IPL 2023 Schedule: ମାର୍ଚ୍ଚ ୩୧ରେ ଗୁଜୁରାଟ-ଚେନ୍ନାଇ ଲଢ଼େଇ, ମେ ୨୮ରେ ଫାଇନାଲ

author img

By

Published : Feb 17, 2023, 9:52 PM IST

IPL 2023 Schedule

ଆସିଗଲା ଆଇପିଏଲ ୧୬ତମ ସଂସ୍କରଣର ଖେଳ ସୂଚୀ । ମାର୍ଚ୍ଚ ୩୧ରେ ପ୍ରଥମ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ । ଫାଇନାଲ ମୁକାବିଲା ମେ ୨୮ରେ ହେବ । ତେବେ ଚଳିତ ଆଇପିଏଲ ୧୨ଟି ଭେନ୍ୟୁରେ ଖେଳାଯିବାକୁ ଥିବାବେଳେ ବାରବାଟୀ ଷ୍ଟାଡିୟମରେ ଗୋଟିଏ ମଧ୍ୟ ମ୍ୟାଚ୍‌ ଖେଳାଯିବ ନାହିଁ । ଯାହାକୁ ନେଇ ଓଡ଼ିଆ ଫ୍ୟାନ୍ସ ନିରାଶ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଚଳିତ ବର୍ଷ ଆଇପିଏଲ ପାଇଁ ଜାରି ହେଲା ଖେଳ ସୂଚୀ । ଏନେଇ ବିସିସିଆଇ ତରଫରୁ ସୂଚନା ଦିଆଯାଇଛି । ଆଇପିଏଲ (Indian Premier League)ର ୧୬ ତମ ସଂସ୍କରଣ ପାଇଁ ଖେଳ ସୂଚୀ ଜାରି କରିଛି ବିସିସିଆଇ । ଚଳିତ ବର୍ଷ ମାର୍ଚ୍ଚ ୩୧ରୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚ୍‌ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହା ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ । ତେବେ ଚଳିତ ବର୍ଷ ଆଇପିଏଲ ୧୨ଟି ଭେନ୍ୟୁରେ ଖେଳାଯିବା ନେଇ ଖେଳ ସୂଚୀରେ ରହିଛି । କିନ୍ତୁ ବାରବାଟୀ ଷ୍ଟାଡିୟମରେ ଗୋଟିଏ ମଧ୍ୟ ମ୍ୟାଚ୍‌ ଖେଳାଯିବ ନାହିଁ । ଯାହାକୁ ନେଇ ଓଡ଼ିଆ ଫ୍ୟାନ୍ସ ନିରାଶ ହୋଇଛନ୍ତି ।

ଚଳିତ ସିଜିନରେ ସମସ୍ତ ୧୦ ଟିମ ମଧ୍ୟରେ ୫୨ ଦିନରେ ମୋଟ ୭୦ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ । ଏହାପରେ ପ୍ଲେ ଅଫ୍‌ରେ ୪ଟି ମ୍ୟାଚ୍‌ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୧୮ଟି ଡବଲ ହେଡର (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍‌) ହେବ । ଡବଲ ହେଡର ମ୍ୟାଚ୍‌ ଦିନ ପ୍ରଥମ ମ୍ୟାଚ୍‌ ଦିନ ୩:୩୦ରେ ଖେଳାଯିବ ଏବଂ ଦ୍ବିତୀୟ ମ୍ୟାଚ୍‌ ସନ୍ଧ୍ୟା ୭:୩୦ ସମୟରେ ଆରମ୍ଭ ହେବ । ତେବେ ଏହି ସିଜିନର ଫାଇନାଲ ମୁକାବିଲା ମେ ୨୮ରେ ହେବ ।

ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ୧୨ଟି ସ୍ଥାନରେ ଖେଳାଯିବ । ଆଇପିଏଲରେ ଖେଳୁଥିବା ସମସ୍ତ ୧୦ ଟିମର ହୋମ ଗ୍ରାଉଣ୍ଡ- ବେଙ୍ଗାଲୁରୁ (RCB), ମୁମ୍ବାଇ (MI), ଚେନ୍ନାଇ (CSK), ଅହମଦାବାଦ (GT), ଜୟପୁର (RR), ଲକ୍ଷ୍ନୌ (LSG), ହାଇଦ୍ରାବାଦ (SRH), ଦିଲ୍ଲୀ (DC), ମୋହାଲି (PK) ଓ କୋଲକାତା (KKR)ରେ ଖେଳାଯିବା ନେଇ ସୂଚୀ ଜାରି ହୋଇଛି । ଏହା ବ୍ୟତୀତ ଗୌହାଟୀ ଓ ଧର୍ମଶାଳାରେ ମଧ୍ୟ ମ୍ୟାଚ୍‌ ଖେଳାଯିବ । କିନ୍ତୁ ବାରବାଟୀରେ କୌଣସି ଗୋଟିଏ ମଧ୍ୟ ମ୍ୟାଚ୍‌ ଖେଳାଯିବ ନାହିଁ । ଆଇପିଏଲ ୨୦୨୨ରେ ୧୫ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଆଇପିଏଲରେ ପ୍ରଥମ ଥର ଖେଳୁଥିବା ଗୁଜୁରାଟ ଓ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ମଧ୍ୟରେ ଖେଳା ଯାଇଥିଲା । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଗୁଜୁରାଟ ଟାଇଟନ୍ସ ସଞ୍ଜୁ ସାମ୍‌ସନ୍‌ଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍ସକୁ ହରାଇ ଟ୍ରଫି ହାତେଇଥିଲା ।

ଚଳିତ ସଂସ୍କରଣରେ ମଧ୍ୟ ଘରୋଇ ଓ ବାହାର (Home and Away) ଫର୍ମାଟରେ ସବୁ ମ୍ୟାଚ୍‌ ଖେଳାଯିବ । ଅର୍ଥାତ ସବୁ ଟିମ୍‌ ଲିଗ ପର୍ଯ୍ୟାୟର ୧୪ ମ୍ୟାଚ୍‌ରୁ ୭ଟି ମ୍ୟାଚ୍‌ ନିଜ ହୋମ ଗ୍ରାଉଣ୍ଡରେ ଓ ଅନ୍ୟ ୭ଟି ମ୍ୟାଚ୍‌ ବିପକ୍ଷ ଦଳର ହୋମ ଗ୍ରାଉଣ୍ଡରେ ଖେଳିବେ । ଏହାପରେ ପ୍ଲେ ଅଫ ପର୍ଯ୍ୟାୟର ମ୍ୟାଚ୍‌ ନିରପେକ୍ଷ ଗ୍ରାଉଣ୍ଡରେ ଖେଳାଯିବ । ଗତବର୍ଷ ସଂସ୍କରଣ ଭଳି ଚଳିତ ସଂସ୍କରଣରେ ମଧ୍ୟ ୧୦ଟି ଟିମକୁ ଦୁଇଟି ଗ୍ରୁପ୍‌ରେ ରଖାଯାଇଛି । ଗ୍ରୁପ 'ଏ'ରେ ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜିଆଣ୍ଟସ ରହିଛନ୍ତି । ସେହିଭଳି ଗ୍ରୁପ 'ବି'ରେ ଚେନ୍ନାଇ ସୁପରକିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଗୁଜୁରାଟ ଟାଇଟନ୍ସ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.