ETV Bharat / opinion

Resurgence of Khalistan Slogan: ପୁଣି ପଞ୍ଜାବରେ ଉଠିଲା ଖଲିସ୍ତାନ ସପକ୍ଷବାଦୀଙ୍କ ସ୍ଲୋଗାନ

author img

By

Published : Feb 26, 2023, 4:46 PM IST

Resurgence of Khalistan Slogan
Resurgence of Khalistan Slogan

ଗତ ୨୩ ତାରିଖରେ 'ୱାରିସ ପଞ୍ଜାବ ଦେ' ସଂଗଠନର ମୁଖ୍ୟ ଅମୃତପାଲ ସିଂର ସମର୍ଥକମାନେ ପଞ୍ଜାବ ଅଜନାଲା ଥାନାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଛୋଟ ଘଟଣା କିପରି ପଞ୍ଜାବ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇଛି ସେ ସମ୍ପର୍କରେ ପଢନ୍ତୁ ଇଟିଭି ଭାରତର ଏହି ସମ୍ପାଦକୀୟ ।

ହାଇଦ୍ରାବାଦ: ପୁଣି ପଞ୍ଜାବରେ ଉଠିଲା ଖଲିସ୍ତାନ ସପକ୍ଷବାଦୀଙ୍କ ସ୍ଲୋଗାନ । ଗତ ଗୁରୁବାର ପଞ୍ଜାବର ଅମୃତସରଠାରେ ମୌଳବାଦୀ ଶିଖ ଗୋଷ୍ଠୀ ତୁମୁଳକାଣ୍ଡ ଘଟାଇବା ପରେ ପୁଣି ରାଜ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ହାତରେ ଖଣ୍ଡା, ବନ୍ଧୁକ ଭଳି ମାରଣାସ୍ତ୍ର ଧରି ଅଜନାଲା ଥାନା ଉପରେ ଆକ୍ରମଣ କରିଥିଲେ ହଜାର ହଜାର ବିକ୍ଷୋଭକାରୀ । ଏହି ଘଟଣା ୧୯୮୦ ପଞ୍ଜାବ ଆତଙ୍କବାଦୀ ଘଟଣାକୁ ମନେ ପକାଇ ଦେଇଛି । ବିକ୍ଷୋଭକାରୀମାନେ ଅଜନାଲା ଥାନା ଉପରେ ଆକ୍ରମଣ କରି 'ୱାରିସ ପଞ୍ଜାବ ଦେ' ସଂଗଠନର ମୁଖ୍ୟ ଅମୃତପାଲ ସିଂ ଘନିଷ୍ଠ ବନ୍ଧୁ ଲଭପ୍ରୀତ ତୁଫାନକୁ ମୁକ୍ତ କରିବା ଲାଗି ଦାବି କରିଥିବା ବେଳେ ଏହି ଘଟଣା ପଞ୍ଜାବ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇଛି ।

୨୯ ବର୍ଷୀୟ ଯୁବ ଇଞ୍ଜିନିୟର ଅମୃତପାଲ ସିଂ ହେଉଛି 'ୱାରିସ ପଞ୍ଜାବ ଦେ' ସଂଗଠନର ମୁଖ୍ୟ । ଯିଏକି ଶିଖ ଧର୍ମାବଲମ୍ବୀଙ୍କ ପାଇଁ ସ୍ବତନ୍ତ୍ର ରାଜ୍ୟ ଦାବି ଲାଗି ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିଆସୁଛି । ଅମୃତପାଲର ଘନିଷ୍ଠ ସହଯୋଗୀ ଲଭପ୍ରୀତର ଗିରଫ ପରେ ଅଜନାଲା ଥାନା ସମ୍ମୁଖରେ ଏକତ୍ର ହେବା ଲାଗି ସେ ନିଜ ସମର୍ଥକମାନଙ୍କୁ ଆହ୍ବାନ ଦେଇଥିଲା । ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ମାଡ଼ ମାରିବା ଅଭିଯୋଗରେ ପୋଲିସ ତୁଫାନକୁ ଗିରଫ କରିଥିଲା । ଗିରଫ ପରେ ଖଲିସ୍ତାନ ସମର୍ଥକମାନେ ହଜାର ହଜାର ସଂଖ୍ୟାରେ ଥାନା ଘେରାଉ କରିବା ସହ ତୁଫାନକୁ ମୁକ୍ତ କରିବା ଲାଗି ଦାବି କରିଥିଲେ ।

