ETV Bharat / sports

Cricket World Cup 2023: କୋହଲିଙ୍କ ଶତକରେ ପଛରେ ରାହୁଲ, ଜାଣନ୍ତୁ କିପରି

author img

By ETV Bharat Odisha Team

Published : Oct 20, 2023, 7:52 PM IST

କୋହଲିଙ୍କ ଶତକରେ ପଛରେ ରହିଛି ରାହୁଲଙ୍କ ଯୋଗଦାନ
କୋହଲିଙ୍କ ଶତକରେ ପଛରେ ରହିଛି ରାହୁଲଙ୍କ ଯୋଗଦାନ

ବିଶ୍ବକପ୍‌ ୨୦୨୩ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଭାରତର ବିଜୟ ସହ ଦିନିକିଆ କ୍ରିକେଟରେ ୪୮ ତମ ଶତକ ହାସଲ କରିଛନ୍ତି କିଙ୍ଗ୍‌ କୋହଲି । ତେବେ ମ୍ୟାଚ୍‌ର ଶେଷ ବେଳକୁ କୋହଲିଙ୍କୁ ସିଙ୍ଗିଲ ନେବାକୁ ମନା କରିଥିଲେ ରାହୁଲ । ଜାଣନ୍ତୁ କାରଣ

ହାଇଦ୍ରାବାଦ: ବିରାଟ କୋହଲିଙ୍କ ଦମଦାର ଶତକ ସହାୟତାରେ ଗୁରୁବାର ବାଂଲାଦେଶକୁ ୭ ୱିକେଟ୍‌ରେ ହରାଇଛି ଟିମ୍‌ ଇଣ୍ଡିଆ । ଚଳିତ ବିଶ୍ବକପ୍‌ ୨୦୨୩ରେ ଏହା ଭାରତର କ୍ରମାଗତ ଚତୁର୍ଥ ବିଜୟ । ତେବେ ଶତକ ହାସଲ କରିବା ଶେଷ ମୁହୂର୍ତ୍ତରେ କୋହଲି ରନ୍‌ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । କାରଣ ଓଭର ବାକି ରହିଥିଲେ ମଧ୍ୟ ଦଳକୁ ଜିତିବା ପାଇଁ ଯେତିକି ରନ ଦରକାର ଥିଲା, କୋହଲିଙ୍କୁ ଶତକ ହାସଲ ପାଇଁ ମଧ୍ୟ ସେତିକି ରନ ଆବଶ୍ୟକତା ଥିଲା । ତେଣୁ କୋହଲି ମାପିଚୁପି ରନ୍‌ ନେଉଥିବା ଦେଖିବାକୁ ମିଳିଥିଲା । ହେଲେ ଶେଷ ମୁହୂର୍ତ୍ତରେ ସେ ସିଙ୍ଗଲ ନେବାକୁ କେଏଲ ରାହୁଲଙ୍କୁ କହିଥିଲେ ମଧ୍ୟ ରାହୁଲ ମନା କରି ଦେଇଥିଲେ । ଏହାପରେ ଛକା ମାରି ଦଳକୁ ବିଜୟୀ କରିବା ସହ ବେଶ ଚମତ୍କାର ଢଙ୍ଗରେ ଶତକ ହାସଲ କରିଥିଲେ କୋହଲି । ତେଣୁ ଭାରତର ବିଜୟଠାରୁ କୋହଲିଙ୍କ ଶତକକୁ ନେଇ ଅଧିକ ଚର୍ଚ୍ଚା ଲାଗି ରହିଛି ।

