ETV Bharat / sports

Cricket World Cup 2023: ଓପନିଂ ମ୍ୟାଚ୍‌ ଜିତାଇଲେ କୋହଲି-ରାହୁଲ, ବିଜୟରୁ ଭାରତର ବିଶ୍ବକପ୍‌ ଅଭିଯାନ ଆରମ୍ଭ

author img

By ETV Bharat Odisha Team

Published : Oct 8, 2023, 10:03 PM IST

Updated : Oct 8, 2023, 10:24 PM IST

ବିଶ୍ବକପ୍‌ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରିଛି ଭାରତ । ପ୍ରଥମେ ଦମଦାର ପ୍ରଦର୍ଶନ କରି ଭାରତୀୟ ବୋଲର କଙ୍ଗାରୁ ଦଳକୁ ୧୯୯ ରନ୍‌ରେ ଅଟକାଇଥିଲେ । ପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ଷ୍ଟାର ବ୍ୟାଟର ବିରାଟ କୋହଲି ଓ କେଏଲ୍‌ ରାହୁଲ ଦଳକୁ ବିଜୟୀ କରାଇଛନ୍ତି । ଅଧିକ ପଢ଼ନ୍ତୁ

ଓପନିଂ ମ୍ୟାଚ୍‌ ଜିତାଇଲେ କୋହଲି-ରାହୁଲ
ଓପନିଂ ମ୍ୟାଚ୍‌ ଜିତାଇଲେ କୋହଲି-ରାହୁଲ

ଚେନ୍ନାଇ: ବିଜୟରୁ ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କଲା ଭାରତ । ଚେନ୍ନାଇର ଐତିହାସିକ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଚଳିତ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିଥିଲା ରୋହିତ ବାହିନୀ । ପ୍ରଥମେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରିଥିବା କଙ୍ଗାରୁ ଦଳ କେବଳ ୧୯୯ ରନରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା । ଏହାପରେ ୨୦୦ ରନର ସହଜ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ହେଲେ ଭେଟେରାନ ବ୍ୟାଟର ବିରାଟ କୋହଲି ଓ କେଏଲ୍‌ ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ଓ ପରେ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟୀ କରାଇଛି । ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ମାତ୍‌ ଦେଇ ବିଜୟରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି ଭାରତ ।

ଅଷ୍ଟ୍ରେଲିଆ ବ୍ୟାଟିଂ: ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ହେଲେ ଭାରତୀୟ ବୋଲିଂ ଆଟାକ୍‌ର ସାମ୍ନା କରିବା ଦଳ ପାଇଁ ଏତେ ସହଜ ହୋଇନଥିଲା । ଦ୍ବିତୀୟ ଓଭରରେ ହିଁ ଦଳକୁ ପ୍ରଥମ ଝଟ୍‌କା ଲାଗିଥିଲା । ମିଚେଲ୍‌ ମାର୍ଶ ଖାତା ଖୋଲିବା ଆଗରୁ ଯଶପ୍ରୀତ ବୁମ୍‌ରାଙ୍କ ବଲରେ ବିରାଟ କୋହଲିଙ୍କ ହାତରେ ଧରା ପଡ଼ିଥିଲେ । ଏହାପରେ ଡେଭିଡ୍‌ ୱାର୍ନରଙ୍କ ସହ ମିଶି ଷ୍ଟିଭ୍‌ ସ୍ମିଥ୍‌ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଉଭୟ ଦ୍ବିତୀୟ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୬୯ ରନ ଯୋଡ଼ିଥିଲେ । ଏହାପରେ ୫୨ ବଲରୁ ୪୧ ରନ କରିଥିବା ୱାର୍ନର ପାଭିଲିୟନ ଫେରିଯାଇଥିଲେ । ସ୍ମିଥ ଦଳ ପାଇଁ ସର୍ବାଧିକ ୪୬ ରନ କରି ଆଉଟ୍‌ ହୋଇଥିଲେ । ଲାବୁସାନେ ୨୭ ରନ କରିଥିବାବେଳେ ମିଚେଲ ଷ୍ଟାର୍କ ଦଳ ପାଇଁ ଶେଷ ପର୍ଯ୍ୟନ୍ତ ସଙ୍ଘର୍ଷ କରି ୨୮ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାକ୍ସୱେଲ ଓ କମିନ୍ସ ୧୫ ରନ ଲେଖାଏଁ କରିଥିଲେ । ଦଳର ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ବିଶିଷ୍ଟ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଖେଳୁଥିବା କଙ୍ଗାରୁ ଦଳ କେବଳ ୧୯୯ ରନରେ ସମସ୍ତ ୱିକେଟ ହରାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ, ସଙ୍କଟମୋଚକ ସାଜିଲେ କୋହଲି-ରାହୁଲ

