ETV Bharat / sports

Cricket World Cup 2023: ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ, ସଙ୍କଟମୋଚକ ସାଜିଲେ କୋହଲି-ରାହୁଲ

author img

By ETV Bharat Odisha Team

Published : Oct 8, 2023, 8:08 PM IST

ବିଶ୍ବକପ୍‌ ୨୦୨୩ରେ ଭାରତର ପ୍ରଥମ ମ୍ୟାଚ୍‌ରେ ଫେଲ୍‌ ହେଲେ ୩ ଶୀର୍ଷକ୍ରମ ବ୍ୟାଟର । ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହେଲେ ରୋହିତ ଶର୍ମା, ଈଶାନ କିଶାନ ଓ ଶ୍ରେୟସ ଆୟର । ସଙ୍କଟମୋଚକ ସାଜିଲେ ବିରାଟ କୋହଲି ଓ କେଏଲ୍‌ ରାହୁଲ । ଅଧିକ ପଢ଼ନ୍ତୁ

ପ୍ରଥମରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ
ପ୍ରଥମରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଆଜି ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳର ଦୁଇ ଓପନରଙ୍କ ସମେତ ୩ ଶୀର୍ଷକ୍ରମ ବ୍ୟାଟର ଖାତା ମଧ୍ୟ ଖୋଲିବାରେ ଅସମର୍ଥ ହୋଇଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଈଶାନ କିଷାନ ଏବଂ ଶ୍ରେୟସ ଆୟର କୌଣସି ରନ୍‌ ନକରି ଆଉଟ ହୋଇଛନ୍ତି । କଙ୍ଗାରୁ ବୋଲରଙ୍କ ଆକ୍ରମଣରେ ଶିକାର ହୋଇଛନ୍ତି ଏହି ୩ ଭାରତୀୟ ଖେଳାଳି । ଭାରତ ପକ୍ଷରୁ କୋହଲି ଏବଂ ରାହୁଲ ପରିସ୍ଥିତିକୁ ବୁଝି ବ୍ୟାଟିଂ ଜାରି ରଖିଛନ୍ତି । ଷ୍ଟାର୍କ ପ୍ରଥମ ଓଭରରୁ ଈଶାନ କିଷାନଙ୍କୁ ଆଉଟ କରିଥିବାବେଳେ ହାଜେଲଉଡ୍ କ୍ରମାଗତ ଭାବେ ରୋହିତ ଓ ଆୟରଙ୍କ ୱିକେଟ୍‌ ଅକ୍ତିଆର କରିଛନ୍ତି ।

ବିଶ୍ବକପରେ ଆଜି ସୁପର ସନ୍‌ଡେ'ରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍‌ ୨୦୨୩ର ପ୍ରଥମ ମ୍ୟାଚ୍‌ ଖେଳୁଛି ଭାରତ । ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବାବେଳେ ଭାରତୀୟ ବୋଲିଂ ବିଭାଗ ଦମଦାର ପ୍ରଦର୍ଶନ କରିଥିଲେ । ଫଳରେ ବଡ଼ ସ୍କୋର ଲକ୍ଷ୍ୟରେ ଥିବା ଅଷ୍ଟ୍ରେଲିଆ କେବଳ ୧୯୯ ରନରେ ଅଲ୍‌ ଆଉଟ ହୋଇଥିଲା । ଦଳ ପକ୍ଷରୁ କୌଣସି ଜଣେ ମଧ୍ୟ ଖେଳାଳି ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ଷ୍ଟିଭ୍‌ ସ୍ମିଥ୍ ସର୍ବାଧିକ ୪୬ ରନ ସଂଗ୍ରହ କରିଥିବାବେଳେ ୱାର୍ନର ୪୧ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାର୍କ ୨୮, ଲାବୁସାନେ ୨୭ ଏବଂ ମାକ୍ସୱେଲ ଓ ଗ୍ରୀନ ୧୫ ରନ ଲେଖାଏଁ ସ୍କୋର କରିଛନ୍ତି । ଏମାନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ଫଳରେ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଖେଳୁଥିବା କଙ୍ଗାରୁ ଦଳ କେବଳ ୧୯୯ ରନରେ ସମସ୍ତ ୱିକେଟ ହରାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆରମ୍ଭରୁ ଭାରତୀୟ ବୋଲରଙ୍କ ଜୋରଦାର ଆକ୍ରମଣ, ୧୯୯ରେ ଅଷ୍ଟ୍ରେଲିଆ ଅଲଆଉଟ୍‌

ସେପଟେ ଭାରତ ପକ୍ଷରୁ ଆଜି ସମସ୍ତ ବୋଲର ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ । ରବୀନ୍ଦ୍ର ଜାଡେଜା ୧୦ ଓଭରରୁ ୨୮ ରନ ବ୍ୟୟରେ ସର୍ବାଧିକ ୩ ୱିକେଟ୍‌ ହାସଲ କରିଥିବାବେଳେ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍‌ରା ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇ କଙ୍ଗାରୁ ଦଳକୁ ୧୯୯ରେ ଅଟକାଇବାରେ ସକ୍ଷମ ହୋଇଛନ୍ତି । ହେଲେ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ କେବଳ ୨୦୦ ରନର ସହଜ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଦଳ ଶୀର୍ଷକ୍ରମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଏହାପରେ କଠିନ ପରିସ୍ଥିତିରୁ ଭାରତକୁ ମୁକୁଳାଇଛନ୍ତି ବିରାଟ କୋହଲି ଓ କେଏଲ୍‌ ରାହୁଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.