ETV Bharat / sports

Cricket World Cup 2023: ଇଂଲଣ୍ଡର ଚମ୍ପିଆନ୍ସ ଟ୍ରଫି ଟିକେଟ୍‌ ସୁରକ୍ଷିତ, ବଡ଼ ପରାଜୟ ନେଇ ପାକିସ୍ତାନ ବିଦା

author img

By ETV Bharat Odisha Team

Published : Nov 11, 2023, 9:47 PM IST

Updated : Nov 11, 2023, 10:07 PM IST

England wins by 93 runs
୯୩ ରନ୍‌ରେ ଜିତିଲା ଇଂଲଣ୍ଡ

ବିଶ୍ବକପ୍‌ ୨୦୨୩ରେ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଶୋଚନୀୟ ପ୍ରଦର୍ଶନ ସହ ବିଦାୟ ନେଲା ପାକିସ୍ତାନ । କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୩୩୭ ରନର ବିଶାଳ ସ୍କୋର କରିଥିଲା ଇଂଲଣ୍ଡ । ଜବାବରେ କେବଳ ୨୪୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି ପାକିସ୍ତାନ । ଅଧିକ ପଢ଼ନ୍ତୁ

କୋଲକାତା: ବ୍ୟାଟରଙ୍କ ବିଫଳତା ପରେ ପାକିସ୍ତାନ ପାଇଁ ବ୍ୟାଟିଂ କରି ଲଢ଼ିଲେ ବୋଲର । କ୍ରମାଗତ ଶୋଚନୀୟ ପ୍ରଦର୍ଶନ ସହ ବିଶ୍ବକପ୍‌ରୁ ବିଦା ହେଲା ପାକିସ୍ତାନ । କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୩୭ ରନର ବିଶାଳ ସ୍କୋର କରିବା ସହ ପାକିସ୍ତାନକୁ ସେମି ଦୌଡ଼ରୁ ଏକ ପ୍ରକାର ବାଦ ଦେଇଥିଲା । ଜବାବରେ ପାକିସ୍ତାନ ବ୍ୟାଟରମାନେ ଅତି ଶୋଚନୀୟ ପ୍ରଦର୍ଶନ କରିଥିଲେ । ଫଳରେ ୨୪୪ ରନରେ ସମସ୍ତ ୱିକେଟ୍‌ ହରାଇଛି ପାକିସ୍ତାନ । ସେପଟେ ୯୩ ରନରେ ଜିତି ଚମ୍ପିଆନ୍ସ ଟ୍ରଫି ପାଇଁ ସ୍ଥାନ ସୁରକ୍ଷିତ କରିବା ସହ ବିଶ୍ବକପ୍‌ ୨୦୨୩ ଅଭିଯାନ ଶେଷ କରିଛି ଡେଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ।

ଇଂଲଣ୍ଡ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଂଲଣ୍ଡକୁ ଦୁଇ ଓପନର ଜନି ବେୟାର୍‌ଷ୍ଟୋ ଓ ଡାୱିଡ୍ ମଲାନ ଭଲ ଆରମ୍ଭ ଦେଇଥିଲେ । ମଲାନ ୩୧ ରନ କରିଥିବାବେଳେ ବେୟାରଷ୍ଟୋ ୫୯ ରନ୍‌ କରି ଆଉଟ୍‌ ହୋଇଥିଲେ । ଦୁଇ ଓପନର ଆଉଟ୍‌ ହେବା ପରେ ଜୋ ରୁଟ୍ ଓ ବେନ୍‌ ଷ୍ଟୋକ୍ସ ଏକ ଦୃଢ଼ ଭାଗିଦାରୀ କରି ସ୍କୋରବୋର୍ଡକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ରୁଟ୍ ୬୦ ଓ ଷ୍ଟୋକ୍ସ ୮୪ ରନ କରିଥିଲେ । ସେହିପରି ଅଧିନାୟକ ବଟଲର ୨୭ ରନ ଓ ହ୍ୟାରୀ ବ୍ରୁକ୍ସ ୩୦ ରନ କରିଥିଲେ । ଫଳରେ ଇଂଲଣ୍ଡ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୩୭ ରନ୍‌ କରିଥିଲା ।

