ETV Bharat / sports

Asia Cup 2023: ରାହୁଲଙ୍କ ପ୍ରସ୍ତୁତି ଜୋରଦାର, ଆୟରଙ୍କୁ ନେଇ ଦ୍ବନ୍ଦ୍ବ

author img

By

Published : Aug 6, 2023, 5:13 PM IST

ବିଶ୍ବକପ୍‌ ପୂର୍ବରୁ ଫିଟ୍‌ ହେଉଛନ୍ତି ଆହତ କ୍ରିକେଟର । ପୂର୍ବରୁ ଯଶପ୍ରୀତ ବୁମରା ଓ ପ୍ରସିଦ୍ଧ କ୍ରିଷ୍ଣା ଫିଟ୍‌ ହେବାପରେ ଆଗାମୀ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରେ ଦଳରେ ସାମିଲ ହୋଇଛନ୍ତି । ଏବେ କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କୁ ନେଇ ଆସିଛି ବଡ଼ ଅପ୍‌ଡେଟ୍‌ । ଅଧିକ ପଢ଼ନ୍ତୁ

ରାହୁଲଙ୍କ ପ୍ରସ୍ତୁତି ଜୋରଦାର, ଆୟରଙ୍କୁ ନେଇ ଦ୍ବନ୍ଦ୍ବ
ରାହୁଲଙ୍କ ପ୍ରସ୍ତୁତି ଜୋରଦାର, ଆୟରଙ୍କୁ ନେଇ ଦ୍ବନ୍ଦ୍ବ

ନୂଆଦିଲ୍ଲୀ: ବିଶ୍ବକପ୍‌ ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ସ୍ପିଡ୍‌ ଷ୍ଟାର୍‌ ଯଶପ୍ରୀତ ବୁମରା ଓ ପ୍ରସିଦ୍ଧ କ୍ରିଷ୍ଣା ଫିଟ୍‌ ହେବାପରେ ଆଗାମୀ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରେ ଦଳରେ ସାମିଲ ହୋଇଛନ୍ତି । ଏପରିକି ଅଧିନାୟକ ଭାବେ ଦଳକୁ ଫେରିଛନ୍ତି ବୁମରା । ଏହାରି ମଧ୍ୟରେ ୱିକେଟ୍‌କିପର ଓ ବ୍ୟାଟର ଲୋକେଶ ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ବଡ଼ ଅପ୍‌ଡେଟ୍‌ ଆସିଛି । ଏକ ରିପୋର୍ଟ ଅନୁସାରେ, ରାହୁଲ ସମ୍ପୂର୍ଣ୍ଣ ଫିଟ୍‌ ହୋଇସାରିଥିବା ଏନ୍‌ସିଏ (ଜାତୀୟ କ୍ରିକେଟ୍‌ ଏକାଡେମୀ) କର୍ତ୍ତୃପକ୍ଷ କହିଛନ୍ତି । ସେ ଆଗାମୀ ଏସିଆ କପ୍‌ରେ ଭାରତୀୟ ଦଳରେ ସାମିଲ ହେବାକୁ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି ।

