ETV Bharat / sports

IPL 2023 MI vs RCB: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ, 6 ୱିକେଟରେ ଜିତିଲା ମୁମ୍ବାଇ

author img

By

Published : May 10, 2023, 1:10 AM IST

Updated : May 10, 2023, 9:43 AM IST

ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ 6 ୱିକେଟରେ ଜିତି ନେଇଛି ମୁମ୍ବାଇ । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ 200 ରନର ଟାର୍ଗେଟକୁ 16.3 ଓଭରରେ ହାସଲ କରିନେଇଛି ରୋହିତ ବାହିନୀ । ଅଧିକ ପଢ଼ନ୍ତୁ

IPL 2023 MI vs RCB
IPL 2023 MI vs RCB

ମୁମ୍ବାଇ: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି 199 ରନ କରିଥିଲା ବାଙ୍ଗାଲୋର । ତେବେ 200 ରନର ବିଜୟ ଲକ୍ଷ୍ୟକୁ କେବଳ 16.3 ବଲରେ ହାସଲ କରିନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ବିସ୍ଫୋରକ ବ୍ୟାଟିଂ କରି ସୂର୍ଯ୍ୟକୁମାର ଯାଦବ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଘରୋଇ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ବିପକ୍ଷ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । ତେବେ ପ୍ରଥମ ଓଭରରେ ହିଁ କେବଳ 1 ରନ କରି ଆଉଟ ହୋଇଥିଲେ ବିରାଟ କୋହଲି । ଏହାପରେ ଦଳୀୟ ସ୍କୋର 16 ରନ ହୋଇଥିବା ବେଳେ ଅନୁଜ ରାୱତ ମଧ୍ୟ ତୁରନ୍ତ ପାଭିଲିୟନ ଫେରିଯାଇଥିଲେ । ତେବେ ଅଧିନାୟକ ଫାଫ ଡୁପ୍ଲେସିସ ଓ ଗ୍ଲେନ ମାକ୍ସୱେଲଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ବ୍ୟାଟର ମୁମ୍ବାଇ ବୋଲରଙ୍କୁ ଆକ୍ରମଣ କରିଥିଲେ । ଦଳୀୟ ସ୍କୋର 136 ହୋଇଥିବା ବେଳେ 33 ବଲରୁ ଦୃତ 68 ରନ କରି ଆଉଟ ହୋଇଥିଲେ ମାକ୍ସୱେଲ । ଏହାପରେ ଅଧିନାୟକ ଡୁପ୍ଲେସିସ 41 ବଲରୁ 65 ରନର ପାଳି ଖେଳି ଆଉଟ ହୋଇଥିଲେ । ଦିନେଶ କାର୍ତ୍ତିକ 18 ବଲରୁ 30 ରନର ପାଳି ଖେଳି ଆଉଟ ହେବାପରେ କେଦାର ଯାଦବ ଓ ୱାନିନ୍ଦୁ ହସରଙ୍ଗାଙ୍କ ଅପରାଜିତ 12 ରନ ଲେଖାଏଁ ପାଳି ବଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 199 ରନରେ ପହଞ୍ଚିଥିଲା ।

ମୁମ୍ବାଇ ପକ୍ଷରୁ ଜାଶନ ବେରେନଡର୍ଫ 4 ଓଭରରେ 36 ରନ ଖର୍ଚ୍ଚ କରି ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାମେରନ ଗ୍ରୀନ, କ୍ରିସ ଜୋର୍ଦାନ ଓ କୁମାର କାର୍ତ୍ତିକେୟଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବିଜୟଲକ୍ଷ୍ୟ ନେଇ ଆସିଥିବା ମୁମ୍ବାଇକୁ ମଧ୍ୟ ଭଲ ଆରମ୍ଭ ମିଳିଥିଲା । ଗୋଟିଏ ପଟେ ଅଧିନାୟକ ରୋହିତ ଶର୍ମା ପାଳି ସମ୍ଭାଳୁଥିବା ବେଳେ ଅନ୍ୟପଟେ ଈଶାନ କିଶାମ ଆରସିବି ବୋଲରଙ୍କୁ ପ୍ରହାର କରିଥିଲେ । ସେ କେବଳ 21 ବଲରୁ ଦୃତ 42 ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ତୁରନ୍ତ ରୋହିତ ଶର୍ମା (7) ମଧ୍ୟ ପାଭିଲିୟନ ଫେରିଯାଇଥିଲେ । ତେବେ ସୂର୍ଯ୍ଯକୁମାର ଯାଦବ ଓ ନେହାଲ ୱାଧେରା ଆରସିବି ବୋଲରଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ । ସମସ୍ତ ବୋଲରଙ୍କ ଲାଇନ ଲେନ୍ଥ ବିଗାଡ଼ି ଦେଇଥିଲେ ସୂର୍ଯ୍ୟକୁମାର ଯାଦବ । 35 ବଲରୁ 7 ଚୌକା ଓ 6 ଛକା ବଳରେ ସେ ଧୂଆଁଧାର 83 ରନ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ଅନ୍ୟପଟେ ନେହାଲ ୱାଧେରା ମଧ୍ୟ 34 ବଲରୁ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ବିଜୟ ଭେଟି ଦେଇଥିଲେ ।

ଆରସିବି ପାଇଁ ଆଜି ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କେବଳ ୱାନିନ୍ଦୁ ହସରଙ୍ଗା ଓ ବିଜୟ କୁମାର ବୈଶକଙ୍କୁ 2ଟି ଲେଖାଏଁ ସଫଳତା ମିଳିଥିଲା । ଅନ୍ୟ କୌଣସି ବୋଲର ୱିକେଟ ହାସଲ କରିବାରେ ଅସମର୍ଥ ରହିଥିଲେ । ହସରଙ୍ଗା 4 ଓଭରରେ 53 ରନ ଖର୍ଚ୍ଚ କରି ଦଳ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 10, 2023, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.