ପାକିସ୍ତାନ ବୋଲିଂ: ପାକିସ୍ତାନ ପକ୍ଷରୁ ହାରିସ୍ ରୌଫ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ସେ ୧୦ ଓଭରରୁ ୬୪ ରନ ବ୍ୟୟ କରିବା ସହ ଗୋଟିଏ ସଂସ୍କରଣରେ ସର୍ବାଧିକ ରନ ବ୍ୟୟକାରୀ ବୋଲର (୫୨୭) ହେବାର ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଥିଲେ । ଶାହୀନ ଆଫ୍ରିଦି ଓ ମହମ୍ମଦ ୱାସିମ୍‌ (ଜୁନିୟର) ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ଇଫ୍‌ତିଖାର ଅହମ୍ମଦଙ୍କୁ ଗୋଟିଏ ସଫଳତା ମିଳିଥିଲା ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୩୩୭ ରନର ବିଶାଳ ସ୍କୋର କଲା ଇଂଲଣ୍ଡ, ପାକିସ୍ତାନର ସେମି ରାସ୍ତା ବନ୍ଦ

ପାକିସ୍ତାନ ବ୍ୟାଟିଂ: ବିଶ୍ବକପ୍‌ ୨୦୨୩ ସେମିଫାଇନାଲ୍‌ରେ ପହଞ୍ଚିବା ପାଇଁ ପାକିସ୍ତାନ ଆଗରେ ଏକ ଅସମ୍ଭବ ଟାର୍ଗେଟ୍‌ ରହିଥିଲା । ୩୩୮ ରନ୍‌କୁ କେବଳ ୬.୨ ଓଭରରେ ହାସଲ କରିବାକୁ ଲକ୍ଷ୍ୟ ଥିଲା । ହେଲେ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅବ୍‌ଦୁଲ୍ଲା ଶଫିକ୍‌ ଖାତା ଖୋଲିବା ଆଗରୁ ଆଉଟ୍‌ ହୋଇଥିବାବେଳେ ଦଳ ସର୍ବାଧିକ ନିର୍ଭର କରିଥିବା ଫଖର ଜମାନ ୧ ରନ କରି ପାଭିଲିୟନ ଫେରିଥିଲେ । କୌଣସି ଶୀର୍ଷକ୍ରମ ବ୍ୟାଟର ଅର୍ଦ୍ଧଶତକ ହାସଲ କରିବାରେ ବିଫଳ ହେବାପରେ ବ୍ୟାଟିଂ ଅଲରାଉଣ୍ଡର ଆଘା ସଲ୍‌ମାନ୍‌ ୪୫ ବଲରୁ ୫୧ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଶେଷ ବେଳକୁ ହାରିସ୍‌ ରୌଫ୍‌ ୩୫ ରନର ଧୂଆଁଧାର ପାଳି ଖେଳି ଦଳୀୟ ସ୍କୋରକୁ ୨୪୪ ରନରେ ପହଞ୍ଚାଇଥିଲେ । ଏତିକିରେ ହିଁ ଅଲ୍‌ଆଉଟ୍‌ ହେବା ସହିତ ବିଶ୍ବକପ୍‌ ଅଭିଯାନ ଶେଷ କରିଛି ପାକିସ୍ତାନ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସେମିଫାଇନାଲ୍‌ ଲାଇନ୍‌-ଅପ୍‌ ସ୍ପଷ୍ଟ କଲା ଆଇସିସି, ୧୫ରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ଇଂଲଣ୍ଡ ବୋଲିଂ: ଇଂଲଣ୍ଡ ପାଇଁ ବିଶ୍ବକପ୍‌ ୨୦୨୩ର ଶେଷ ମ୍ୟାଚ୍‌ରେ ଦଳ ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଡେଭିଡ୍‌ ୱିଲି ୧୦ ଓଭରରୁ ୫୬ ରନ ବ୍ୟୟରେ ସର୍ବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଆଦିଲ ରଶିଦ୍‌, ଗସ୍‌ ଆଟ୍‌କିନସନ୍‌ ଓ ମୋଇନ ଅଲ୍ଲୀ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । କ୍ରିସ୍‌ ୱକ୍ସଙ୍କୁ ଗୋଟିଏ ସଫଳତା ମିଳିଥିଲା । ଏହି ବିଜୟ ସହିତ ଚମ୍ପିଆନ୍ସ ଟ୍ରଫିରେ ସ୍ଥାନ ସୁରକ୍ଷିତ କରିବାରେ ସଫଳ ହୋଇଛି ଇଂଲଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 11, 2023, 10:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.