ETV Bharat / sports

Cricket World Cup 2023: ଦଳର ପ୍ରଦର୍ଶନକୁ ନେଇ ନିରାଶ ବାବର, ଏମିତି କହିଲେ ପରାଜୟର କାରଣ

author img

By ETV Bharat Odisha Team

Published : Nov 12, 2023, 5:39 PM IST

Babar Azam blames Pakistan spin bowlers
ଦଳର ପ୍ରଦର୍ଶନକୁ ନେଇ ନିରାଶ ବାବର

ବିଶ୍ବକପ୍‌ ୨୦୨୩ରୁ ପାକିସ୍ତାନ ବିଦା ହେବାପରେ ନିରାଶ ଅଧିନାୟକ ବାବର ଆଜମ । ଶନିବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ହାରିବା ସହ ବିଶ୍ବକପ୍‌ ଅଭିଯାନ ଶେଷ କରିଥିଲା ପାକିସ୍ତାନ । ମିଡିଲ୍‌ ଓଭରରେ ସ୍ପିନରମାନେ ୱିକେଟ୍‌ ନନେବାକୁ ପରାଜୟର କାରଣ ଦର୍ଶାଇଛନ୍ତି ପାକ୍‌ ଅଧିନାୟକ । ଅଧିକ ପଢ଼ନ୍ତୁ

କୋଲକାତା: ଚଳିତ ବିଶ୍ବକପ୍‌ ୨୦୨୩ରେ କ୍ରମାଗତ ଶୋଚନୀୟ ପ୍ରଦର୍ଶନ ସହ ବିଶ୍ବକପ୍‌ରୁ ବିଦା ହୋଇଛି ପାକିସ୍ତାନ । ଇଂଲଣ୍ଡ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ଇଂଲଣ୍ଡ ଠାରୁ ହାରି ଭାରତରୁ ବିଦାୟ ନେଇଛି ବାବର ବାହିନୀ । ଶନିବାର କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୩୭ ରନର ବିଶାଳ ସ୍କୋର କରିବା ସହ ପାକିସ୍ତାନକୁ ସେମି ଦୌଡ଼ରୁ ଏକ ପ୍ରକାର ବାଦ ଦେଇଥିଲା । ଜବାବରେ ପାକିସ୍ତାନ ବ୍ୟାଟରମାନେ ଅତି ଶୋଚନୀୟ ପ୍ରଦର୍ଶନ କରିଥିଲେ । ଫଳରେ ୨୪୪ ରନରେ ସମସ୍ତ ୱିକେଟ୍‌ ହରାଇ ବଡ଼ ପରାଜୟ ସହ ବିଶ୍ବକପ୍‌ ଅଭିଯାନ ଶେଷ କରିଥିଲା ପାକିସ୍ତାନ ।

ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ ୯ ମ୍ୟାଚ୍‌ରୁ ୪ଟି ମ୍ୟାଚ୍‌ ଜିତି ୮ ପଏଣ୍ଟ ସହ ପଏଣ୍ଟ୍ସ ଟେବୁଲରେ ୫ମ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ଯଦିଓ ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଆୟୋଜକ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ଦଳ ଯୋଗ୍ୟତା ଅର୍ଜନ କରିସାରିଛି, ହେଲେ ବିଶ୍ବକପ୍‌ ୨୦୨୩ରେ ଅତି ଶୋଚନୀୟ ପ୍ରଦର୍ଶନ ଦଳକୁ ସେମିଫାଇନାଲ୍‌ ଦୌଡ଼ରୁ ବାହାର କରିଥିଲା । ତେବେ ଇଂଲଣ୍ଡ ଠାରୁ ହାରିବା ପରେ ଦଳର ଖରାପ ପ୍ରଦର୍ଶନକୁ ନେଇ ନିରାଶା ବ୍ୟକ୍ତ କରିଥିଲେ ଅଧିନାୟକ ବାବର ଆଜମ ।

ମ୍ୟାଚ୍‌ ପରେ ବାବର କହିଛନ୍ତି, "ଦଳର ପ୍ରଦର୍ଶନକୁ ନେଇ ମୁଁ ଅତ୍ୟନ୍ତ ନିରାଶ । ଯଦି ଆମେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଜିତିଥାନ୍ତୁ, ହୁଏତ କାହାଣୀ ଭିନ୍ନ ହୋଇଥାନ୍ତା । କିନ୍ତୁ ହଁ, ଆମେ ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂରେ ଭୁଲ୍ କରିଥିଲୁ । ଆମେ ୨୦-୩୦ ଅତିରିକ୍ତ ରନ୍ ଦେଇଥିଲୁ । କିଛି ଖରାପ ଓଭର ମଧ୍ୟ ବୋଲିଂ କରିଥିଲୁ । ଆମ ସ୍ପିନରମାନେ ୱିକେଟ୍ ନେଇ ନନେବାର ଏକ ବଡ ପ୍ରଭାବ ପଡିଲା । ଯଦି ସ୍ପିନରମାନେ ମଧ୍ୟ ଓଭରରେ ୱିକେଟ୍ ନନିଅନ୍ତି ତେବେ ଆପଣଙ୍କୁ ସଂଘର୍ଷ କରିବାକୁ ପଡିବ । ତେବେ ଆମକୁ ଏକାଠି ବସି ଭୁଲ ଗୁଡ଼ିକୁ ଆଲୋଚନା କରିବାକୁ ହେବ । ଆମେ ସକରାତ୍ମକ ଭାବେ ସବୁ ଗ୍ରହଣ କରିବୁ । ଭବିଷ୍ୟତରେ ମୁଁ ମୋର ଅଭିଜ୍ଞତା ଆଧାରରେ ସର୍ବଶ୍ରେଷ୍ଠ ପ୍ରୟାସ କରିବି ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଇଂଲଣ୍ଡର ଚମ୍ପିଆନ୍ସ ଟ୍ରଫି ଟିକେଟ୍‌ ସୁରକ୍ଷିତ, ବଡ଼ ପରାଜୟ ନେଇ ପାକିସ୍ତାନ ବିଦା

ପ୍ରକାଶ ଥାଉ, ବିଶ୍ବକପ୍‌ ୨୦୨୩ରେ ଶନିବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ୯୩ ରନରେ ପରାସ୍ତ କରିଥିଲା ଇଂଲଣ୍ଡ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହାରଇ ୩୩୭ ରନ୍ ସ୍କୋର କରିଥିଲା ଇଂଲଣ୍ଡ । ଜବାବରେ ପାକିସ୍ତାନ ୪୩.୩ ଓଭରରେ ୨୪୪ ରନ୍ ପାଇଁ ସମସ୍ତ ୱିକେଟ୍‌ ହରାଇଥିଲା । ଏହିପରି ଇଂଲଣ୍ଡ ୯ ମ୍ୟାଚ୍‌ରେ ୬ ପଏଣ୍ଟ୍‌ ସହ ପଏଣ୍ଟ୍ସ ଟେବୁଲର ୭ମ ସ୍ଥାନରେ ଅଭିଯାନ ଶେଷ କରିଛି । ପାକିସ୍ତାନ ବାଦ ପଡ଼ିବା ପରେ ସେମିଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ନଭେମ୍ବର ୧୫ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ସହ ପ୍ରଥମ ସେମି ଖେଳିବ କିୱି ଦଳ । ଦ୍ବିତୀୟ ସେମିଫାଇନାଲ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.