ETV Bharat / sports

୮ ୱିକେଟରେ ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ, ମହିଳା ଟେଷ୍ଟରେ ପ୍ରଥମ ଥର ହାରିଲା ଅଷ୍ଟ୍ରେଲିଆ

author img

By ETV Bharat Odisha Team

Published : Dec 24, 2023, 4:28 PM IST

୮ ୱିକେଟରେ ଟିମ ଇଣ୍ଡିଆର ଐତିହାସିକ ବିଜୟ
୮ ୱିକେଟରେ ଟିମ ଇଣ୍ଡିଆର ଐତିହାସିକ ବିଜୟ

INDW vs AUSW Only Test: ଭାରତ ଓ ଅଷ୍ଟ୍ରେଲିଆ ମହିଳା ଏକମାତ୍ର ଟେଷ୍ଟରେ ଟିମ ଇଣ୍ଡିଆର ଐତିହାସିକ ବିଜୟ । ୮ ୱିକେଟରେ ହାରିଲା କଙ୍ଗାରୁ ଦଳ । ସ୍ନେହା ରାଣା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି । ଅଧିକ ପଢନ୍ତୁ

ମୁମ୍ବାଇ: ୱାଙ୍ଖେଡେରେ ଇତିହାସ ଲେଖିଲା ଭାରତୀୟ ମହିଳା କ୍ରିକେଟ୍‌ ଦଳ । ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତ ଐତିହାସିକ ବିଜୟ ହାସଲ କରିଛି । ମହିଳା ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ଥର ପାଇଁ କଙ୍ଗାରୁ ଦଳକୁ ହରାଇଛି ଟିମ୍‌ ଇଣ୍ଡିଆ । ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଛି ହରନପ୍ରୀତଙ୍କ ଭାରତୀୟ ଦଳ । ଚତୁର୍ଥ ଦିନରେ ମାତ୍ର ୨ ୱିକେଟ ହରାଇ ଟାର୍ଗେଟ୍‌ ହାସଲ କରିବା ସହ ଏକମାତ୍ର ଟେଷ୍ଟକୁ ନିଜ ନାମରେ କରି ଟ୍ରଫି ହାତେଇଛି ଭାରତୀୟ ମହିଳା ଦଳ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି କଙ୍ଗାରୁ ଦଳକୁ ହରାଇଛନ୍ତି ଭାରତୀୟ ମହିଳା ଦଳ । ଉଭୟ ପାଳିରେ ୭ ୱିକେଟ ଦଖଲକାରୀ ସ୍ନେହ ରାଣା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌: ଭାରତ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳିବା ପାଇଁ ଆସିଥିଲା ଅଷ୍ଟ୍ରେଲିଆ । ଆଉ ଘରୋଇ ମାଟିରେ ହିଁ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ହରାଇବାର ଗୌରବ ଅର୍ଜନ କରିଛି ହରମନପ୍ରୀତ କୌରଙ୍କ ନତୃତ୍ବାଧୀନ ଭାରତୀୟ ଦଳ । ଚତୁର୍ଥ ଦିନରେ ଦ୍ବିତୀୟ ଇନିଂସରେ ୨୬୧ରେ ଅଲଆଉଟ ହେଲା ଭ୍ରମଣକାରୀ ଦଳ । ପ୍ରଥମ ଇନିଂସରେ କେବଳ ୨୧୯ ରନ କରି ଆଉଟ୍‌ ହୋଇଥିଲା ଅଷ୍ଟ୍ରେଲିଆ । ଦଳ ପକ୍ଷରୁ କେବଳ ତେହଲିଆ ମ୍ୟାକ୍‌ଗ୍ରାଥ୍‌ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ବେଥ୍‌ ମୁନି ୪୦ ଓ ଅଧିନାୟିକା ଆଲିସା ହିଲି ୩୮ ରନର ପଳି ଖେଳି ଆଉଟ୍‌ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିମ୍‌ ଗାର୍ଥ (୨୮)ଙ୍କ ବ୍ୟତୀତ କୌଣସି ବ୍ୟାଟର ୨୦ ରନ କରିବାରେ ସକ୍ଷମ ହୋଇନଥିଲେ । ଭାରତ ପକ୍ଷରୁ ପୂଜା ବସ୍ତ୍ରକାର ସର୍ବାଧିକ ୪ଟି ୱିକେଟ୍‌ ଅକ୍ତିଆର କରିଥିବା ବେଳେ ସ୍ନେହ ରଣା ୩ ଓ ଦୀପ୍ତି ଶର୍ମା ୨ଟି ୱିକେଟ୍‌ ହାସଲ କରିଥିଲେ ।

