ETV Bharat / sports

Border Gavaskar Trophy: ପ୍ରଥମ ଟେଷ୍ଟରେ ଗୋଟିଏ ଇନିଂସ ଓ ୧୩୨ରନରେ ଭାରତ ବିଜୟୀ

author img

By

Published : Feb 11, 2023, 3:15 PM IST

Updated : Feb 11, 2023, 3:34 PM IST

ବର୍ଡର ଗାଭାସ୍କର ଟ୍ରଫି ପ୍ରଥମ ମ୍ୟାଚ୍‌ରେ ଭାରତର ବିଜୟ । କଙ୍ଗାରୁ ଦଳକୁ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇଲା ଟିମ ଇଣ୍ଡିଆ । ଅଧିକ ପଢ଼ନ୍ତୁ

BGT First Test Won India
ବର୍ଡର ଗାଭାସ୍କର ଟ୍ରଫି ପ୍ରଥମ ମ୍ୟାଚ୍‌ରେ ଭାରତର ବିଜୟ

ହାଇଦ୍ରାବାଦ: ବର୍ଡର ଗାଭାସ୍କର ଟ୍ରଫି (BGT) ପ୍ରଥମ ମୁକାବିଲାରେ ଭାରତର ଦମଦାର ବିଜୟ । ଗୋଟିଏ ଇନିଂସ ଓ ୧୩୨ ରନରେ କଙ୍ଗାରୁ ଦଳକୁ ପରାସ୍ତ କଲା ଟିମ ଇଣ୍ଡିଆ । ଦୁଇଟି ଯାକ ଇନିଂସ୍‌ରେ ଭାରତ ପାଇଁ ପ୍ରଭାଶାଳୀ ପ୍ରଦର୍ଶନ କରି ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହେଲେ ରବିନ୍ଦ୍ର ଜାଡ଼େଜା ।

ନାଗପୁରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ଫେବୃଆରୀ ୯ ତାରିଖରୁ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଥିଲା କଙ୍ଗାରୁ ଦଳ । ତେବେ ଭାରତୀୟ ବୋଲରଙ୍କ ଆକ୍ରମଣରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୦୦ ରନ ଛୁଇଁବା ପୂର୍ବରୁ ୧୭୭ ରନରେ ଅଲଆଉଟ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆର ମାରନସ ଲାବୁସାନେ ସର୍ବାଧିକ ୪୯ ରନ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ଷ୍ଟିଭ୍‌ ସ୍ମିଥ୍‌ ୧୦୭ ବଲରେ ୩୭ ରନ୍‌ର ଇନିଂସ ଖେଳି ସ୍ପିନର ଜାଡେଜାଙ୍କ ବଲର ଶିକାର ହୋଇଥିଲେ ହୋଇଥିଲେ । ହେଣ୍ଡସ୍କମ ୩୧ ରନ ଓ ଆଲେକ୍ସ କ୍ୟାରୀ ୩୬ ରନ ସଂଗ୍ରହ କରିଥିଲେ । ଏହି ୪ ଜଣ ବ୍ୟାଟରଙ୍କୁ ଛାଡିଦେଲେ କଙ୍ଗାରୁ ଦଳର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ କରିବାରେ ସଫଳ ହୋଇ ପାରିନଥିଲେ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ମଧ୍ୟରେ ଜାଡ଼େଜାଙ୍କୁ ସର୍ବାଧିକ ୫ ୱିକେଟ, ଅଶ୍ବିନଙ୍କୁ ୩ ୱିକେଟ ଓ ଦୃତ ବୋଲର ସାମି ଓ ସିରାଜଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଏହାପରେ ଭାରତ ସେହିଦିନ ପ୍ରଥମ ଇନିଂସ ପାଳି ଆରମ୍ଭ କରି ୨୪ ଓଭର ଖେଳି ୭୭ ରନ କରିଥିଲା ।

ଦ୍ବିତୀୟ ଦିନର ଶେଷ ସୁଦ୍ଧା ୭ ୱିକେଟ ହରାଇ ୩୨୧ ରନ କରିଥିଲା ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ୧୫ଟି ଚୌକା ଓ ୨ଟି ଛକା ସହିତ ୧୨୦ ରନର ଦମଦାର ପାଳି ଖେଳିଥିଲେ । କିନ୍ତୁ ଏହାପରେ ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ ଭାରତୀୟ ଅଧିନାୟକ । ଏହାପରେ ରବିନ୍ଦ୍ର ଜାଡେଜା ୬୬ ରନ ଓ ଅକ୍ସର ପଟେଲ ୫୩ ରନ କରି ଅପରାଜିତ ରହି ଆଜି ପୁଣିଥରେ ପାଳି ଆରମ୍ଭ କରିଥିଲେ । ଉଭୟଙ୍କ ମଜଭୁତ ଭାଗିଦାରୀ ବଳରେ ଭାରତ ୪୦୦ ରନରେ ପ୍ରଥମ ଇନିଂସ ଶେଷ କରି ପ୍ରତିପକ୍ଷ ଦଳକୁ ୨୨୩ ରନର ଲିଡ୍‌ ଦେଇଥିଲା ।

ତେବେ ଦ୍ବିତୀୟ ଇନିଂସରେ ମଧ୍ୟ କଙ୍ଗାରୁ ଦଳର ପ୍ରଦର୍ଶନ ଶୋଚନୀୟ ରହିଥିଲା । କଙ୍ଗାରୁ ଦଳର ଉଭୟ ପ୍ରାରମ୍ଭିକ ବ୍ୟାଟର ଉସ୍‌ମାନ ଖାୱଜା (୫) ଓ ଡେଭିଡ ୱାର୍ନର (୧୦)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ରବିଚନ୍ଦ୍ରନ ଅଶ୍ବିନ । ଅନ୍ୟମାନଙ୍କ ମଧ୍ୟରେ ମାର୍ନସ ଲାବୁସାନେ ୧୭, ଷ୍ଟେଭ ସ୍ମିଥ ୨୫ ଓ ଆଲେକ୍ସ କ୍ୟାରୀ ୧୦ ରନ ସଂଗ୍ରହ କରିଥିଲେ । କଙ୍ଗାରୁ ଦଳର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବା ପାଇଁ ସଫଳ ହୋଇନଥିଲେ । ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୧୨ ଓଭରରେ ୩୭ ରନ ବ୍ୟୟରେ ୫ ୱିକେଟ ହାସଲ କରି ପ୍ରତିପକ୍ଷ ଦଳକୁ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ସାମି ଓ ରବିନ୍ଦ୍ର ଜାଡ଼େଜା ୨ଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ ଅକ୍ଷର ପଟେଲ ଗୋଟିଏ ୱିକେଟ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 11, 2023, 3:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.