ପ୍ରକାଶଯୋଗ୍ୟ, ଗତ IPLରେ RCB ବିପକ୍ଷ ଏକ ମ୍ୟାଚ୍‌ରେ ଏକ କ୍ୟାଚ୍‌ ଧରିବାକୁ ଯାଇ ରାହୁଲ ଆହତ ହୋଇଥିଲେ । ତାଙ୍କ ଜଙ୍ଘରେ ଆଘାତ ଲାଗିଥିଲା । ଏହାପରେ ଯଦିଓ ସେହି ମ୍ୟାଚ୍‌ରେ ସେ ଶେଷରେ ବ୍ୟାଟିଂ କରିବାକୁ ଆସିଥିଲେ, ହେଲେ ରନ୍‌ ନେବାକୁ ସକ୍ଷମ ହୋଇନଥିଲେ । ଏହାପରେ ତାଙ୍କୁ IPLର ଅବଶିଷ୍ଟ ମ୍ୟାଚ୍‌ରୁ ବାହାରେ ରଖାଯାଇଥିଲା । ତାଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପରଜାଏଣ୍ଟ୍ସର ନେତୃତ୍ବ ନେଇଥିଲେ କୃଣାଲ ପାଣ୍ଡ୍ୟା । ହେଲେ ଏବେ ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ । ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ର କୋଚ୍‌ ଓ ଡାକ୍ତରୀ ବିଶେଷଜ୍ଞ ଦଳ ତାଙ୍କ ଫିଟନେସ୍‌କୁ ନେଇ ଖୁସି ରହିଛନ୍ତି । ତେଣୁ ତାଙ୍କୁ ଏସିଆ କପ୍‌ ୨୦୨୩ ପାଇଁ ସବୁଜ ସଙ୍କେତ ମିଳିଛି ବୋଲି କୁହାଯାଉଛି । ଗତ ଜୁଲାଇ ୨୧ ତାରିଖରେ BCCI ପକ୍ଷରୁ ବିଭିନ୍ନ ଆହତ ଖେଳାଳିମାନଙ୍କ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଯାଇଥିଲା । ରାହୁଲ ନେଟ୍ସରେ ବ୍ୟାଟିଂ କରିବା ଆରମ୍ଭ କରିଛନ୍ତି ଏବଂ ତାଙ୍କର ଫିଟନେସ୍‌ ଡ୍ରିଲ ଚାଲୁ ରହିଛି ବୋଲି କୁହାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଆୟର୍ଲାଣ୍ଡ ସିରିଜ ପାଇଁ ଦଳ ଘୋଷଣା, ଟିମ୍‌କୁ ଫେରି ନେତୃତ୍ୱ ନେବେ ଯଶପ୍ରୀତ ବୁମରା

ତେବେ ରାହୁଲ ନେଟ୍ସରେ ଅଭ୍ୟାସ କରୁଥିବା ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମଧ୍ୟ ମିଳୁଛି । ଏହାପରେ ତାଙ୍କୁ ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳରେ ସାମିଲ କରାଯାଇପାରେ ବୋଲି ଆଶା କରାଯାଉଥିଲା । ହେଲେ ଏହି ଦଳରେ ତାଙ୍କୁ ଦଳରେ ସାମିଲ କରାଯାଇନଥିଲା । ନିକଟରେ ରାହୁଲ କିପିଂ ଅଭ୍ୟାସ ମଧ୍ୟ କରୁଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଋଷଭ ପନ୍ତ ଅନୁପସ୍ଥିତ ଥିବାରୁ ରାହୁଲ ମଧ୍ୟଭାଗରେ ବ୍ୟାଟିଂ କରିବେ ଏବଂ ୱିକେଟ୍‌କିପିଂ ଦାୟିତ୍ୱ ମଧ୍ୟ ସମ୍ଭାଳିବେ ବୋଲି କୁହାଯାଉଛି । ଅନ୍ୟପଟେ ଶୁଭମନ ଗିଲ କିମ୍ବା ଇଶାନ କିଶାନଙ୍କୁ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ପାଳି ଆରମ୍ଭ କରିବାର ସୁଯୋଗ ମିଳିପାରେ । ସେପଟେ ରାହୁଲ ସୁସ୍ଥ ହୋଇ ସାରିଥିଲେ ମଧ୍ୟ ମଧ୍ୟଭାଗ ବ୍ୟାଟର ଶ୍ରେୟସ ଆୟରଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଆଗାମୀ ଏସିଆ କପ୍‌ ପାଇଁ ଆସନ୍ତା ୨୪ରୁ ୨୯ ଅଗଷ୍ଟ ପର୍ଯ୍ୟନ୍ତ ୬ ଦିନ ଧରି ସମସ୍ତ ଖେଳାଳୀଙ୍କୁ ବେଙ୍ଗାଲୁରୁସ୍ଥିତ ଏନ୍‌ସିଏରେ ଉପସ୍ଥିତ ରହିବାକୁ କୁହାଯାଇଛି । ଉଭୟ ରାହୁଲ ଓ ଆୟର ସେଥିରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.