ETV Bharat / international

Pakistan: ସୁରକ୍ଷା ବାହିନୀର ଗୁଳିମାଡରେ ୭ ଆତଙ୍କୀ ସଫା

author img

By ETV Bharat Odisha Team

Published : Sep 11, 2023, 11:31 AM IST

ଖୈବର ପଖତୁନଖ୍ବାରେ ପାକିସ୍ତାନ ସେନାର ଗୁଳିମାଡରେ ଟଳିଲେ ୭ ଆତଙ୍କୀ । ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସୁରକ୍ଷା ବାହିନୀର ଗୁଳିମାଡରେ ୭ ଆତଙ୍କୀ ସଫା
ସୁରକ୍ଷା ବାହିନୀର ଗୁଳିମାଡରେ ୭ ଆତଙ୍କୀ ସଫା

ଇସଲାମବାଦ: ପାକିସ୍ତାନର ଖୈବର ପଖତୁନଖ୍ବାରେ ଗତକାଲି(ରବିବାର) ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ପକ୍ଷର ଗୁଳି ବିନିମୟରେ ୭ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେନା ଗୁଳିରେ ୭ ଆତଙ୍କୀ ଟଳିବା ସହ ୬ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏନେଇ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ପବ୍ଲିକ ରିଲେସନ(ISPR) ସୂତ୍ରର ସୂଚନା ଆଧାରରେ ସ୍ଥାନୀୟ ଗଣମାଧ୍ୟମ ARY ଖବର ପ୍ରକାଶ କରିଛି ।

ସୂଚନା ଅନୁଯାୟୀ, ଖୈବର ପଖତୁନଖ୍ବାର ଚିତ୍ରାଲ ଜିଲ୍ଲାରେ ଗତକାଲି ପାକ୍ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପଟୁ ଜୋରଦାର ଗୁଳି ବିନିମୟ ହୋଇଥିଲା । ଖୈବର ପଖତୁନଖ୍ବାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଥିବା କାରଣରୁ ଏହି ଅଞ୍ଚଳରେ ଅପରାଧ ବଢିବାରେ ଲାଗିଛି । ଆତଙ୍କୀ ଗତିବିଧି ବୃଦ୍ଧି ପାଉଛି । ISPR ପକ୍ଷରୁ ଏକ ବୟାନରେ କୁହାଯାଇଛି, ସ୍ଥାନୀୟ ଲୋକେ ଏଠାରେ ସୁରକ୍ଷାବଳର ଆତଙ୍କୀ ଦମନ ଅଭିଯାନକୁ ପ୍ରଶଂସା କରିଛନ୍ତି ଏବଂ ଦେଶରୁ ଆତଙ୍କବାଦ ନାଶ କରିବାକୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି ।

ଏହାମଧ୍ୟ ପଢନ୍ତୁ: Suicide Blast: ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ, 9 ଯବାନ ମୃତ

ପ୍ରକାଶ ଥାଉକି, ଗତ ବୁଧବାର ଦିନ ଚିତ୍ରାଲ ଜିଲ୍ଲାର ପାକିସ୍ତାନ ଓ ଆଫଗାନିସ୍ତାନ ବର୍ଡର ନିକଟ ମିଲିଟାରୀ ଚେକ୍ ପଏଣ୍ଟ ଠାରେ ଗୋଟିଏ ବଡ ଆତଙ୍କୀ ଗ୍ୟାଙ୍ଗ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସେନା ଉପରକୁ ଆକ୍ରମଣ କରିଥିଲେ । ଏଥିରେ ସେନାର ୪ ଯବାନ ଆଖି ବୁଜିଥିବା ବେଳେ ୧୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଗତ ୩ ତାରିଖରେ ପାକିସ୍ତାନର ବାଲୋଚିସ୍ତାନରେ ଦୁଇଟି ଆତଙ୍କୀ ଦମନ ଅପରେସନରେ ୮ ସନ୍ଦିଗ୍ଧ ତେହେରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଆତଙ୍କୀ ନିପାତ ହୋଇଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

ଏହାର ଦୁଇ ଦିନ ପୂର୍ବରୁ ଖୈବର ପଖତୁନଖ୍ବାରେ ଆତ୍ମଘାତୀ ବିସ୍ଫୋରଣରେ ପାକ ସେନାର ୯ ଯବାନ ଆକ ବୁଜିଥିଲେ ଓ ୧୭ ଜଣ ଗୁରୁତର ହୋଇଥିଲେ । ସୁରକ୍ଷା ବାହିନୀର କନଭୟ ଯାଉଥିବା ବେଳେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ମୋଟର ସାଇକେଲରେ ଆସି କନଭୟକୁ ଧକ୍କା ଦେଇଥିଲା । ଫଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.