ଯେମିତି ଖଲିସ୍ତାନମାନେ ବ୍ୟାରିକେଡ ଭାଙ୍ଗି ଥାନା ଅଭିମୁଖେ ଅଗ୍ରସର ହେଉଥିଲେ, ସେହି ଅନୁସାରେ ପୋଲିସ ପଛକୁ ହଟୁଥିଲା । ସେମାନେ ଥାନା ଓ ପୋଲିସ କର୍ମଚାରୀଙ୍କ ଉପରକୁ ଢେଲା ପଥର ମାଡ଼ କରିଥିଲେ । ଏଥିରେ ଅନେକ ପୋଲିସ କର୍ମୀ ଆହତ ମଧ୍ୟ ହୋଇଛନ୍ତି । ଏହାପରେ ପୋଲିସ ଚାପରେ ଆସି ଶେଷରେ ଏହି ବିକ୍ଷୋଭକାରୀଙ୍କ ସାମ୍ନାରେ ଆତ୍ମସମର୍ପଣ କରିଥିବା ଦେଖିବାକୁ ମିଳିଥିଲା । ପଞ୍ଜାବ ଡିଜିପି ଲଭପ୍ରୀତ ସିଂ ତୁଫାନକୁ ମୁକ୍ତ କରିବା ଲାଗି ଘୋଷଣା କରିବା ପରେ ବିକ୍ଷୋଭକାରୀମାନେ ଶାନ୍ତ ପଡ଼ିଥିଲେ ।

ଡିଜିପିଙ୍କ ଏହି ଘୋଷଣା ଅତୀତର ଏକ ଚିତ୍ରକୁ ତାଜା କରିଛି । ଲଭପ୍ରୀତ ତୁଫାନ ଭଳି ୧୯୮୧ ମସିହାରେ ଆତଙ୍କବାଦୀ ଜର୍ଣ୍ଣେଲ ସିଂ ବିନ୍ଦ୍ରାୱାଲଙ୍କୁ ଗିରଫ କରାଯାଇଥିଲା । ଏହାପରେ ଖଲିସ୍ତାନ ସପକ୍ଷବାଦୀଙ୍କ ଆନ୍ଦୋଳନ ପରେ ପୋଲିସ ଜେଲରୁ ମୁକୁଳାଇଥିଲା । ଜର୍ଣ୍ଣେଲକୁ ଏକ ଖବରକାଗଜ ସଂସ୍ଥାର ମାଲିକଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଥିଲା । ଖଲିସ୍ତାନ ସପକ୍ଷବାଦୀମାନେ ଏହାକୁ ମିଥ୍ୟା ବୋଲି କହିଥିଲେ । ସେତେବେଳେ ବିକ୍ଷୋଭକାରୀଙ୍କ ଚାପରେ ଆସି ଜର୍ଣ୍ଣେଲର ଘଟଣାରେ କୌଣସି ସମ୍ପୃକ୍ତି ନଥିବା ଘୋଷଣା କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଥିବା ଗୃହ ମନ୍ତ୍ରୀ ଜୈଲ ସିଂ ।

ଜର୍ଣ୍ଣେଲକୁ ପୋଲିସ ମୁକ୍ତ କରିବା ପରେ ବଢିଥିଲା ଖଲିସ୍ତାନ ସପକ୍ଷବାଦୀଙ୍କ ଦବଦବା । ଏହାପରେ ଜନ୍ମ ନେଇଥିଲା ଅପରେସନ ବ୍ଲୁ ଷ୍ଟାର । ଖଲିସ୍ତାନ ସପକ୍ଷବାଦୀମାନେ ୧୯୮୪ ମସିହାରେ ବିଶ୍ବପ୍ରସିଦ୍ଧ ପଞ୍ଜାବ ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିର ଉପରେ କବଜା କରିଥିଲେ । ଏହି ସମୟରେ ଭାରତୀୟ ସେନା ଓ ଖଲିସ୍ତାନ ସପକ୍ଷବାଦୀମାନେ ମୁହାଁମୁହିଁ ହୋଇଥିଲେ । ପରବର୍ତ୍ତୀ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ୨ଜଣ ଶିଖ ସୁରକ୍ଷାକର୍ମୀ ହତ୍ୟା କରିଥିଲେ । ଆତଙ୍କବାଦୀ ଜର୍ଣ୍ଣେଲଠାରୁ ପ୍ରେରିତ ହୋଇଥିବା ଅମୃତପାଲ ଜର୍ଣ୍ଣେଲ ଭଳି ବେଶଭୂଷା ଆପଣେଇଥିଲା । ଜର୍ଣ୍ଣେଲ ଖଲିସ୍ତାନ ସଂଘର୍ଷ ବେଳେ ଯେଉଁ ଶବ୍ଦ ବ୍ୟବହାର କରୁଥିଲେ ଠିକ ସେହି ରାସ୍ତାରେ ଚାଲିବା ଆରମ୍ଭ କରିଥିଲା ଅମୃତପାଲ ।