ଭାରତ ପ୍ରଥମ ଇନିଂସ୍‌: ଭାରତୀୟ ବ୍ୟାଟରମାନେ ପ୍ରଥମ ଇନିଂସ୍‌ରେ କଙ୍ଗାରୁ ବୋଲରଙ୍କ ଯୋଜନା ସଫଳ ହେବାକୁ ଦେଇନଥିଲେ । ଓପନର ଶେଫାଳି ବର୍ମା ୪୦ ଓ ସ୍ମୃତି ମାନ୍ଧାନା ୭୪ ରନ କରି ଆଉଟ୍‌ ହୋଇଥିଲେ । ରିଚା ଘୋଷ ଓ ଜେମିମା ମଧ୍ୟ ବେଶ ଦମଦାର ପାଳି ଖେଳିଥିଲେ । ରିଚା ୫୨ ରନ କରିଥିବା ବେଳେ ୭୩ ରନ କରି ଆଉଟ୍‌ ହୋଇଥିଲେ ଜେମିମା । ଦୀପ୍ତି ଶର୍ମା ଦଳ ପକ୍ଷରୁ ସର୍ବାଧିକ ୭୮ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ପୂଜା ବସ୍ତ୍ରକାରଙ୍କ ୪୭ ରନ ସହ ଅନ୍ୟ ଛୋଟମୋଟ ଭାଗିଦାରୀ ବଳରେ ଭାରତ ପ୍ରଥମ ପାଳିରେ ୪୦୬ ରନର ବିଶାଳ ସ୍କୋର ହାସଲ କରି ଅଷ୍ଟ୍ରେଲିଆଠାରୁ ବହୁ ଆଗରେ ରହିଥିଲା । ଏହି ପାଳିରେ ଅଷ୍ଟ୍ରେଲିଆ ପକ୍ଷରୁ ଅସଲେଇ ଗାର୍ଡନର ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ । କିମ୍‌ ଗାର୍ଥ ୨ ଓ ଆନାବେଲ ସଦରଲାଣ୍ଡ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିବା ବେଳେ ଜେସ୍‌ ଜୋନାସେନ୍‌ ଗୋଟିଏ ୱିକେଟ୍‌ ନେଇଥିଲେ ।

ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ତୃତୀୟ ଦିନରେ ୪୦୬ ରନ୍‌ରେ ଭାରତ ଅଲ୍‌ଆଉଟ୍‌ ହେବା ପରେ ଦ୍ବିତୀୟ ପାଳି ଆରମ୍ଭ କରିଥିଲା କଙ୍ଗାରୁ ଟିମ୍‌ । ହେଲେ ପ୍ରଥମ ପାଳି ପରି ଦ୍ବିତୀୟ ଇନିଂସରେ ମଧ୍ୟ ଭ୍ରମଣକାରୀ ଦଳ ପ୍ରତି ଘାତକ ସାବ୍ୟସ୍ତ ହୋଇଥିଲେ ଭାରତୀୟ ମହିଳା ବୋଲର । ଶନିବାର ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ୱିକେଟ ହରାଇ ୨୩୩ ରନ କରିଥିଲା ଅଷ୍ଟ୍ରେଲିଆ ମହିଳା ଦଳ । ଏହାପରେ ଆଜି, ଅର୍ଥାତ ଚତୁର୍ଥ ଦିନ ୪୬ ରନରେ ଆଗୁଆ ରହି ବ୍ୟାଟିଂ ଆରମ୍ଭ କରିଥିଲା କଙ୍ଗାରୁ ଦଳ । ସକାଳ ୧୦ଟା ସୁଦ୍ଧା ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ କରି ୨୬୧ ରନରେ ସମସ୍ତ ୱିକେଟ୍‌ ହରାଇଥିଲା । ଘରୋଇ ଦଳ ଆଗରେ ନିର୍ଣ୍ଣାୟକ ପାଳିରେ କେବଳ ୭୫ ରନ ଟାର୍ଗେଟ୍‌ ରଖିଥିଲା ଅଷ୍ଟ୍ରେଲିଆ । ଏହି ପାଳିରେ ଭାରତ ପକ୍ଷରୁ ସ୍ନେହ ରଣା ସର୍ବାଧିକ ୪ଟି ୱିକେଟ ନେଇଥିଲେ । ରାଜେଶ୍ବରୀ ଗଗାଏକ୍‌ୱାଡ୍‌ ଓ ଅଧିନାୟିକା ହରମନପ୍ରୀତ କୌର ୨ଟି ଲେଖାଏଁ ୱିକେଟ ନେଇଥିଲେ । ସେହିଭଳି ପୂଜା ବସ୍ତ୍ରକାର ମଧ୍ୟ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: 261ରେ ଅଲଆଉଟ କଙ୍ଗାରୁ ଟିମ, ବିଜୟୀ ମୁହାଁ ଟିମ ଇଣ୍ଡିଆ

ଭାରତ ଦ୍ବିତୀୟ ପାଳି: ଚତୁର୍ଥ ଦିନରେ ଭାରତୀୟ ମହିଳା ଦଳ ନିର୍ଣ୍ଣାୟକ ପାଳି ଖେଳିଥିଲା । କେବଳ ୭୫ ରନ ଟାର୍ଗେଟ୍‌ ନେଇ ମୈଦାନକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଶେଫାଳି ବର୍ମା କେବଳ ୪ ରନ କରି ଆଉଟ୍‌ ହେବା ପରେ ରିଚା ଘୋଷ ୧୩ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଉପଅଧିନାୟିକା ସ୍ମୃତି ୩୮ ଓ ଜେମିମା ୧୨ ରନର ଅପରାଜିତ ପାଳି ଖେଳି ଦଳକୁ ଐତିହାସିକ ବିଜୟ ଦେଇଥିଲେ । ଏହି ପାଳିରେ ଅଷ୍ଟ୍ରେଲିଆ ପକ୍ଷରୁ କିମ୍‌ ଗାର୍ଥ ଓ ଅସଲେଇ ଗାର୍ଡନର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.