  • " class="align-text-top noRightClick twitterSection" data="">

ସମାଲୋଚକଙ୍କ ମୁହଁ ବନ୍ଦ କଲେ ରାହୁଲ: ଏହି ସମୟରେ କୋହଲି ଦଳକୁ ଜିତାଇବା ପାଇଁ ଖେଳିବା ପରିବର୍ତ୍ତେ ନିଜ ବ୍ୟକ୍ତିଗତ ରେକର୍ଡ ପାଇଁ ଖେଳୁଥିବା ନେଇ କିଛି ପ୍ରଶଂସକ କୋହଲିଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଥିଲେ । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ କୋହଲିଙ୍କ ବ୍ୟାଟିଂ ସାଥି କେଏଲ୍‌ ରାହୁଲଙ୍କ ଉତ୍ତର ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ୍‌ର ଶେଷ ମୁହୂର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛକା ରାହୁଲଙ୍କୁ ନିଜ ଶତକ ହାସଲ କରିବାରୁ ବଞ୍ଚିତ କରିଥିଲା । ହେଲେ ଏହି ମ୍ୟାଚ୍‌ରେ ସେପରି ଭୁଲ କରିନଥିଲେ ରାହୁଲ । ସେ ନିଜେ ବଡ଼ ସଟ୍‌ ଖେଳିବାକୁ ଚେଷ୍ଟା କରିନଥିଲେ ଆଉ କୋହଲିଙ୍କୁ ସିଙ୍ଗିଲ୍‌ ନନେବାକୁ ବାଧ୍ୟ କରିଥିଲେ । ତେବେ ଭାରତୀୟ ପାଳିର ଶେଷ ମୁହୂର୍ତ୍ତରେ ଉପଲବ୍ଧ ହେଉଥିବା ସହଜ ସିଙ୍ଗିଲ୍‌ ନନେବାକୁ ନେଇ ରାହୁଲ ନିଜ ସ୍ପଷ୍ଟୀକରଣରେ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।

ରାହୁଲଙ୍କ ସହ କଥା ହେବାପରେ ସିଙ୍ଗିଲ ନେଲେନି କୋହଲି: ଏହି ମ୍ୟାଚ୍‌ରେ ଯେତେବେଳେ ଭାରତ ଜିତିବାକୁ ଆଉ ୧୯ ରନ ବାକିଥିଲା, କୋହଲି ମଧ୍ୟ ନିଜ ଶତକଠାରୁ ୧୯ ରନ ଦୂରରେ ରହିଥିଲେ । ଏହି ସମୟରେ ପିଚ୍‌ ମଧ୍ୟରେ କୋହଲି ଓ ରାହୁଲଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ହୋଇଥିବା ଦେଖିବାକୁ ମିଳିଥିଲା । ଏହାପରେ କୋହଲି ନିଜର ସାଧାରଣ ଖେଳ ନଖେଳି ଉପଲବ୍ଧ ସିଙ୍ଗିଲ ନେବା ବଦଳରେ କେବଳ ଛକା ଓ ଚୌକା ମାରିବା ପାଇଁ ପ୍ରୟାସ କରିଥିଲେ ଓ ନିଜ ପାଖରେ ଷ୍ଟ୍ରାଇକ୍‌ ରଖିଥିଲେ । ବାଂଲାଦେଶୀ ବୋଲର ବାରମ୍ବାର ଅତିରିକ୍ତ ରନ ଦେଉଥିବାରୁ ଏହା କୌହଲିଙ୍କ ଶତକ ପ୍ରତି ଆଶଙ୍କା ସୃଷ୍ଟି କରିଥିଲା । କୋହଲି ୯୭ ରନରେ ରହିଥିବାବେଳେ ଭାରତକୁ ଜିତିବା ପାଇଁ ମାତ୍ର ୨ ରନର ଆବଶ୍ୟକତା ରହିଥିଲା । ଏହି ସମୟରେ ବୋଲର ନାସୁମ ଅହମ୍ମଦ ଏକ ୱାଇଡ୍‌ ପକାଇଥିଲେ । ହେଲେ ଅମ୍ପାୟାର ରିଚାର୍ଡ କେଟେଲବରୋଫ୍‌ ଏହାକୁ ୱାଇଡ୍‌ ଦେଇନଥିଲେ । ଶେଷରେ କୋହଲି ଧୈର୍ଯ୍ୟର ସହ ଅପେକ୍ଷା କରି ଏକ ଛକା ମାରିଥିଲେ । ଏହି ଛକା ସହିତ ଭାରତକୁ ବିଜୟ ଓ କୋହଲିଙ୍କୁ ୪୮ ତମ ଅନ୍ତର୍ଜାତୀୟ ଦିନିକିଆ ଶତକ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ବାଂଲଦେଶ ବିପକ୍ଷରେ କିଙ୍ଗ୍‌ କୋହଲିଙ୍କ ରୋମାଞ୍ଚଭରା ଶତକ, ସାଥ ଦେଇଥିଲେ ରାହୁଲ