ସ୍ବତନ୍ତ୍ର ଖଲିସ୍ତାନ ଚାହୁଁଥିବା ଶିଖମାନେ ଅମୃତପାଲର ପ୍ରତିଟି କଥାକୁ ଗୁରୁତର ସହ ନେଇଥାନ୍ତି । ଯାହାର ଜ୍ବଳନ୍ତ ପ୍ରମାଣ ଅଜନାଲା ଥାନା ସମ୍ମୁଖରେ ବିକ୍ଷୋଭ ବେଳେ ଦେଖିବାକୁ ମିଳିଛି । ଅମୃତପାଲର ଡାକରାରେ ଅଜନାଲା ଥାନା ସମ୍ମୁଖର ଏକଜୁଟ ହୋଇଥିଲେ ହଜାର ହଜାର ଖଲିସ୍ତାନ ସପକ୍ଷବାଦୀ । ତେବେ ତୁଫାନକୁ ଜେଲରୁ ମୁକ୍ତ କରିବା ପରେ ମଧ୍ୟ ଥମିନି ଅମୃତପାଲର ବୟାନବାଜି । ତୁଫାନ ବିରୋଧରେ ଯଦି ପୋଲିସ ମାମଲା ରୁଜୁ କରେ ତେବେ ଫଳାଫଳ ଭୟାନକ ହେବ ବୋଲି ପୋଲିସକୁ ଧମକ ଦେଇଛି ଅମୃତପାଲ ।

ଏଥିରୁ ସ୍ପଷ୍ଟ ଯେ କିଛି ସମୟ ଲାଗି ଅମୃତପାଲକୁ ମୁକ୍ତ କରିବା ଉଭୟ ଆପ୍‌ ଓ କେନ୍ଦ୍ର ସରକାରଙ୍କ ପକ୍ଷେ ହିତକର । ନଚେତ ବର୍ତ୍ତମାନ ପରିସ୍ଥିତିରେ ଅମୃତପାଲର ଗୋଟିଏ ପଦକ୍ଷେପ ପଞ୍ଜାବରେ ଭୟାବହ ସ୍ଥିତି ଉପୁଜାଇପାରେ । ଯେହେତୁ ଅମୃତପାଲ ଆତଙ୍କବାଦୀ ଜର୍ଣ୍ଣେଲକୁ ନିଜର ଆଦର୍ଶ ମାନିଥାଏ, ସେହି ପଥରେ ସେ ଅଗ୍ରସର ହେବ ବୋଲି ଆଶଙ୍କା କରାଯାଉଛି । ଫଳସ୍ବରୂପ ୧୯୮୦ ଖଲିସ୍ତାନ ଆନ୍ଦୋଳନ ପରି ଏବେ ଆଉ ଏକ ସମାନ ଆନ୍ଦୋଳନକୁ ଏଡାଇ ଦିଆଯାଇନପାରେ । ଏହି ଆନ୍ଦୋଳନ ଶିଖ ଧର୍ମାବଲମ୍ବୀମାନଙ୍କୁ ପୂର୍ବାପେକ୍ଷା ଅଧିକ ବିଭାଜିତ କରିବାର ସମ୍ଭାବନା ରହିଛି ।

