IPL 2023 GT vs MI Qualifier 2: 171ରେ ରହିଲା ମୁମ୍ବାଇ, ବଡ଼ ବିଜୟ ସହ ଫାଇନାଲରେ ଗୁଜରାଟ

author img

By

Published : May 27, 2023, 1:27 AM IST

IPL 2023 GT vs MI Qualifier 2

ଦ୍ବିତୀୟ କ୍ବାଲିଫାୟରେ ପ୍ରଥମେ ବ୍ୟାଟିଂ କରି ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ 233 ରନର ବଡ଼ ସ୍କୋର କରିଥିଲା ଗୁଜରାଟ ଟାଇଟନ୍ସ । ଏତେ ବଡ଼ ବିଜୟଲକ୍ଷ୍ୟର ପିଛା କରି ମାତ୍ର 171 ରନରେ ସମସ୍ତ ୱିକେଟ ହରାଇଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢ଼ନ୍ତୁ

ଅହମ୍ମଦାବାଦ: ଦ୍ବିତୀୟ କ୍ବାଲିଫାୟରେ 62 ରନର ବଡ଼ ବିଜୟ ସହ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଗୁଜରାଟ ଟାଇଟନ୍ସ । ଆଜି ଫାଇନାଲରେ ପ୍ରବେଶ କରିବା ପାଇଁ ପ୍ରଥମେ ବ୍ୟାଟିଂ କରି ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ 233 ରନର ବଡ଼ ସ୍କୋର କରିଥିଲା ଗୁଜରାଟ । ତେବେ ଏତେ ବଡ଼ ବିଜୟଲକ୍ଷ୍ୟର ପିଛା କରି ମାତ୍ର 171 ରନରେ ସମସ୍ତ ୱିକେଟ ହରାଇଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚମ୍ପିଆନ୍ ଗୁଜରାଟ ଟାଇଟନ୍ସ । ଆସନ୍ତା ରବିବାର ଫାଇନାଲରେ ଚେନ୍ନାଇକୁ ଭେଟିବ ଗୁଜରାଟ ।

ପ୍ରଥମେ ଟସ ଜିତି ବିପକ୍ଷ ଦଳକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । ଯଦିଓ ରିଦ୍ଧିମାନ ଶାହା କେବଳ 18 ରନ କରି ପାଭିଲିୟନ ଫେରିଥିଲେ, ହେଲେ ଧୂଆଁଧାର ବ୍ୟାଟିଂ କରିଥିଲେ ଶୁଭମନ ଗିଲ । ସେ କେବଳ 60 ବଲ ଖେଳି ଚଳିତ ସଂସ୍କରଣର ତୃତୀୟ ଶତକ ସହିତ ସମୁଦାୟ 129 ରନ କରିଥିଲେ । ତାଙ୍କର ଏହି ପାଳିରେ 7 ଚୌକା ଓ 10 ଛକା ସାମିଲ ରହିଥିଲା । ଅନ୍ୟପଟେ ସାଇ ସୁଦର୍ଶନ 31 ବଲରୁ 43 ରନ କରି ଗିଲଙ୍କ ଭରପୁର ସାଥ ଦେଇଥିଲେ । ଏହାପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା 13 ବଲରୁ ଦୃତ 28 ରନ କରି ଦଳୀୟ ସ୍କୋରକୁ 233ରେ ପହଞ୍ଚାଇଥିଲେ ।

ମୁମ୍ବାଇ ପକ୍ଷରୁ ଆଜି କେବଳ ଆକାଶ ମାଢୱାଲ ଓ ପୀୟୁଷ ଚାୱଲାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ହେଲେ ଉଭୟ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ମାଢୱାଲ 4 ଓଭରରେ 52 ରନ ଖର୍ଚ୍ଚ କରିଥିବା ବେଳେ 3 ଓଭରରେ 45 ରନ ଖର୍ଚ୍ଚ କରିଥିଲେ ଚାୱଲା । ସେହିଭଳି କ୍ରିସ ଜୋର୍ଦ୍ଦାନ 4 ଓଭରରେ 56 ରନ ଖର୍ଚ୍ଚ କରି ଦଳ ପାଇଁ ବିଶେଷ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ତାଙ୍କୁ କୌଣସି ସଫଳତା ମଧ୍ୟ ମିଳିନଥିଲା ।

ଏହାପରେ ଫାଇନାଲରେ ପ୍ରବେଶ କରିବା ପାଇଁ ମୁମ୍ବାଇ ଆଗରେ 234 ରନର ବଡ଼ ଟାର୍ଗେଟ ରହିଥିଲା । ଈଶାନ କିଶାନ ଆହତ ହେବା କାରଣରୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ନେହାଲ ୱାଧେରା ପାଳି ଆରମ୍ଭ କରିଥିଲେ । ହେଲେ ରୋହିତ 8 ଓ ୱାଧେରା ମାତ୍ର 4 ରନ କରି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ଓ କାମେରନ ଗ୍ରୀନ ଦୀର୍ଘ ସମୟ ପାଳିକୁ ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ଭଲ ଭାଗିଦାରୀ ମଧ୍ୟ ହୋଇଥିଲା । ହେଲେ ଗ୍ରୀନ 30 ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟପଟେ ସୂର୍ଯ୍ୟକୁମାର 38 ବଲରୁ ଦଳ ପାଇଁ ସର୍ବାଧିକ 61 ରନ ସଂଗ୍ରହ କରି ମୋହିତ ଶର୍ମାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିଲକ ବର୍ମା ମାତ୍ର 14 ବଲରୁ 43 ରନର ଧୂଆଁଧାର ପାଳି ଖେଳି ଆଉଟ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଫଳରେ 171 ରନ ପାଇଁ ସମସ୍ତ ୱିକେଟ ହରାଇ ଚଳିତ ସଂସ୍କରଣର ଯାତ୍ରା ଶେଷ କରିଛି ମୁମ୍ବାଇ ।

ଗୁଜରାଟ ପକ୍ଷରୁ ଯଦିଓ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା, ତେବେ ମୋହିତ ଶର୍ମା ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ । ସେ 2.2 ଓଭର ବୋଲିଂ କରି ମାତ୍ର 10 ରନ ବ୍ୟୟରେ 5 ୱିକେଟ ସଫଳତା ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମି ଓ ରସିଦ ଖାନଙ୍କୁ 2ଟି ଲେଖାଏଁ ସଫଳତା ମିଳିଥିଲା । ଜୋଶୁଆ ଲିଟିଲ ଗୋଟିଏ ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.