ETV Bharat / international

Turkey-Syria earthquake: ଭୂମିକମ୍ପରେ ଛାରଖାର ତୁର୍କୀ-ସିରିୟା, ମୃତ୍ୟୁସଂଖ୍ୟା ୭୭୦୦କୁ ବୃଦ୍ଧି

author img

By

Published : Feb 8, 2023, 6:55 AM IST

ଭୂମିକମ୍ପରେ ଛାରଖାର ତୁର୍କୀ ଓ ସିରିୟା । ଧ୍ବଂସସ୍ତୁପ ତଳୁ ମିଳିଲାଣି ୭,୭୦୦ ମୃତଦେହ । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା । ଅଧିକ ପଢନ୍ତୁ

Turkey-Syria earthquake
Turkey-Syria earthquake

ଅଙ୍କରା: ଗୋଟିଏ ପରେ ଗୋଟିଏ ଭୂମିକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ । ଭୂକମ୍ପ ଯୋଗୁଁ ତୁର୍କୀ ଓ ସିରିୟାରେ ହାହାକାର ପଡିଛି । ସୋମବାର ଆସିଥିବା ତିନି ତିନୋଟି ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୭,୭୨୬ ଜଣଙ୍କ ମୃତଦେହ ଧ୍ବଂସସ୍ତୁପ ତଳୁ ଉଦ୍ଧାର ହୋଇଛି । ସେହିପରି ୪୨,୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏବେ ବି ଭଗ୍ନାବଶେଷ ତଳେ ହଜାର ହଜାର ଲୋକେ ଫସି ରହିଛନ୍ତି । ତେଣୁ ଆଗରୁ ମୃତ୍ୟୁସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି ।

ତୁର୍କୀର ଉପରାଷ୍ଟ୍ରପତି ଫୁଆତ ଓକେଟ କହିଛନ୍ତି, ସୋମବାର ତିନୋଟି ଭୟଙ୍କର ଭୂମିକମ୍ପ ପରେ ଏବେସୁଦ୍ଧା ତୁର୍କୀରେ ୫,୮୯୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୩୪,୮୧୦ ଆହତ ହୋଇଛନ୍ତି । କେବଳ ସିରିୟାରେ ୧,୮୩୨ ଜଣଙ୍କ ଜୀବନ ଯାଇଥିବା ବେଳେ ୩,୮୪୯ ଆହତ ହୋଇଛନ୍ତି । ତୁର୍କୀରେ ପ୍ରାୟ ୫,୭୭୫ ଟି ବିଲ୍ଡିଂ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଭୂକମ୍ପ ଅଞ୍ଚଳରେ ଭଗ୍ନାବଶେଷ ତଳୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଖାପାଖି ୭,୫୦୦ ତୁର୍କୀ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକର(Hulusi Akar) ଜଣାଇଛନ୍ତି । ତେବେ ପ୍ରବଳ ଥଣ୍ଡା ଓ ବରଫପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସେପଟେ ମୃତ୍ୟୁସଂଖ୍ୟା ୮ ଗୁଣା ବୃଦ୍ଧି ପାଇବ ବୋଲି ହୁ ଆକଳନ କରିଛି ।

ତୁର୍କୀ ରାଷ୍ଟ୍ରପତି ରିସେପି ତାଇପେ ଏର୍ଡୋଗାନ ୧୦ ରାଜ୍ୟରେ ତିନି ମାସ ପାଇଁ ଜରୁରୀକାଳୀନ ସ୍ଥିତି ଲାଗୁ କରିଛନ୍ତି । ଭୂମିକମ୍ପ ଯୋଗୁଁ ଏହି ରାଜ୍ୟଗୁଡିକ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଭୂମିକମ୍ପରେ ଅନେକ କୋଠ ମାଟିରେ ମିଶା ଯାଇଥିବାରୁ ଖୋଲା ଆକାଶ ତଳେ ହଜାର ହଜାର ଲୋକେ ରାତି କାଟୁଛନ୍ତି । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ସମେତ ୭୦ରୁ ଅଧିକ ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସଂଗଠନ ତୁର୍କୀକୁ ସହାୟତାର ହାତ ବଢାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ତୁର୍କୀ ଓ ସିରିୟାରେ ଭୂମିକମ୍ପ ମୃତ୍ୟୁର ତାଣ୍ଡବ ରଚିଛି । ପ୍ରଥମେ ସୋମବାର ଭୋର ସମୟରେ ଏଠାରେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହାପରେ ୭.୫ ଓ ପୁଣି କିଛି ସମୟ ପରେ ୬.୦ ତୀବ୍ରତାର ଭୂମିକମ୍ପ ତୁର୍କୀକୁ ଦୋହଲାଇ ଦେଇଥିଲା । ଗତକାଲି(ମଙ୍ଗଳବାର) ମଧ୍ୟ ତୁର୍କୀରେ ୫.୬ ତୀବ୍ରତାର ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.