ପଞ୍ଜାବର ବର୍ତ୍ତମାନର ପରିସ୍ଥିତିକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ଧର୍ମ ନିରପେକ୍ଷ ରାସ୍ତା ଆପଣାଇଥିବା ଶିଖ ଧର୍ମ ଏବେ ରାଜ୍ୟରେ ଯେକୌଣସି ସରକାର ଆସିବ ତା ପ୍ରତି ଉଦାସୀନ ଭାବ ପ୍ରତିପୋଷଣ କରିବେ । କଟ୍ଟରପନ୍ଥୀ ଶିଖ ଗୋଷ୍ଠୀ ଅମୃତପାଲକୁ ନିଜ ନେତା ଭାବେ ଚୟନ କରିବେ । ସେପଟେ ରାଜ୍ୟରେ ମୋଟ ଜନସଂଖ୍ୟାର ୪୦% ପ୍ରତିଶତ ଥିବା ହିନ୍ଦୁ କଂଗ୍ରେସ, ଆପ ପରିବର୍ତ୍ତେ ଅନ୍ୟ ଏକ ବିକଳ୍ପ ଭାବେ ବିଜେପିକୁ ଚୟନ କରିବେ । ପୂର୍ବ ନିର୍ବାଚନକୁ ଦେଖିଲେ ବିଜେପି ଏଯାବତ ପଞ୍ଜାବରେ ନିଜ ଆଧିପତ୍ୟ ବିସ୍ତାର କରିନାହିଁ । ମାତ୍ର ଏଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କଠାରୁ ବିଜେପି ବହୁ ଆଶା ରଖିଛି ।

ଆସନ୍ତା ୨୦୨୪ ନିର୍ବାଚନରେ ପଞ୍ଜାବରେ ଅମରିନ୍ଦର ପରିବର୍ତ୍ତନ ଆଣିବେ ବୋଲି ଦଳ ଆଶା ରଖିଛି । ଅମରିନ୍ଦର ୮୦ ଦଶକ ପୂର୍ବରୁ ବିକ୍ଷୋଭକାରୀଙ୍କ ବିରୋଧରେ ଇନ୍ଦିରା ଗାନ୍ଧୀଙ୍କ ଷ୍ଟାଣ୍ଡକୁ ପ୍ରତିନିଧିତ୍ବ କରୁଥିଲେ । ଏଣୁ ତାଙ୍କ ସପକ୍ଷରେ ଭୋଟ ବ୍ୟାଙ୍କ ମଧ୍ୟ ରହିଛି । କ୍ୟାପଟେନ ଅମରିନ୍ଦର ରାଜ୍ୟରେ ଶିଖ ଭୋଟଙ୍କୁ ଆକର୍ଷିତ କରିବେ। ଏଣୁ ଅମରିନ୍ଦରଙ୍କଠାରୁ ବିଜେପି ବହୁ ଆଶା ରଖିଛି । ସେପଟେ AAP ମୁଖ୍ୟ କେଜ୍ରିୱାଲ କେବଳ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଛନ୍ତି । କାରଣ ସେ ଜାଣନ୍ତି ଯଦି ଏହି ସ୍ଥିତିକୁ ସମ୍ଭାଳିବାରେ ସେ ଅକ୍ଷମ ହୁଅନ୍ତି, ତେବେ ରାଜ୍ୟର କେବଳ ଶାସନ କ୍ଷମତା ବିଗିଡ଼ିବ ନାହିଁ, ବରଂ ତାଙ୍କ ଭବିଷ୍ୟତ ମଧ୍ୟ ଚିନ୍ତାଜନକ ହେବ । ଆପ୍‌ ଜାତୀୟ ଦଳ ହେବା ପରେ ଏବେ ବିଭିନ୍ନ ରାଜ୍ୟରେ ନିଜର ଆଧିପତ୍ୟ ବିସ୍ତାର କରିବା ଲାଗି ଉଦ୍ୟମ କରୁଛି ।

ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ନିକଟରେ ରହିଛନ୍ତି ବଳିଷ୍ଠ ଅଧିକାରୀ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଯିଏକି ଦେଶର ଅନେକ ଜଟିଳ ସୁରକ୍ଷା ସମସ୍ୟାର ସମାଧାନ କରିଛନ୍ତି । ତେବେ ଦେଶର ଏହି ପ୍ରମୁଖ ରାଜନୈତିକ ଦଳ ବିଜେପି ଖଲିସ୍ତାନ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ବନ୍ଦ କରିବ ନା ଆଗାମୀ ନିର୍ବାଚନ ଲାଗି ଏହାକୁ ଅସ୍ତ୍ର ବନାଇ ଏକ ସ୍ବତନ୍ତ୍ର ଦଳକୁ ସମର୍ଥନ କରିବ ତାହା ଏବେ ବଡ଼ ପ୍ରଶ୍ନ ।

ବିଲାଲ ଭଟ୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.