ETV Bharat / sports

ବିସିସିଆଇ ଗଠନ କଲା ନୂଆ WPL କମିଟି, ରୋଜର ବିନ୍ନି ଅଧ୍ୟକ୍ଷ ଓ ଜୟ ଶାହ ଆବାହକ

author img

By ETV Bharat Odisha Team

Published : Dec 8, 2023, 4:27 PM IST

ରୋଜର ବିନ୍ନି WPL କମିଟି ଅଧ୍ୟକ୍ଷ ଓ ଜୟ ଶାହା ଆବାହକ
ରୋଜର ବିନ୍ନି WPL କମିଟି ଅଧ୍ୟକ୍ଷ ଓ ଜୟ ଶାହା ଆବାହକ

BCCI Announces New WPL Committee: ମହିଳା ପ୍ରିମିୟର ଲିଗ୍‌ ୨୦୨୪ (WPL 2024) ପୂର୍ବରୁ ୮ ସଦସ୍ୟ ବିଶିଷ୍ଟ ନୂଆ କମିଟି ଗଠନ କରିଛି ବିସିସିଆଇ । ଏହି କମିଟିରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ଅଧ୍ୟକ୍ଷ ଓ ସଚିବ ଜୟ ଶାହଙ୍କୁ ଆବାହକ ଭାବେ ମିଳିଛି ଦାୟିତ୍ବ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଭାରତରେ ଏବେ IPL (Indian Premier League)କୁ ନେଇ ଯେତିକି ଚର୍ଚ୍ଚା, ଡବ୍ଲ୍ୟୁପିଏଲ୍‌ (Women Premier League) ନେଇ ମଧ୍ୟ ସେତିକି ଚର୍ଚ୍ଚା ହେଉଛି । ଆଇପିଏଲ୍‌ରେ ଅଂଶଗ୍ରହଣ କରୁଥିବା ସମସ୍ୟ ୧୦ ଦଳ ୨୦୨୪ ଫାଇଟ୍‌ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଡବ୍ଲ୍ୟୁପିଏଲ୍‌ ୨୦୨୪ ପାଇଁ ନୂଆ କମିଟି ଗଠନ କରି ପ୍ରସ୍ତୁତି ଆରମ୍ଭ କରିଛି ବିସିସିଆଇ । ଗୁରୁବାର ୮ ସଦସ୍ୟ ବିଶିଷ୍ଟ ମହିଳା ପ୍ରିମିୟର ଲିଗ୍‌ ପାଇଁ ଏକ ନୂତନ କମିଟି ଗଠନ ହୋଇଛି । ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଥିବାବେଳେ ବିସିସିଆଇ ସଚିବ ଜୟ ଶାହଙ୍କୁ ଏହାର ଆବାହକ ଭାବେ ଦାୟିତ୍ବ ମିଳିଛି ।

ଡବ୍ଲ୍ୟୁପିଏଲ୍‌ ୨୦୨୪ ପାଇଁ ଗଠିତ ନୂତନ କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଆଇପିଏଲ୍‌ ଅଧ୍ୟକ୍ଷ ଅରୁଣ ଧୂମଲ, ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା, ବିସିସିଆଇ କୋଷାଧ୍ୟକ୍ଷ ଆଶିଷ ଶେଲାର, ବିସିସିଆଇ ଯୁଗ୍ମ ସମ୍ପାଦକ ଦେବଜିତ ସାଇକିଆ, ମଧୁମତୀ ଲେଲେ ଓ ପ୍ରଭତେଜ ଭାଟିଆ । ଏହି କମିଟି ଡବ୍ଲ୍ୟୁପିଏଲ୍‌ରେ ଅଂଶୀଦାର, ଖେଳାଳି ଏବଂ ପ୍ରଶଂସକଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ବ ଦେବ । ମହିଳା ପ୍ରିମିୟର ଲିଗ୍‌ ୨୦୨୪ ସଂସ୍କରଣ ପାଇଁ ନିଲାମୀ ପ୍ରକ୍ରିୟା ଡିସେମ୍ବର ୯ରେ ମୁମ୍ବାଇରେ ହେବ । ଲିଗ୍‌ର ତାରିଖ ଓ ଭେନ୍ୟୁ ମଧ୍ୟ ଖୁବଶୀଘ୍ର ଘୋଷଣା କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଡିସେମ୍ବର 9ରେ ମହିଳା ଆଇପିଏଲ ନିଲାମୀ

ପ୍ରକାଶଯୋଗ୍ୟ, ଚଳିତ ବର୍ଷ (୨୦୨୩) ଆରମ୍ଭରେ ମହିଳା ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣ ଖେଳାଯାଇଥିଲା । ବିଶ୍ବର ପ୍ରଥମ ଦେଶ ଭାବେ ଭାରତ ମହିଳା ଖେଳାଳିଙ୍କୁ ନେଇ ଆରମ୍ଭ କରିଥିଲା ଏକ ପ୍ରିମିୟର ଲିଗ୍‌ । ପ୍ରଥମ ସଂସ୍କରଣରେ ମୁମ୍ବାଇର ତିନୋଟି ସ୍ଥାନରେ ୨୨ଟି ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ୫ଟି ଦଳରେ ବହୁ ବିଦେଶୀ କ୍ରିକେଟର ମଧ୍ୟ ସାମିଲ ହୋଇଥିଲେ । ତେବେ ୨୦୨୪ ସଂସ୍କରଣ କେଉଁଠାରେ ଖେଳାଯିବ ଓ କେବେ ମ୍ୟାଚ୍‌ ଆରମ୍ଭ ହେବ ସେନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ । ହେଲେ ଏଥର ଏକାଧିକ ସହରରେ ଖେଳାଯାଉ ବୋଲି ଦାବି ଉଠାଇ ଚର୍ଚ୍ଚାକୁ ଆସିଛନ୍ତି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟିକା ସ୍ମୃତି ମାନ୍ଧାନା ।

ସମ୍ଭବତଃ ଏଥର ଆଇପିଏଲ୍‌ ଏକାଧିକ ସହରରେ ଖେଳାଯାଇପାରେ । ଡିସେମ୍ବର ୯ (ଶନିବାର) ମୁମ୍ବାଇରେ ହେବ ମହିଳା ପ୍ରିମିୟର ଲିଗ୍‌ ୨୦୨୪ ପାଇଁ ନିଲାମୀ ପ୍ରକ୍ରିୟା । ଏହା ପୂର୍ବରୁ ୫ଟି ଫ୍ରାଞ୍ଚାଇଜ୍‌ ଦଳ ବାଙ୍ଗାଲୋର, ଗୁଜୁରାଟ, ମୁମ୍ବାଇ, ଦିଲ୍ଲୀ ଓ ୟୁପି ସେମାନଙ୍କ ମନ ପସନ୍ଦର ଖେଳାଳିଙ୍କୁ ରିଟେନ୍‌ ରଖି ଅନ୍ୟ ଖେଳାଳିଙ୍କୁ ନିଲାମ ପାଇଁ ମୁକ୍ତ କରିଛନ୍ତି । ମୋଟ ୬୦ ଜଣ ଖେଳାଳି ୫ଟି ଯାକ ଦଳରେ ସ୍ଥାନ ବଜାୟ ରଖିଥିବାବେଳେ ସେମାନଙ୍କ ମଧ୍ୟରେ ୨୧ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୨୯ ଜଣ ଖେଳାଳିଙ୍କୁ ନିଲାମୀ ପାଇଁ ମୁକ୍ତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.