ETV Bharat / sports

ବୁମରାଙ୍କ ଅସ୍ତ୍ରୋପଚାର ସଫଳ, ଚିନ୍ତା ବଢ଼ାଇଲେ ଆୟର

author img

By

Published : Apr 15, 2023, 10:08 PM IST

ଯଶପ୍ରୀତ ବୁମରା ଓ ଶ୍ରେୟସ ଆୟରଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ଜାରି କଲା ବିସିସିଆଇ । ବୁମରାଙ୍କର ଅସ୍ତ୍ରୋପଚାର ସଫଳ ହୋଇଥିବା ସହ ସେ ଏବେ NCAରେ ତାଲିମ ନେଉଥିବା ପ୍ରକାଶ କରିଛି ବିସିସିଆଇ । ତେବେ ଆୟରଙ୍କ ଅସ୍ତ୍ରୋପଚାର ଆସନ୍ତା ସପ୍ତାହରେ ହେବ ବୋଲି ବିସିସିଆଇ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ

Bumrah and Iyer Health Update
Bumrah and Iyer Health Update

ହାଇଦ୍ରାବାଦ: ଆଇପିଏଲ ୨୦୨୩ ଜାରି ରହିଥିବା ବେଳେ ଏହାରି ମଧ୍ୟରେ ଭାରତୀୟ କ୍ରିକେଟ ଫ୍ୟାନ୍ସ ମାନଙ୍କୁ ଏକ ଖୁସି ଖବର ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) । ଟ୍ବିଟ କରି ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ଓ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ଅପଡେଟ ଦେଇଛି ବିସିସିଆଇ । ବିସିସିଆଇ ଦେଇଥିବା ସୂଚନା ଅନୁସାରେ ବୁମରାଙ୍କର ପିଠିରେ ହୋଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି । ଏବେ ସେ ସୁସ୍ଥ ରହିଛନ୍ତି ବବୋଲି ସୂଚନା ଦେଇଛି ବିସିସିଆଇ । ଏହା ସହିତ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କର ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର ହେବ ବୋଲି ମଧ୍ୟ ବୋର୍ଡ ସୂଚନା ଦେଇଛି ।

ଦିନିକିଆ ବିଶ୍ବକପ ଖେଳିବେ ବୁମରା !: ବିସିସିଆଇ ଦେଇଥିବା ସୂଚନା ଅନୁସାରେ ଯଶପ୍ରୀତ ବୁମରାଙ୍କର ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି । ଏହାପରେ ସେ ସୁସ୍ଥ ଅଛନ୍ତି ଏବଂ ପୂର୍ବ ଅପେକ୍ଷା ଅଧିକ ଭଲ ଅନୁଭବ କରୁଛନ୍ତି । ଏପରିକି ବୁମରା ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ (NCA)ରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ନିଜର ତାଲିମ ମଧ୍ୟ ଆରମ୍ଭ କରିଛନ୍ତି । ଏହାକୁ ଦେଖିଲେ, ଚଳିତ ବର୍ଷ ଅକ୍ଟୋବର- ନଭେମ୍ବର ମଧ୍ୟରେ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ ପୂର୍ବରୁ ବୁମରା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଲୟକୁ ଫେରି ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ଏକ ବିବୃତି ଜାରି କରି ବିସିସିଆଇ କହିଛି, "ନ୍ୟୁଜିଲାଣ୍ଡରେ ଯଶପ୍ରୀତ ବୁମରାଙ୍କର ହୋଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି । ତାଙ୍କୁ ଏବେ କୌଣସି କଷ୍ଟ ମଧ୍ୟ ଅନୁଭବ ହେଉନାହିଁ । ଅସ୍ତ୍ରୋପଚାର କରିଥିବା ବିଶେଷଜ୍ଞ ବୁମରାଙ୍କୁ ୬ ସପ୍ତାହ ପରେ ତାଲିମ ଆରମ୍ଭ କରିବାକୁ କହିଥିଲେ । ଏନେଇ ୬ ସପ୍ତାହ ପରେ ବୁମରା NCAରେ ନିଜର ତାଲିମ ଆରମ୍ଭ କରିଛନ୍ତି ।

ଆସନ୍ତା ସପ୍ତାହରେ ଆୟରଙ୍କ ଅସ୍ତ୍ରୋପଚାର: ବିସିସିଆଇ ଜାରି କରିଥିବା ବିବୃତିରେ ଭାରତୀୟ ମିଡିଲ ଅର୍ଡର ବ୍ୟାଟର ଶ୍ରେୟସ ଆୟରଙ୍କ ସ୍ବାସ୍ଥ୍ୟ ଅପଡେଟ ମଧ୍ୟ ଦେଇଛି । ଏବେ ମଧ୍ୟ ଆୟର ପିଠି ଯନ୍ତ୍ରଣା ଜନିତ ସମସ୍ୟାରେ ରହିଥିବା ବୋର୍ଡ ଜଣାଇଛି । ଆସନ୍ତା ସପ୍ତାହରେ ତାଙ୍କର ପିଠିର ଅସ୍ତ୍ରୋପଚାର ହେବ । ତେବେ ଏନେଇ ଆୟର ଆସନ୍ତା ବିଶ୍ବକପ ମଧ୍ୟରେ ଠିକ ହେବାର ସମ୍ଭାବନା ବହୁତ କମ । ଯାହା ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିସିସିଆଇ ଜାରି କରିଥିବା ବିବୃତିରେ କୁହାଯାଇଛି, "ଶ୍ରେୟସ ଆୟରଙ୍କର ପିଠିର ଅସ୍ତ୍ରୋପଚାର ହେବ । ଏହି ଅସ୍ତ୍ରୋପଚାର ଆସନ୍ତା ସପ୍ତାହରେ ହେବା ନେଇ ସମୟ ଧାର୍ଯ୍ୟ ହୋଇଛି । ଅସ୍ତ୍ରୋପଚାର ପରେ ସେ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ବିଶେଷଜ୍ଞଙ୍କ ଅଧିନରେ ରହିବେ । ଏହାପରେ ସେ ତାଲିମ ପାଇଁ NCA ଆସିବେ ।" ପ୍ରକାଶ ଥାଉ କି, ଆସନ୍ତା ଜୁନ ୭ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଖେଳାଯିବ । ଏହି ମ୍ୟାଚ୍‌ ପାଇଁ ଇଂଲଣ୍ଡ ଗସ୍ତ କରିବ ରୋହିତ ବାହିନୀ । ତେବେ ଏଥିରୁ ଆୟର ବାଦ ପଡ଼ିବା ସହିତ ବୁମରା ଖେଳିବାର ସମ୍ଭାବନା ମଧ୍ୟ ବହୁତ କମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.