ବିରାଟ ଶତକ ପଛରେ ରାହୁଲଙ୍କ ହାତ: ତେବେ ଏହି ସମୟରେ କୋହଲି ପ୍ରକୃତରେ ଦ୍ବନ୍ଦ୍ବରେ ଥିଲେ ବୋଲି ରାହୁଲ କହିଛନ୍ତି । କୋହଲି କହିଥିଲେ, 'ଏହା ଏକ ବିଶ୍ବକପ୍‌ ମ୍ୟାଚ୍‌, ତେଣୁ ସିଙ୍ଗିଲ୍‌ ନନେବା ଠିକ୍‌ ହେବନି । ଲୋକେ ହୁଏତ ଭାବିବେ ଦେଶକୁ ଜିତାଇବା ପରିବର୍ତ୍ତେ ମୁଁ ନିଜେ ରେକର୍ଡ କରିବାକୁ ଖେଳୁଛି ।' ଏନେଇ ରାହୁଲ କହିଛନ୍ତି, "ମୁଁ କୋହଲିଙ୍କୁ କହିଲି ଯଦିଓ ଆମେ ଜିତିନାହୁଁ, ହେଲେ ଅତି ସହଜରେ ଜିତିବୁ । ତେଣୁ ତୁମେ ଏକ କୀର୍ତ୍ତିମାନ କଣ ପାଇଁ ହାତଛଡ଼ା କରିବ ? ତୁମେ ନିଶ୍ଚୟ ଚେଷ୍ଟା କର । ଶେଷରେ କୋହଲି ତାହା ହିଁ କଲେ ଓ ମୁଁ ସିଙ୍ଗିଲ୍‌ ଯିବାକୁ ଚାହିଁଲିନି ।"

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଅନ୍ତର୍ଜାତୀୟ କ୍ରିକେଟରେ ସଂଗ୍ରହ କଲେ ଦ୍ରୁତତମ 26K ରନ୍‌

ସଚିନଙ୍କ ନିକଟତର କୋହଲି: ପ୍ରକାଶଯୋଗ୍ୟ, ଦିନିକିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ୪୯ ଶତକ ରହିଥିବାବେଳେ ଏବେ କୋହଲିଙ୍କ ନାମରେ ୪୮ ଶତକ ହୋଇଛି । ଆଉ ମାତ୍ର ଦୁଇଟି ଶତକ ପରେ ସେ ବିଶ୍ବ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଶତକ ହାସଲକାରୀ କ୍ରିକେଟର ହୋଇଯିବେ । ଏହା ସହିତ ବାଂଲାଦେଶ ବିପକ୍ଷ ଶତକ ସହିତ କୋହଲି ବିଶ୍ବ କ୍ରିକେଟ୍‌ରେ ଚତୁର୍ଥ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି । ଏହି ବିଜୟ ସହ ଭାରତ କ୍ରମାଗତ ଚତୁର୍ଥ ବିଜୟ ସହ ବିଶ୍ବକପ୍‌ ୨୦୨୩ରେ ଅପରାଜିତ ରହି ପଏଣ୍ଟ୍ସ ଟେବୁଲର ଦ୍ବିତୀୟରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.