ETV Bharat / sports

INDvsSL: ଶନକାଙ୍କ ଶତକ ବେକାର, ୬୭ ରନରେ ଭାରତ ବିଜୟୀ

author img

By

Published : Jan 10, 2023, 9:37 PM IST

Updated : Jan 10, 2023, 10:50 PM IST

ୱିକେଟ ନେବା ପରେ ଖୁସି ମନାଉଛନ୍ତି ଭାରତୀୟ ଖେଳାଳି
ୱିକେଟ ନେବା ପରେ ଖୁସି ମନାଉଛନ୍ତି ଭାରତୀୟ ଖେଳାଳି

ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ବିଜୟୀ । 67 ରନରେ ଶ୍ରୀଲଙ୍କାକୁ ପରାସ୍ତ କଲା ଭାରତ । ଅଧିକ ପଢନ୍ତୁ

ଗୌହାଟୀ : 67 ରନରେ ଶ୍ରୀଲଙ୍କାକୁ ପରାସ୍ତ କଲା ଭାରତ । ଏହି ବିଜୟ ପରେ ଭାରତ ୧-୦ ରେ ସିରିଜରେ ଆଗୁଆ ରହିଛି । ଆଜି (ମଙ୍ଗଳବାର) ଭାରତ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଛି । ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୭୩ । ଏହାର ଜବାବରେ ସିଂହଳୀ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ 306 ରନ କରିଥିଲା । ଷ୍ଟାର ବ୍ୟାଟର ବିରାଟ କୋହଲି ଶତକୀୟ ଇନିଂସ ଖେଳିଥିବା ବେଳେ ଫାଷ୍ଟ ବୋଲର ଉମରାନ ମଲ୍ଲିକ ସର୍ବାଧିକ ୩ ଟି ୱିକେଟ ନେଇଛନ୍ତି । ବିରାଟ କୋହଲି ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଟିମ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ଭାରତ ପ୍ରଥମେ ବିସ୍ଫୋରକ ବ୍ୟାଟିଂ କରିବା ପରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା ମେନ୍ ଇନ୍ ବ୍ଲୁ । ଓପନିଂ ଯୋଡି ଆରମ୍ଭରୁ ଚମତ୍କାର ଇନିଂସ ଖେଳିଥିଲେ । ପ୍ରଥମ ୱିକେଟ ବେଳକୁ ଟିମ ଇଣ୍ଡିଆର ସ୍କୋର ୧୯.୪ ଓଭରରେ ୧୪୩ ରହିଥିଲା । ତୃତୀୟ ଅର୍ଡରରେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇ ନିଜ ବ୍ୟାଟିଂର ସୁପର ସୋ ଦେଖାଇଥିଲେ ବିରାଟ କୋହଲି ।

ବିରାଟ କୋହଲିଙ୍କ ବିସ୍ଫୋରକ ଶତକୀୟ ଇନିଂସ ଏବଂ ରୋହିତ ଶର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଭାରତ ୩୭୩ ରନ କରିବାରେ ସକ୍ଷମ ହୋଇପାରିଥିଲା । ବିରାଟ କୋହଲି ୮୭ ବଲରୁ ୧୨ ଟି ଚୌକା ଏବଂ ଗୋଟିଏ ଛକା ବଳରେ ୧୧୩ ରନର ଇନିଂସ ଖେଳିଥିଲେ । ପ୍ରଥମ ଭାରତୀୟ କ୍ରିକେଟର ଭାବରେ ୨୦୨୩ ବର୍ଷର ପ୍ରଥମ ଶତକୀୟ ପାଳି ଖେଳିଛନ୍ତି ଏହି ଷ୍ଟାର ବ୍ୟାଟର । ଏହା ସହିତ ଏହା ତାଙ୍କ କ୍ୟାରିୟର ୭୩ତମ ଶତକ ।

ସେହିପରି ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ ପରେ ଶତକ ଲକ୍ଷ୍ୟ ନେଇ ମଇଦାନରେ ଦମଦାର ବ୍ୟାଟିଂ ଜାରି ରଖିଥିଲେ । ହେଲେ ଦିଲସାନ ମଧୁଶଙ୍କାଙ୍କ ବଲରେ ବୋଲ୍ଡ ହୋଇ ପାଭଲିୟନ ଲେଉଟିଥିଲେ । ସେ ୬୭ ବଲରୁ ୯ ଟି ଚୌକା ଏବଂ ୩ ଟି ଛକା ବଳରେ ୮୩ ରନର ଧୂଆଁଧାର ଇନିଂସ ଖେଳିଥିଲେ । ସେହିପରି ଶୁବମନ ଗିଲ ୭୦ ରନ, ଶ୍ରେୟାସ ଆୟାର ୨୮ ରନ, କେଏଲ ରାହୁଲ ୩୯ ରନ, ହାର୍ଦ୍ଦିକ ପାଣ୍ଡ୍ୟା ୧୪ ରନ କରିଥିଲେ । ସେପଟେ ଭାରତୀୟ ବୋଲର ଆଜି ଶୃଙ୍ଖଳିତ ବୋଲିଂ କରିଥିଲେ । ଉମରାନ ମଲ୍ଲିକ ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଥିଲେ । ମହମ୍ମଦ ସିରାଜ ୨ ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମି, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜିବେନ୍ଦ୍ର ଚହଲ ଗୋଟିଏ ଲେଖାଏ ୱିକେଟ ହାତେଇଥିଲେ ।

ସେପଟେ ଅଧିନାୟକ ଦାସୁନ ଶନକାଙ୍କ ଲଢୁଆ ଶତକୀୟ ଇନିଂସ ପାଣିରେ ପଡିଛି । ଶନକାଙ୍କ ବିସ୍ଫୋରକ ଶତକୀୟ ପାଳି ବଳରେ ସିଂହଳୀ ଟିମ ୩୦୬ ରନ କରିବାରେ ସକ୍ଷମ ହୋଇଥିଲା । ସେ ୮୮ ବଲରୁ ୧୨ ଟି ଚୌକା ଏବଂ ୩ ଟି ଛକା ସହାୟତାରେ ସର୍ବାଧିକ ୧୦୮ ରନ କରି ଅପରାଜିତ ରହିଥିଲେ । ୩୭୪ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଶ୍ରୀଲଙ୍କା । ଆରମ୍ଭରୁ ଓପନିଂ ଯୋଡିକୁ ଝଟକା ଦେଇଥିଲେ ଭାରତୀୟ ବୋଲର । ଓପନର ପଥୁମ ନିଶଙ୍କା ପାଳି ସମ୍ଭାଳି ସ୍କୋର ବୋର୍ଡକୁ ଆଗକୁ ବଢାଇଥିଲେ । ସେ ୮୦ ବଲରୁ ୧୧ ଟି ଚୌକା ବଳରେ ୭୨ ରନର ଇନିଂସ ଖେଳିଥିଲେ । ସେହିପରି ଚରିଥ ଅସଲଙ୍କା ୨୩ ରନ, ଧନଞ୍ଜୟ ଡି ସିଲଭା ୪୭ ରନ, ୱାନେନ୍ଦୁ ହସରଙ୍ଗା ୧୬ ରନ, ଚମିକା କରୁଣାରତ୍ନେ ୧୪ ରନ କରିଥିଲେ । କାସୁନ ରଜିଥା ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଦିନିକିଆ ଜାନୁଆରୀ ୧୨ ତାରିଖରେ କୋଲକାତା ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ ।

Last Updated :Jan 10, 2023, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.