଦବ, ସ୍ବସ୍ତିକ ସାମଲ, ରାଜେଶ ଧୂପର, ପ୍ରବୀଣଁ ଲୁହା, କାର୍ତ୍ତିକ ବିଶ୍ବାଳ, ରାକେଶ ପଟ୍ଟନାୟକ, ସୌଭାଗ୍ୟ ରାଉତ, ତାରିଣୀ ସ, ପ୍ରୟାସ ସିଂ, ସୁନୀଲ ରାଉଳ, ଦେବବ୍ରତ ପ୍ରଧାନ, ହର୍ଷିତ ରାଥୋଡ଼

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.