ଭାରତ ବୋଲିଂ: ଭାରତ ପକ୍ଷରୁ ଆଜି ସମସ୍ତ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ରବୀନ୍ଦ୍ର ଜାଡେଜା ୧୦ ଓଭରରୁ ୨୮ ରନ ବ୍ୟୟରେ ସର୍ବାଧିକ ୩ ୱିକେଟ୍‌ ହାସଲ କରିଥିବାବେଳେ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍‌ରା ୨ଟି ଲେଖାଏଁ ୱିକେଟ ନେଇଥିଲେ । ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇ କଙ୍ଗାରୁ ଦଳକୁ ୧୯୯ରେ ଅଟକାଇବାରେ ସକ୍ଷମ ହୋଇଥିଲେ ।

ଭାରତ ବ୍ୟାଟିଂ: ଏହାପରେ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ କେବଳ ୨୦୦ ରନର ସହଜ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଭାରତୀୟ ଦଳ । ହେଲେ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଦୁଇ ଓପନରଙ୍କ ସମେତ ୩ ଶୀର୍ଷକ୍ରମ ବ୍ୟାଟର ଖାତା ମଧ୍ୟ ଖୋଲିବାରେ ଅସମର୍ଥ ହୋଇଥିଲେ । ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଈଶାନ କିଷାନ ଏବଂ ଶ୍ରେୟସ ଆୟର କୌଣସି ରନ୍‌ ନକରି ଆଉଟ ହୋଇଥିଲେ । ଫଳରେ ଆରମ୍ଭରୁ ହିଁ ଘରୋଇ ଦଳ ଉପରେ ଚାପ ପଡ଼ିଥିଲା । ହେଲେ ପରିସ୍ଥିତିକୁ ସମ୍ଭାଳି ବ୍ୟାଟିଂ କରିଥିଲେ ଭେଟେରାନ ବ୍ୟାଟର ବିରାଟ କୋହଲି ଓ କେଏଲ୍‌ ରାହୁଲ । ଉଭୟ ଧିରେ ଧିରେ ବ୍ୟାଟିଂ କରି ଦଳକୁ କଠିନ ପରିସ୍ଥିତିରୁ ମୁକୁଳାଇଥିଲେ । କୋହଲି ୧୧୬ ବଲରୁ ୬ ଚୌକା ବଳରେ ୮୫ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ କେଏଲ୍‌ ରାହୁଲ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ । ସେ ୧୧୫ ବଲରୁ ୮ ଚୌକା ଓ ୨ ଛକା ବଳରେ ଅପରାଜିତ ୯୭ ରନ କରିଛନ୍ତି । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ୮ ବଲରୁ ଅପରାଜିତ ୧୧ ରନ ସଂଗ୍ରହ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆରମ୍ଭରୁ ଭାରତୀୟ ବୋଲରଙ୍କ ଜୋରଦାର ଆକ୍ରମଣ, ୧୯୯ରେ ଅଷ୍ଟ୍ରେଲିଆ ଅଲଆଉଟ୍‌

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ବୋଲରମାନେ ଆଜି ପାଳି ଆରମ୍ଭରୁ ଭାରତୀୟ ବ୍ୟାଟରଙ୍କ ହାତକୁ ବାନ୍ଧି ରଖିଥିଲେ । ପ୍ରଥମ ଓଭରରେ ମିଚେଲ ଷ୍ଟାର୍କ ଈଶାନ କିଷାନଙ୍କୁ ଆଉଟ୍‌ କରି ଭାରତ ଉପରେ ଚାପ ସୃଷ୍ଟି କରିଥିବାବେଳେ ଦ୍ବିତୀୟ ଓଭରରେ ରୋହିତ ଓ ଆୟରଙ୍କୁ ଆଉଟ୍‌ କରି ବିପକ୍ଷ ଦଳ ଉପରେ ଚାପକୁ ଦ୍ବିଗୁଣିତ କରିଥିଲେ ଜୋଶ ହାଜଲେଉଡ୍‌ । ଏହାପରେ କିନ୍ତୁ ବିରାଟ କୋହଲି ଓ କେଏଲ୍‌ ରାହୁଲ କଙ୍ଗାରୁ ବୋଲରଙ୍କୁ ଭଲଭାବେ ସମ୍ଭାଳି ନେଇଥିଲେ । ହାଜଲେଉଡ୍‌ ସମୁଦାୟ ୩ଟି ୱିକେଟ୍‌ ନେଇଥିବାବେଳେ ଷ୍ଟାର୍କ ଗୋଟିଏ ୱିକେଟ୍‌ ହିଁ ନେବାରେ ସକ୍ଷମ ହୋଇଥିଲେ । ଅନ୍ୟ କୌଣସି ବୋଲର ଦଳକୁ ୱିକେଟ୍‌ ଦେବାରେ ବିଫଳ ହୋଇଥିଲେ । ଫଳରେ ଭାରତ ଏହି ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତି ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 8, 2023, 10:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.